କଟକ(ଓଡ଼ିଶା ରିପୋର୍ଟର): ବୋହୂର ଯୌତୁକ ନିର୍ଯାତନା ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି ଯେ, ମୋ ଜୀବନ ଏକ ଖୋଲାବହି । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ। ନିର୍ବନ୍ଧ ବେଳେ ନବୀନ ଥିଲେ, ରିସେପ୍ସନ୍ରେ ବି ସେ ଥିଲେ। ପରିବାରର ବଡ଼ ଭାଇ ଭାବେ ସେ ଏସବୁ କଥା ଜାଣିଥିଲେ। ସେ କହିଛନ୍ତି ଯେ, ନିର୍ବାଚନ ହେଲା ୨୦୧୯ରେ, ୨୦୧୮ ଶେଷ ଆଡକୁ ସେ ଜାଣିଥିଲେ। ଯୌତୁକ ଅଭିଯୋଗ କଣ ୪/୫ ବର୍ଷ ପରେ କରାଯାଏ କି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି। ଜଣେ ବାପା ହିସାବରେ ମୁଁ ଚାହୁଁଥିଲି ସେମାନେ ଏକାଠି ରହନ୍ତୁ। କୌଣସି କାରଣରୁ ସେମାନେ ୪/୫ ଦିନ ଏକାଠି ରହିପାରିଲେନି ବୋଲି ଭର୍ତ୍ତୃହରି କହିଛନ୍ତି।
ସୂଚନା ଅନୁଯାୟୀ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆସିଛି। ଭର୍ତ୍ତୃହରିଙ୍କ ସମେତ ପତ୍ନୀ ଏବଂ ପୁଅ ଲୋକରଂଜନ ମହତାବଙ୍କ ବିରୋଧରେ ଏତଲା ହୋଇଛି। ଲୋକରଂଜନଙ୍କୁ ବିବାହ କରିଥିବା ବୋହୂ ସାକ୍ଷୀ ଆଣିଛନ୍ତି ସଂଗୀନ ଅଭିଯୋଗ। ଭୋପାଳ ମହିଳା ଥାନାରେ ଗତ ୧୬ ତାରିଖରେ ଦେଇଛନ୍ତି ଏତଲା। ୩ ପୃଷ୍ଠାର ଅଭିଯୋଗ ଫର୍ଦ୍ଦରେ ସାକ୍ଷୀ ଦର୍ଶାଇଛନ୍ତି ଯେ, ବିବାହ ସମୟରେ ଯୌତୁକ ବାବଦକୁ ଅଢ଼େଇ କୋଟି ଟଙ୍କାର ସୁନା ଗହଣା ସହ ଅନ୍ୟାନ୍ୟ ଡ୍ରେସ ଦିଆଯାଇଥିଲା ।
ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରିଥିଲେ ଶାଶୂଘର ଲୋକେ । ତାସହ ମାନସିକ ଏବଂ ଶାରିରୀକ ନିର୍ଯାତନା ବି ଦେଇଥିଲେ। ଏପରିକି କଟକ ସ୍ଥିତ ଘରୁ ତାଙ୍କୁ ବାହାର କରି ଦିଆଯାଇଥିବା ନେଇ ସାକ୍ଷୀ ଏତଲାରେ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ, ଏ ସମ୍ପର୍କରେ କୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ ସାକ୍ଷୀ । କୋର୍ଟ ସାଂସଦ ଭର୍ତ୍ତୃହରିଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ ଅନୁମତି ଦେଇଥିଲେ । ତଥାପି ଶାଶୂଘର ଲୋକେ ଗ୍ରହଣ କରିନଥିବା ଦର୍ଶାଇ ଭୋପାଳର ମହିଳା ଥାନାରେ ଏତଲା ଦେଇଛନ୍ତି ସାକ୍ଷୀ । ଏତଲା ଆଧାରରେ ୪୯୮-ଏ, ୪୦୬, ୫୦୬ ଏବଂ ଧାରା ୩୪ ଆଧାରରେ ମାମଲା ରୁଜୁ କରିବା ସହ ଖୁବଶୀଘ୍ର ମହତାବଙ୍କ ପରିବାରକୁ ନୋଟିସ୍ ପଠାଯିବ ବୋଲି କହିଛି ଭୋପାଳ ପୁଲିସ ।
ଭୋପାଳ ନିବାସୀ ସାକ୍ଷୀଙ୍କ ସହ ଲୋକରଂଜନଙ୍କ ମଧ୍ୟରେ ୨୦୧୬ ଡିସେମ୍ବର ୧୨ରେ ନୂଆଦିଲ୍ଲୀରେ ବେଶ ଧୂମଧାମରେ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । କିନ୍ତୁ ଆରମ୍ଭରୁ ହିଁ ଠିକ୍ରେ ଚାଲିନଥିଲା ଉଭୟଙ୍କ ସଂସାର । ବିବାହର ମାତ୍ର ୪ ଦିନ ପରେ ଅର୍ଥାତ ୨୦୧୬ ଡିସେମ୍ବର ୧୬ ତାରିଖରେ ସାକ୍ଷୀଙ୍କୁ ନେଇଯିବା ପାଇଁ ତାଙ୍କ ବାପା, ମାଆଙ୍କୁ ଶାଶୂଘର ଲୋକେ କହିଥିବା ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ । ସମାଧାନ ପାଇଁ ବାପା, ମା ଉଦ୍ୟମ କରିଥିଲେ ବି ସମାଧାନ ହୋଇନଥିଲା ବୋଲି ସାକ୍ଷୀ ଏତଲାରେ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ, ଜୀବନରେ ମାରିଦେବାକୁ ବି ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ତେବେ ପୁଅର ବିବାହ-ବିଚ୍ଛେଦ ମାମଲା ୨ ବର୍ଷ ହେଲା ଦିଲ୍ଲୀ କୋର୍ଟରେ ବିଚାରାଧୀନ ରହିଛି ବୋଲି ଭର୍ତ୍ତୃହରି ମହତାବ କହିଥିବାନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।