‘ମୋ’ ପିଲାର ମୃତ୍ୟୁ ପାଇଁ ଡାକ୍ତର ଦାୟୀ’, ଥାନାରେ ପହଞ୍ଚିଲା କେନ୍ଦୁଝର ଶିଶୁ ମୃତ୍ୟୁ ମାମଲା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଛି।  ଏପରିକି କଥା ଥାନାରେ ପହଞ୍ଚିଲାଣି। ନିଜ ନବଜାତକୁ ହରାଇଥିବା କାମ ଦେହୁରୀ ନାମକ  ବ୍ୟକ୍ତି କେନ୍ଦୁଝର ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି । ନିଜ ପିଲାର ମୃତ୍ୟୁ ପାଇଁ ସେ କାର୍ଯ୍ୟରତ ଡାକ୍ତରଙ୍କୁ ଦାୟୀ କରିଥିବା ବେଳେ ତାଙ୍କ ଦାୟିତ୍ୱହୀନତା ଯୋଗୁ ଛୁଆର […]

person

  • Published: Monday, 19 September 2022
  • , Updated: 19 September 2022, 02:18 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଛି।  ଏପରିକି କଥା ଥାନାରେ ପହଞ୍ଚିଲାଣି। ନିଜ ନବଜାତକୁ ହରାଇଥିବା କାମ ଦେହୁରୀ ନାମକ  ବ୍ୟକ୍ତି କେନ୍ଦୁଝର ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି । ନିଜ ପିଲାର ମୃତ୍ୟୁ ପାଇଁ ସେ କାର୍ଯ୍ୟରତ ଡାକ୍ତରଙ୍କୁ ଦାୟୀ କରିଥିବା ବେଳେ ତାଙ୍କ ଦାୟିତ୍ୱହୀନତା ଯୋଗୁ ଛୁଆର ଜୀବନ ଯାଇଥିବା କହିଛନ୍ତି। ପୁଲିସ ଏତଲାକୁ ଗ୍ରହଣ କରି ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ।

କାମ ଦେହୁରୀ କହିଛନ୍ତି, ଅପରେସନ କରି ମୋ’ର ଛୁଆ ଜନ୍ମ କଲେ। କହିଲେ ବାତ ହୋଇଛି କଟକ ନେଇଯାଅ। କଟକ ନେଇପାରିବିନି ବୋଲି କହିବାରୁ ଆଇସିୟୁରେ ରଖିଲେ, ହେଲେ ଦେଖା କରାଇ ଦେଲେନି। ଏହାପରେ ଛୁଆ ମରିଯିବା କଥା କହିଲେ। ତେଣୁ ମୋ’ ଛୁଆ ମୃତ୍ୟୁ ପାଇଁ ଡାକ୍ତର ଦାୟୀ।

୨୪ ଘଣ୍ଟା ମଧ୍ୟରେ ଏହି ମେଡ଼ିକାଲରେ ୬ ଜଣ ଶିଶୁଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହେବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।  ହେଲେ ୨୪ ଘଣ୍ଟା ଭିତରେ ୬ ନୁହେଁ, ବରଂ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି ଏଡିଏମ୍ଓ ।

ସେପଟେ ଏଭଳି ଅଭାବନୀୟ ଘଟଣା ପରେ ଗତକାଲି ସଦର ବିଧାୟକ ମୋହନ ମାଝି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।  ଡାକ୍ତରଙ୍କ ଅଭାବ ଯୋଗୁଁ ଏପରି ମୃତ୍ୟୁ ଘଟୁଥିବା କହିବା ସହ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଏହା ଏକ ଦୁଃଖଦାୟକ ଘଟଣା । ଏଭଳି ଶିଶୁ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏବଂ ତୁରନ୍ତ ପଦକ୍ଷେପ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ନିରାକରଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଚଳିତ ମାସରେ ଗତକାଲି ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ ଏଡିଏମ୍‌ଓ କିଶୋର ପୃଷ୍ଟି।

ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ।

Related story