ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ନାଳ ସାଜିଲା ବାଧକ। ନିଆଁ ଲିଭାଇବାକୁ ଗାଁକୁ ଯାଇପାରିଲାନି ଦମକଳ ଗାଡ଼ି। ବାଧ୍ୟ ହୋଇ ଶଗଡ଼ରେ ଦମକଳର ପମ୍ପ, ପାଇପ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଗଲା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ପଞ୍ଚାୟତର ତିଲେଇମାଳ ଗାଁରେ।
ଦୁଇ ଦିନ ତଳେ ଗାଁର ବୀରବର ମାଝୀଙ୍କ ପାଳଗଦାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ ନାକଟିଦେଉଳ ଦମକଳ କେନ୍ଦ୍ରକୁ ଫୋନ୍ କରାଯାଇଥିଲା। ଫୋନ୍ ପାଇଁ ଦମକଳ ବାହିନୀ ତୁରନ୍ତ ତିଲେଇମାଳ ଅଭିମୁଖେ ଆସିଥିଲେ। ସେମାନେ ଠିକ୍ ସମୟରେ ପହଞ୍ଚିଥିଲେ ଗାଁ ପାଖରେ। କିନ୍ତୁ ଗାଁକୁ ଯାଇପାରି ନଥିଲେ। କାରଣ ବାଧକ ସାଜିଥିଲା ଚମ୍ପାଳୀ ନାଳ। ଏହି ନାଳ ଉପରେ ପୋଲଟିଏ ନଥିବାରୁ ଗାଁ ଭିତରକୁ ଯାଇପାରିଲାନି ଦମକଳ ଗାଡ଼ି। ସେଥିପାଇଁ ଶଗଡ଼ର ବ୍ୟବସ୍ଥା କରି ସେଥିରେ ଦମକଳର ପମ୍ପ, ପାଇପ ଓ ଅନ୍ୟାନ୍ୟ ସାମଗ୍ରୀକୁ ଘଟଣାସ୍ଥଳକୁ ନିଆଯାଇଥିଲା।
ଘଟଣାସ୍ଥଳ ନିକଟରେ ଥିବା ଏକ ଖୋଲା କୁଅରୁ ପମ୍ପ ଯୋଗେ ପାଣି ଉଠାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ପାଳଗଦା ପ୍ରାୟ ସଂପୂର୍ଣ୍ଣ ଜଳିପୋଡ଼ି ଯାଇଥିଲା। ନାଳ ଉପରେ ପୋଲଟିଏ ଥିଲେ, ହୁଏତ ଅଗ୍ନିଶମ କର୍ମଚାରୀମାନେ ଆହୁରି ଶୀଘ୍ର ପହଞ୍ଚି ପାରିଥା’ନ୍ତେ ଓ କ୍ଷତିକୁ ହ୍ରାସ କରିପାରି ଥା’ନ୍ତେ।
ରାଜ୍ୟର ଅନେକ ଗାଁକୁ ଏବେ ବି ଭଲ ରାସ୍ତା ହୋଇପାରିନି। ସେମିତି ଅନେକ ସ୍ଥାନରେ ଖରାପ ରାସ୍ତା ସାଙ୍ଗକୁ ବାଟରେ ନାଳ ବା ନଦୀ ଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। କାରଣ ସେହି ନାଳ ବା ନଦୀ ଉପରେ ପୋଲ ନାହିଁ। ରାସ୍ତା ସମସ୍ୟା ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବା ଓ ଗର୍ଭବତୀ ଏବଂ ଅସୁସ୍ଥ ଲୋକଙ୍କୁ ଖଟରେ ବା ଭାରରେ ବୁହା ଯିବା ଖବର ଆମେ ଅନେକ ସମୟରେ ଗଣମାଧ୍ୟମରେ ପଢୁ ବା ଦେଖୁ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃଖର ବିଷୟ। ଦମକଳ ଓ ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା ଥିଲେ ହେଁ ରାସ୍ତା ନଥିବା ଯୋଗୁ ଯଦି ସେଗୁଡ଼ିକ ଲୋକଙ୍କ କାମରେ ନ ଆସେ, ତା’ହେଲେ ଏହା ସରକାରଙ୍କ ଅପାରଗତା ନୁହେଁ ତ ଆଉ କ’ଣ।