ଆସିକା(ମନୋଜ ମୁନୀ): ମହାମାରୀ କରୋନା ପାଇଁ ଦୀପାବଳିରେ ବାଣ ଫୁଟାଇବାକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ୱେ ବାଣ ତିଆରି ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି ପୁଲିସ ଚଢ଼ଉ କରି ୭୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଆଜି ଏପରି ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି।
ଆସିକା ବ୍ଲକ୍ ନଳବଣ୍ଟା ଗାଁରେ ବାଣ ତିଆରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଉକ୍ତ ଗାଁରେ ଚଢ଼ଉ କରି ବମ, ତାଳ ଫୋଟୋକା, ଚକ୍ରି, ମାର୍କୋରି ଟର୍ଚ୍ଚ, ଝୁରି, ଲଙ୍ଗସଟ, ଲାରା, ମଥାପି, କଲର ସଟ, ଆକାଶ ଦୀପ ଭଳି ବିଭିନ୍ନ ବାଣ ଜବତ କରାଯାଇଛି। ଏହାଛଡ଼ା ଗନ ପାଉଡର ଓ ବାଣ ପ୍ରସ୍ତୁତି ସମଗ୍ରୀ ନାଇଟ୍ରୋଜେନ୍ ପାଉଡର, ସଲଫର ପାଉଡର ଓ ଚାରକୋଲ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ବାଣର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।