ବାଙ୍କୀ(ସଞ୍ଜୀପ କୁମାର ନାୟକ): ଉଭୟ ପକ୍ଷଙ୍କ ମଧ୍ୟରେ ବଟି ଆଦାୟକୁ ନେଇ ଲାଗିଥିବା ବିବାଦର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ ୨ ଯୁବକ । ଏହି ବିବାଦ ମେଣ୍ଟାଇବାକୁ ସେମାନେ ମଧ୍ୟସ୍ତି ସାଜିଥିଲେ। ହେଲେ କଥା ଛିଣ୍ଡିବା ବଦଳରେ ସେମାନଙ୍କୁ ଖାଇବାକୁ ପଡ଼ିଲା ଗୁଳି ମାଡ଼ । ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଗତ ରାତିରେ ଘଟିଛି।
ଗୁଳିମାଡ଼ ଯୋଗୁ ଆହତ ହୋଇଥିବା ୨ ଜଣ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ବାଁରା ଗାଁର ଗଣେଶ ରାଉତ, ମଣ୍ଟୁ । ସେମାନଙ୍କୁ ଗୁଳି ମାଡ଼ କରିଥିବା ଯୁବକଜଣକ ଉକ୍ତ ଗାଁର ଵଣ୍ଟି ପାତ୍ର ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟସ୍ଥ ମହାନଦୀ କୂଳରେ ଏକ ବାଣ ଗୋଦାମ ଖୋଲିଛଇ। ଵଣ୍ଟି ପାତ୍ର ଉକ୍ତ ଗୋଦାମ ମାଲିକଙ୍କୁ ଧମକାଇ ୨ ଲକ୍ଷ ବଟି ଦେବାକୁ ଚେତାଇ ଦେଇଥିଲେ। ଏନେଇ ଗୋଦାମ ମାଲିକ ଉକ୍ତ ଗାଁର ଗଣେଶ ଓ ମଣ୍ଟୁଙ୍କୁ ଜଣାଇ ଘଟଣାର ସମାଧାନ କରିବାକୁ ଅନୁରୋଧ କରିଥିଲେ।
ଏହାପରେ ଗଣେଶ ଓ ମଣ୍ଟୁ ଉଭୟ ବଣ୍ଟି ଘରକୁ ଯାଇଥିଲେ। ସେଠାରେ ସେମାନେ ତାଙ୍କ ବାପା ଓ ଭାଇଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ନିଜ ପୁଅକୁ ସମର୍ଥନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହାଦେଖି ଘରେ ଥିବା ବଣ୍ଟି ଏକ ବନ୍ଧୁକ ଆଣି ଉଭୟ ଗଣେଶ ଓ ମଣ୍ଟୁଙ୍କ ଉପରକୁ ଗୁଳି ଚଳାଇଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।
ଖବର ପାଇ ବାଙ୍କୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବଣ୍ଟିଙ୍କ ଭାଇ ଓ ତାଙ୍କ ବାପାଙ୍କୁ ଆଣି ଅଟକ ରଖିଛି। ଘଟଣାସ୍ଥଳରୁ ବଣ୍ଟି ଫେରାର ହୋଇଯାଇଥିବା ବେଳେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।