ଘରେ ବସି ଦରମା ନେଉଛନ୍ତି ୫ ବରିଷ୍ଠ ଆଇପିଏସ

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ସହ ବିଭିନ୍ନ ପ୍ରକାରର ଅପରାଧରେ ଜାତୀୟସ୍ତରରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି। ତଥାପି ରାଜ୍ୟରେ ଆଇପିଏସ୍ ଅଫିସରମାନଙ୍କ ନିଯୁକ୍ତିକୁ ନେଇ ସରକାରୀସ୍ତରରେ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ୬୮ଟି ପଦବୀ ଖାଲି ପଡ଼ିଛି ଓ ଅନ୍ୟ ୫ଜଣ ବରିଷ୍ଠ ଆଇପିଏସଙ୍କୁ ବିନା କାମରେ ଦରମା ଦେବାକୁ ପଡ଼ୁଛି। ଆଉ କିଛି ଆଇପିଏସଙ୍କୁ ଖୁସି କରିବା ନିମନ୍ତେ ମନଇଚ୍ଛା ଅତିରିକ୍ତ ଡିଜି(ଏଡିଜି) ପାହ୍ୟାରେ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। […]

IPS

IPS

Tapas Behera
  • Published: Thursday, 22 October 2020
  • Updated: 22 October 2020, 08:25 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ସହ ବିଭିନ୍ନ ପ୍ରକାରର ଅପରାଧରେ ଜାତୀୟସ୍ତରରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି। ତଥାପି ରାଜ୍ୟରେ ଆଇପିଏସ୍ ଅଫିସରମାନଙ୍କ ନିଯୁକ୍ତିକୁ ନେଇ ସରକାରୀସ୍ତରରେ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ୬୮ଟି ପଦବୀ ଖାଲି ପଡ଼ିଛି ଓ ଅନ୍ୟ ୫ଜଣ ବରିଷ୍ଠ ଆଇପିଏସଙ୍କୁ ବିନା କାମରେ ଦରମା ଦେବାକୁ ପଡ଼ୁଛି। ଆଉ କିଛି ଆଇପିଏସଙ୍କୁ ଖୁସି କରିବା ନିମନ୍ତେ ମନଇଚ୍ଛା ଅତିରିକ୍ତ ଡିଜି(ଏଡିଜି) ପାହ୍ୟାରେ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଯେଉଁଥିପାଇଁ ଆଇପିଏସ୍ କ୍ୟାଡ଼ର ପରିଚାଳନାରେ ରାଜ୍ୟ ସରକାରଙ୍କ ମନମୁଖୀ ନିଷ୍ପତ୍ତିର ପ୍ରତିଫଳନ ଦେଖିବାକୁ ମିଳିଥିବା ଜଣାପଡ଼ିଛି।

ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୧୮୮ଟି ଆଇପିଏସ୍ ପଦବୀ ଥିବାବେଳେ ସେଥିରେ ୧୩୧ଟି ସିଧାସଳଖ ଓ ୫୭ଟି ପଦୋନ୍ନତିଭିତ୍ତିକ ପଦବୀ ରହିଛି। ତେବେ ରାଜ୍ୟ ସରକାରଙ୍କ ବେପରୁୱା ଆଇପିଏସ୍ କ୍ୟାଡ଼ର ପରିଚାଳନା ଯୋଗୁ ଦୀର୍ଘ ବର୍ଷ ହେଲା ୫୭ଟି ପଦୋନ୍ନତିଭିତ୍ତିକ ଆଇପିଏସ୍ ପଦବୀ ଖାଲି ପଡ଼ିଛି। ଆଉ ସିଧାସଳଖ ଆଇପିଏସ୍ ବର୍ଗରେ ଥିବା ୧୩୧ଟି ପଦବୀ ମଧ୍ୟରୁ ଏବେ ୧୧ଟି ଖାଲି ପଡ଼ିଥିବାବେଳେ ୨୨ଜଣ ଆଇପିଏସ୍ କେନ୍ଦ୍ରୀୟ ଡେପୁଟେସନରେ ଓ ଜଣେ ଆଇପିଏସ୍ ଆନ୍ତଃରାଜ୍ୟ ଡେପୁଟେସନରେ ଅଛନ୍ତି। ଅନ୍ୟ ୬ଜଣ ଆଇପିଏସ୍ ହାଇଦ୍ରାବାଦସ୍ଥିତ ପୁଲିସ୍ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ସମସ୍ତ ଅଫିସରଙ୍କୁ ବାଦ୍ ଦେଲେ ଏବେ ରାଜ୍ୟରେ ୯୧ଜଣ ଆଇପିଏସ୍ ଅଫିସ ରହିଛନ୍ତି। ତେବେ ଏହି ୯୧ଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ୫ଜଣ ବରିଷ୍ଠ ଆଇପିଏସଙ୍କୁ ବିନା କାମରେ ଦରମା ଦେଉଥିବା ଜଣାପଡ଼ିଛି।

୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ବିକେ ଶର୍ମାଙ୍କୁ ୨୦୧୯ ନଭେମ୍ବର ୨୨ ତାରିଖରେ ଅଚାନକ ପୁଲିସ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଲେ। ଶ୍ରୀ ଶର୍ମାଙ୍କ ଭଳି ବରିଷ୍ଠ ଆଇପିଏସ୍ ଗତ ୧୧ମାସ ଧରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ପାଇ ନିଜ ଘରେ ବସି ରହିଛନ୍ତି। ସରକାର ତାଙ୍କୁ ଦରମା ଦେଉଥିଲେ ମଧ୍ୟ କୌଣସି କାମ ଦେଉନାହାନ୍ତି। ଏପରିକି ତାଙ୍କ ନାଁରେ ଚାଲିଥିବା ଦୁର୍ନୀତି ଅଭିଯୋଗ ମାମଲା ଏବେ ଶୀତଳଭଣ୍ଡାରରେ ରହିଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଢ଼ା ଯାଇଥିବା ତଦନ୍ତ କମିଟି ମଧ୍ୟ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ କୌଣସି ଆପତ୍ତିଜନକ ତଥ୍ୟ ପାଇନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତଥାପି ସରକାର ନିଜ ଜିଦ୍ ପାଇଁ ଶ୍ରୀ ଶର୍ମାଙ୍କ ଭଳି ବରିଷ୍ଠ ଅଫିସରଙ୍କୁ ବିନା କାମରେ  ଦରମା ଦେଉଛନ୍ତି।

ସେହିପରି ୧୯୯୫ ବ୍ୟାଚର ଏଡିଜି ପାହ୍ୟା ଅଫିସର ରୀତୁ ଅରୋରା କେନ୍ଦ୍ରୀୟ ଡେପୁଟେସନରେ ଫେରିବା ପରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି । ସରକାର ତାଙ୍କୁ ରାଜ୍ୟରେ ରଖିବା ପରିବର୍ତ୍ତେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।

୧୯୯୮ ବ୍ୟାଚ୍ ଆଇଜି ପାହ୍ୟା ଅଫିସର ଏନବି ଭାରତୀ ଏବେ   ଫେରାର ଅଛନ୍ତି। ଭିଜିଲାନ୍ସ ବିଭାଗ ଏକ ପୁରୁଣା ମାମଲାରେ ତାଙ୍କ ପଛରେ ପଡ଼ି ତାଙ୍କ ଘରେ ଓ ଅଫିସରେ ‘ଲଟକା’ ଲଗାଇବାପରେ ସେ ବିନାନୁମତିରେ ଛୁଟିରେ ପଳାଇଛନ୍ତି।
ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ଦୀର୍ଘ ପ୍ରାୟ ଦୁଇ ମାସ ତଳେ ୨ଜଣ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ ଓ ସତ୍ୟଜିତ୍ ନାଏକ ଗୃହ ବିଭାଗରେ ଜଏନ୍ କରିଥିଲେ ମଧ୍ୟ ବିନା ନିଯୁକ୍ତିରେ ବସି ରହିଛନ୍ତି। ସେମାନଙ୍କୁ ଦରମା ମିଳୁଛି କିନ୍ତୁ କୌଣସି କାମ ଏପର୍ଯ୍ୟନ୍ତ ଦିଆଯାଇନାହିଁ।

ଏସବୁ ବ୍ୟତୀତ ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଣ୍ଟରେ ବେପରୁୱା ମନୋଭାବ ଯୋଗୁ ଏବେ ୨ଟି କ୍ୟାଡ଼ର ଓ ୨ଟି ଏକ୍ସକ୍ୟାଡ଼ର ଡିଜି ପଦ ମଧ୍ୟରୁ ଗୋଟିଏ ଖାଲି ପଡ଼ିଛି। ଅନ୍ୟପଟେ ୨୧ଜଣ ଅଫିସରଙ୍କୁ ମନମୁଖୀ ଏଡିଜି ପାହ୍ୟାରେ ବସାଇ ସରକାର ମୋଟାଅଙ୍କର ଦରମା ଦେଉଛନ୍ତି। କିନ୍ତୁ ସେହି ତୁଳନାରେ ଦେଖିଲେ ଆଇଜି ପାହ୍ୟାରେ ମାତ୍ର ୧୭ଜଣ ଓ ଡିଆଇଜି ପାହ୍ୟାରେ ୧୧ଜଣ ଆଇପିଏସ୍ ଅଫିସର ଏବେ ଓଡ଼ିଶାରେ କାମ କରୁଛନ୍ତି। ଯାହାକି ଆଇପିଏସ୍ କ୍ୟାଡ଼ର ପରିଚାଳନାରେ ସରକାରଙ୍କ ଅପରିଣାମଦର୍ଶିତାକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos