୧୨ ଦିନ ପରେ ଫେରିଥିଲା ‘କୋକୋ’, ନେଇଗଲା ବନ ବିଭାଗ

କଟକ (ଓଡ଼ିଶା ରିପୋର୍ଟର): କଟକର ବହୁ ଚର୍ଚ୍ଚିତ ଶୁଆ ‘କୋକୋ’କୁ ନିଜ ହେପାଜତକୁ ନେଲା ବନ ବିଭାଗ। ବନ ବିଭାଗର ଅଧିକାରୀମାନେ ଆଜି ‘କୋକୋ’ ପୋଷିଥିବା ସସ୍ମିତା ବେହେରାଙ୍କ ଘରେ ପହଞ୍ଚି ତନାଘନା କରିଥିଲେ। ଏହା ପରେ ସେମାନେ ‘କୋକୋ’କୁ ନେଇ ଯାଇଥିଲେ। କାରଣ ବନ୍ୟପ୍ରାଣୀ ଆଇନ ଅନୁଯାୟୀ, କେହି ଘରେ ବନ୍ୟଜନ୍ତୁ ବା ପକ୍ଷୀଙ୍କୁ ଘରେ ରଖିପାରିବେ ନାହିଁ। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଶୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତା’ପରେ ତାକୁ କେଉଁଠି […]

Parrot

Jitendra Garnayak
  • Published: Tuesday, 18 January 2022
  • , Updated: 18 January 2022, 07:57 PM IST

କଟକ (ଓଡ଼ିଶା ରିପୋର୍ଟର): କଟକର ବହୁ ଚର୍ଚ୍ଚିତ ଶୁଆ ‘କୋକୋ’କୁ ନିଜ ହେପାଜତକୁ ନେଲା ବନ ବିଭାଗ। ବନ ବିଭାଗର ଅଧିକାରୀମାନେ ଆଜି ‘କୋକୋ’ ପୋଷିଥିବା ସସ୍ମିତା ବେହେରାଙ୍କ ଘରେ ପହଞ୍ଚି ତନାଘନା କରିଥିଲେ। ଏହା ପରେ ସେମାନେ ‘କୋକୋ’କୁ ନେଇ ଯାଇଥିଲେ। କାରଣ ବନ୍ୟପ୍ରାଣୀ ଆଇନ ଅନୁଯାୟୀ, କେହି ଘରେ ବନ୍ୟଜନ୍ତୁ ବା ପକ୍ଷୀଙ୍କୁ ଘରେ ରଖିପାରିବେ ନାହିଁ।

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଶୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତା’ପରେ ତାକୁ କେଉଁଠି ରଖାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ।

୧୨ ଦିନ ଧରି ନିଖୋଜ ରହିବା ପରେ ସୋମବାର ଭୁବନେଶ୍ୱର କେସୁରା ଅଞ୍ଚଳରୁ ମିଳିଥିଲା କୋକୋ। ପ୍ରାୟ ବର୍ଷେ ହେଲା ସେ କଟକ ନିବାସୀ ସସ୍ମିତା ବେହେରାଙ୍କ ଘରେ ରହୁଥିଲା। ତାକୁ ଘରର ସନ୍ତାନ ଭଳି ପାଳିଥିଲେ ସସ୍ମିତା। ‘କୋକୋ’ ପିଞ୍ଜରାରେ ରହୁ ନଥିଲା। ସେ ଘରେ ସେମିତି ଖୋଲାରେ ବୁଲୁଥିଲା।

ସସ୍ମିତାଙ୍କ ଘର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି ‘କୋକୋ’ ଡରି ଯାଇଥିଲା ଓ ଘରୁ ପଳାଇଥିଲା। ‘କୋକୋ’କୁ ଖୋଜିବା ଲାଗି ସସ୍ମିତା ସହରରେ ପୋଷ୍ଟର ମାରିବା ସହ ଲିଫ୍‌ଲେଟ୍ ବାଣ୍ଟି ବିଜ୍ଞାପନ ଦେଇ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

‘କୋକୋ’ ମିଳିବା ପରେ ସସ୍ମିତା ବେଶ୍ ଖୁସି ହୋଇଯାଇଥିଲେ। କିନ୍ତୁ ବନ ବିଭାଗ ତାକୁ ନେଇ ଯିବ ଜାଣି ଦୁଃଖୀ ହୋଇଯାଇଥିଲେ। ସେ ‘କୋକୋ’କୁ ଛାଡ଼ିବାକୁ ରାଜି ନଥିଲେ। ତେବେ ବନ ବିଭାଗ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିଥିଲେ ଓ ‘କୋକୋ’କୁ ନେଇ ଯାଇଥିଲେ।

Related story