ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ଦଳର ସଦସ୍ୟତା ଅଭିଯାନର ସେ ସମୀକ୍ଷା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ଶ୍ରୀ ଚୌହାନ ୧୦ ତାରିଖ ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ। ଏହା ପରେ ଖୋର୍ଦ୍ଧାର ଗୀତା ଭବନ ପଡ଼ିଆରେ ଆୟୋଜିତ ସଦସ୍ୟତା ଅଭିଯାନରେ ସେ ଯୋଗ ଦେବେ। ସେଠାରେ ଶ୍ରୀ ଚୌହାନ ସମସ୍ତଙ୍କୁ ସଦସ୍ୟ କରାଇବା ସହ ଓଡ଼ିଶା ପ୍ରଦେଶର ସକ୍ରିୟ ସଦସ୍ୟତା ଗ୍ରହଣ କରିବେ। ସଂଧ୍ୟାରେ ସେ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୧୧ ତାରିଖ ସକାଳେ ଶ୍ରୀ ଚୌହାନ ଗଣମାଧ୍ୟମକୁ ସମ୍ୱୋଧିତ କରିବେ।