ଜଙ୍ଗଲ ଜମିରେ ‘ଫର୍ଚ୍ୟୁନ ଟାୱାର’: ୧୯ବର୍ଷ ପରେ ଫରେଷ୍ଟ କ୍ଲିଅରାନ୍ସ ପାଇଁ ଆବେଦନ କଲା ଇଡକୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ  ଇଡକୋର ବ୍ୟୟବହୁଳ ‘ଫର୍ଚ୍ୟୁନ ଟାୱାର’ ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଛି। ଏହି ‘ଫୁର୍ଚ୍ୟନ ଟାୱାର’କୁ ଫରେଷ୍ଟ କ୍ଲିଅରାନ୍ସ ପ୍ରଦାନ ନିମନ୍ତେ ଇଡକୋ କର୍ତ୍ତୃପକ୍ଷ ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ବିଧିବଦ୍ଧ ଆବେଦନ କରିଛନ୍ତି। ତେବେ ଦୀର୍ଘ ୧୯ବର୍ଷ ପରେ ଫରେଷ୍ଟ କ୍ଲିଅରାନ୍ସ ପାଇବା ପାଇଁ ଆବେଦନ କରିଥିବା ଇଡକୋକୁ ଏତେ ବର୍ଷ ବିଳମ୍ବରେ ଏହା ମିଳିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ମିଳିଥିବା […]

689

Ordigital Desk
  • Published: Tuesday, 17 August 2021
  • , Updated: 17 August 2021, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ  ଇଡକୋର ବ୍ୟୟବହୁଳ ‘ଫର୍ଚ୍ୟୁନ ଟାୱାର’ ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଛି। ଏହି ‘ଫୁର୍ଚ୍ୟନ ଟାୱାର’କୁ ଫରେଷ୍ଟ କ୍ଲିଅରାନ୍ସ ପ୍ରଦାନ ନିମନ୍ତେ ଇଡକୋ କର୍ତ୍ତୃପକ୍ଷ ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ବିଧିବଦ୍ଧ ଆବେଦନ କରିଛନ୍ତି। ତେବେ ଦୀର୍ଘ ୧୯ବର୍ଷ ପରେ ଫରେଷ୍ଟ କ୍ଲିଅରାନ୍ସ ପାଇବା ପାଇଁ ଆବେଦନ କରିଥିବା ଇଡକୋକୁ ଏତେ ବର୍ଷ ବିଳମ୍ବରେ ଏହା ମିଳିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ମୋଟ ୫୯ କୋଟି ଟଙ୍କା ବ୍ୟୟରେ ୨୦୦୨ ମସିହାରେ ଫର୍ଚ୍ୟୁନ ଟାୱାର ନିର୍ମାଣ କରିଥିବା ଇଡକୋ କର୍ତ୍ତୃପକ୍ଷ ଏବେ ଜଙ୍ଗଲ ଆଇନ-୧୯୮୦ର ଧାରା-୨ ଅନ୍ତର୍ଗତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଆବେଦନ କରିଛନ୍ତି। ଫର୍ଚ୍ୟୁନ ଟାୱାର ନିର୍ମାଣ ହୋଇଥିବା ମୋଟ ୩.୬୧୪ ଏକର ଜମିର କିସମ ପରିବର୍ତ୍ତନ ପାଇଁ ଇଡକୋର ମୁଖ୍ୟ ଜେନେରାଲ ମ୍ୟାନେଜର(ଲ୍ୟାଣ୍ଡ) ବିଜୟ କୁମାର ଦାଶ ଆବେଦନ କରିଥିବା ଜଣାପଡ଼ିଛି। ଫର୍ଚ୍ୟୁନ ଟାୱାର ନିର୍ମାଣର ଦୀର୍ଘ ୧୯ବର୍ଷ ପରେ ୨୦୨୧ ଜାନୁୟାରୀ ୧୯ତାରିଖରେ ଇଡକୋ କର୍ତ୍ତୃପକ୍ଷ ଏହି ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଫରେଷ୍ଟ କ୍ଲିଅରାନ୍ସ ମିଳିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ‘ଫର୍ଚ୍ୟୁନ ଟାୱାର’ର ନିର୍ମାଣ ଜଙ୍ଗଲ ଜମିରେ ବେଆଇନ ଭାବେ ହୋଇଥିବା ନେଇ ୨୦୧୨ ସେପ୍ଟେମ୍ବର ମାସରେ ତତକାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାରେ ସୂଚନା ଦେଇଥିଲେ। ୧୯୮୦ ମସିହା ପରେ ଏହି ଜଙ୍ଗଲ ଜମିରେ ନିର୍ମାଣ ଓ ଅଣଜଙ୍ଗଲ ଗତିବିଧି ହୋଇଛି ଓ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା -୨ ଅନ୍ତର୍ଗତ ଏହି ଜଙ୍ଗଲ ଜମିରେ ଯେକୌଣସି କାର୍ଯ୍ୟ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ଜରୁରୀ। ଭୁବନେଶ୍ୱରରେ ଥିବା ଜଙ୍ଗଲ ଜମିରେ ବେଆଇନ ନିର୍ମାଣ ହୋଇଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ କମିଟି ଗଠନ ହୋଇଛି ବୋଲି ଶ୍ରୀ ରାଉତରାୟ ସେତେବେଳେ ଏକ ଲିଖିତ ଉତ୍ତରରେ ବିଧାନସଭାରେ କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ, ରାଜସ୍ୱ ବିଭାଗ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ ଓ ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ କମିଟିକୁ ୨ମାସ ମଧ୍ୟରେ ତାଙ୍କର ରିପୋର୍ଟ ଜଙ୍ଗଲ ଓ ପରିବେଶ ବିଭାଗରେ ଦାଖଲ କରିବାକୁ କୁହାଯାଇଛି। ତେବେ ଏହି ରିପୋର୍ଟ ଏବେ କେଉଁଠି ତା’ ଆଧାରରେ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ତାହା କେହି ଜାଣିପାରିଲେ ନାହିଁ। ଓଲଟା ଜଙ୍ଗଲ ମନ୍ତ୍ରୀ ୨୦୧୨ ମସିହାରେ ଏହି ସୂଚନା ଦେବାର ପ୍ରାୟ ୯ବର୍ଷ ପରେ ଇଡକୋ କର୍ତ୍ତୃପକ୍ଷ ‘ଫର୍ଚ୍ୟୁନ ଟାୱାର’ ପ୍ରକଳ୍ପକୁ ଫରେଷ୍ଟ କ୍ଲିଅରାନ୍ସ ଦେବାକୁ ବିଧିବଦ୍ଧ ଆବେଦନ କରିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଇଡକୋ କର୍ତ୍ତୃପକ୍ଷ ଜାଣିଶୁଣି ଜଙ୍ଗଲ ଜମିରେ ଏହି ଫର୍ଚ୍ୟୁନ ଟାୱାରର ନିର୍ମାଣ କରିଥିଲେ। ଏହି ନିର୍ମାଣର ପ୍ରାୟ ୬ବର୍ଷ ପରେ ଜଙ୍ଗଲ ଜମି ‘କ୍ଷତିପୂରଣ ବନୀକରଣ’ ନିମନ୍ତେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ କମଙ୍ଗା ଗାଁରେ ୨.୯୨୬ ହେକ୍ଟର ଜମିକୁ ଚିହ୍ନଟ କରିଥିଲେ। ଟାଙ୍ଗୀ-ଚୌଦ୍ୱାର ତହସିଲଦାର ୨୦୦୮ ଡିସେମ୍ବର ୩ତାରିଖରେ ଏହି ଜମିରେ ବନୀକରଣ ପାଇଁ ମଧ୍ୟ ଇଡକୋ କର୍ତ୍ତୃପକ୍ଷଙ୍କୁ ଅନୁମତି ଦେଇଥିଲେ। ଜଙ୍ଗଲ ବିଭାଗ ମଧ୍ୟ ଏଥିପାଇଁ ସବୁଜ ସଙ୍କେତ ଦେଇଥିଲା।

ତେବେ ପ୍ରଶ୍ନ ଉଠୁଛି, ଯଦି ‘ଫର୍ଚ୍ୟୁନ ଟାୱାର’ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ନେଇ ଇଡକୋ କର୍ତ୍ତୃପକ୍ଷ ସେବେଠୁ ସଚେତନ ଥିଲେ ତା’ହେଲେ ଏତେବର୍ଷ ଧରି ଫରେଷ୍ଟ କ୍ଲିଅରାନ୍ସ ପାଇଁ କାହିଁକି ଆବେଦନ କରୁନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Related story