Advertisment

Naxal Surrender: ୪ ନକ୍ସଲଙ୍କ ଆତ୍ମସମର୍ପଣ

author-image
Jitendra Garnayak
Naxal

ଆତ୍ମସମର୍ପଣ କରିଥିବା ନକ୍ସଲ

କନ୍ଧମାଳ ପୁଲିସ ନିକଟରେ ଶୁକ୍ରବାର ୪ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଚାରି ଜଣ ଯାକ ଛତିଶଗଡ଼ର ବାସିନ୍ଦା। ସେମାନେ ନକ୍ସଲଙ୍କ କେକେବିଏନ୍ ଡିଭିଜନ୍‌ରେ କାର୍ଯ୍ୟ କରୁଥିଲେ।

Advertisment

ଆତ୍ମସମର୍ପଣ କରିଥିବା ଏହି ନକ୍ସଲମାନେ ହେଉଛନ୍ତି ଗଙ୍ଗା କୁଞ୍ଜାମୀ ଓରଫ ଜୀତେନ (୨୪), ମୁଚାକି ମାସେ ଓରଫ ସୁମିତ୍ରା (୨୩), ଚୋମାଲି କୁଞ୍ଜାମ ଓରଫ ସାନ୍ତିଲା (୨୧) ଓ ବଣ୍ଡି ମାଡଭି (୨୨)। ସେମାନେ ବନ୍ଧୁକ, ଗୁଳି, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ସହିତ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଓ କନ୍ଧମାଳ ଏସ୍‌ପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। 

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ପୁଲିସକୁ ୪ଟି ବନ୍ଧୁକ ହସ୍ତାନ୍ତର କରିଛନ୍ତି। ଏହି ବନ୍ଧୁକଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ଏସ୍‌ଏଲ୍‌ଆର ରାଇଫଲ, ୨ଟି .୩୦୩ ରାଇଫଲ ଓ ଗୋଟିଏ ୧୨ ବୋର୍ ଗନ୍। ସେହିଭଳି ସେମାନେ ମୋଟ ୪୨ଟି ଗୁଳି ହସ୍ତାନ୍ତର କରିଥିଲେ। 

Advertisment

ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ଏହି ୪ ନକ୍ସଲଙ୍କୁ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି। ବୌଦ୍ଧ ଜିଲ୍ଲା ନକ୍ସଲ ମୁକ୍ତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ଅନ୍ୟ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ଆଇଜି।   

କୋରାପୁଟ ପୁଲିସ ନିକଟରେ ଗତକାଲି ଆତ୍ମସମର୍ପଣ କରିଥିଲେ ମହିଳା ନକ୍ସଲ ମମତା ପୋଡିଆମି ଓରଫ ମମିତା ଓରଫ ସୋନି। ଏହା ପରେ କୋରାପୁଟ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ।

ଅନ୍ୟପକ୍ଷରେ ଆଜି ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାରେ ଥିବା ଅବୁଝମାଡର ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ମହାରାଷ୍ଟ୍ର ପୁଲିସ୍‌ର ସ୍ୱତନ୍ତ୍ର କମାଣ୍ଡୋ ୟୁନିଟ୍ ସି୬୦ ଦ୍ୱାରା ଏହି ଅପରେସନ କରାଯାଇଥିବା ବେଳେ ଏହାର ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।