ଭୁବନେଶ୍ୱର: ୪ ସପ୍ତାହ ମଧ୍ୟରେ ପୁଣି ଥରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଅସମ୍ଭବ । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ-ସିବିଏସଇ।ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ସିବିଏସଇ ପକ୍ଷରୁ କୁହାଯାଇଛି ବୋର୍ଡ ଆହୁରି ୭ଟି ପରୀକ୍ଷା ପରିଚାଳନା କାମ ନେଇ ବ୍ୟସ୍ତ ଅଛି । ତେଣୁ ୪ ସପ୍ତାହ ମଧ୍ୟରେ ଏଆଇପିଏମଟି ପରୀକ୍ଷା କରାଇବା ସମ୍ଭବ ନୁହେଁ । ପରୀକ୍ଷା କରିବା ଲାଗି ଅତିକମରେ ୩ ମାସ ସମୟ ଲୋଡିଛି ସିବିଏସ୍ଇ । ସର୍ବୋଚ୍ଚ ଅଦାଲତ ବୋର୍ଡର ପିଟିସନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଏହା ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଗତ ୧୫ ତାରିଖରେ ସୁପ୍ରିମକୋର୍ଟ ଚଳିତବର୍ଷର ଏଆଇପିଏମଟିକୁ ରଦ୍ଦ କରିବା ସହ ୪ ସପ୍ତାହ ମଧ୍ୟରେ ପୁଣି ଥରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।