ବସ୍‌ କଣ୍ଡକ୍ଟରରୁ ରାଉରକେଲା ଏସ୍‌ପି; ପଢ଼ନ୍ତୁ ସୁବ୍ରମଣିଙ୍କ ସଂଘର୍ଷର କାହାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟିଲ୍‌ସିଟି ରାଉରକେଲାର ନୂଆ ଏସ୍‌ପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନିଯୁକ୍ତି ମିଳିଛି। ଦୁଇ ଦିନ ତଳେ ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଅଦଳବଦଳ କରିବା ପରେ ୨୦୦୯ ବ୍ୟାଚ୍‌ର ଏହି ଅଫିସର୍‌ଙ୍କୁ ମିଳିଛି ରାଉରକେଲା ଭଳି ସହରର ଗୁରୁ ଦାୟିତ୍ୱ। ହେଲେ ଏସ୍‌ପି ଶିବ ସୁବ୍ରମଣିଙ୍କ ଏହି ଜୟଯାତ୍ରା ପଛରେ ରହିଛି କଠିନ ସଂଘର୍ଷର କାହାଣୀ। ପାଠ ପଢ଼ିବା ସହ ନିଜ ପରିବାର ଚଳେଇବା ପାଇଁ ସେ ଯେଉଁ ସଂଘର୍ଷ କରିଥିଲେ, […]

j-900

Tapas Behera
  • Published: Wednesday, 21 August 2019
  • , Updated: 21 August 2019, 05:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟିଲ୍‌ସିଟି ରାଉରକେଲାର ନୂଆ ଏସ୍‌ପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନିଯୁକ୍ତି ମିଳିଛି। ଦୁଇ ଦିନ ତଳେ ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଅଦଳବଦଳ କରିବା ପରେ ୨୦୦୯ ବ୍ୟାଚ୍‌ର ଏହି ଅଫିସର୍‌ଙ୍କୁ ମିଳିଛି ରାଉରକେଲା ଭଳି ସହରର ଗୁରୁ ଦାୟିତ୍ୱ। ହେଲେ ଏସ୍‌ପି ଶିବ ସୁବ୍ରମଣିଙ୍କ ଏହି ଜୟଯାତ୍ରା ପଛରେ ରହିଛି କଠିନ ସଂଘର୍ଷର କାହାଣୀ। ପାଠ ପଢ଼ିବା ସହ ନିଜ ପରିବାର ଚଳେଇବା ପାଇଁ ସେ ଯେଉଁ ସଂଘର୍ଷ କରିଥିଲେ, ତାହା ଶୁଣିଲେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ।

ସୁବ୍ରମଣିଙ୍କ ଯାତ୍ରା ଆରମ୍ଭ ହୋଇଥିଲା ତାମିଲନାଡ଼ୁ ରାଜ୍ୟର ଏକ ଉପାନ୍ତ ଗାଁରୁ। ଗାଁ ସ୍କୁଲରୁ ଦଶମ ପାସ୍‌ କରିବା ପରେ ସେ ଆଇଟିଆଇ କରି ଚାକିରି କରିବାକୁ ସ୍ଥିର କରିଥିଲେ। ଆଇଟିଆଇରେ ‘ଫିଟର୍‌’ ବିଭାଗରେ ନାମ ଲେଖାଇ ଥିଲେ। ସେଠାରୁ ପାସ୍ କରିବା ପରେ ସେ ‘ଅଶୋକ ଲେଲ୍ୟାଣ୍ଡ’ରେ ମେକାନିକ୍‌ ଭାବେ ଚାକିରି ଆରମ୍ଭ କରିଥିଲେ। ହେଲେ ସେଥିରୁ ତାଙ୍କୁ ଯେଉଁ ପାରିଶ୍ରମିକ ମିଳୁଥିଲା, ସେଥିରେ ଚଳିବା ସମ୍ଭବ ନଥିଲା।  ତେଣୁ ସେ ସାମୟିକ ଭାବେ ବସ୍‌ କଣ୍ଡକ୍ଟର ଭାବେ କାମ କଲେ। ଆଉ ତା’ ସହିତ ଗାଁରେ ଚାଷ ବି କଲେ। ହେଲେ ଏ ସବୁ ସଂଘର୍ଷ ମଧ୍ୟରେ ସେ ପାଠପଢ଼ା ଛାଡ଼ି ନଥିଲେ। ତା’ ଭିତରେ ସେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ ଓ ପଢ଼ା ଜାରି ରଖିଥିଲେ। ପରେ ତାଙ୍କୁ ରେଲୱେ ୱାର୍କସପ୍‌ରେ ଟେକ୍ନିସିଆନ୍‌ ଭାବେ ନିଯୁକ୍ତି ମିଳିଥିଲା। ଏହା ପରେ ତିରୁଚିରାପଲ୍ଲୀ ଷ୍ଟେସନ୍‌ରେ ତାଙ୍କ ଜୀବନ ଆଗେଇ ଚାଲିଲା।  ହେଲେ ଏତିକିରେ ସନ୍ତୁଷ୍ଟ ହୋଇ ସେ ବସି ଯାଇ ନଥିଲେ। ନିଜ ଦକ୍ଷତାର ସଠିକ୍ ଉପଯୋଗ କରିବା ପାଇଁ ସେ ପଢ଼ାପଢ଼ି ଜାରି ରଖିଥିଲେ ଓ ସିଭିଲ୍ ସର୍ଭିସ୍ ପାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

ଅକ୍ଲାନ୍ତ ପରିଶ୍ରମ କରି ସୁବ୍ରମଣି ଦେଇ ଚାଲିଲେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା। ଥରକୁ ଥର ଅକୃତକାର୍ଯ୍ୟ ହେବା ସତ୍ତ୍ୱେ ସେ ହାର୍ ମାନି ନଥିଲେ ଓ ଷଷ୍ଠ ପ୍ରୟାସରେ କୃତକାର୍ଯ୍ୟ ହୋଇଥିଲେ।  ଆଉ ଏହି ସଫଳତା ବଦଳାଇ ଦେଇଥିଲା ତାଙ୍କ ଜୀବନ। ପରିଶ୍ରମର ଫଳ ସ୍ୱରୂପ ସୁବ୍ରମଣି ହେଲେ ଆଇପିଏସ୍‌ ଅଫିସର୍‌। ରାଉରକେଲା ପୂର୍ବରୁ ସୁବ୍ରମଣି ବଲାଙ୍ଗିରରେ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିବା ସୁବ୍ରମଣିଙ୍କ ଜୀବନ କଥା ଅନ୍ୟମାନଙ୍କ ପାଇଁ ଯେ ପ୍ରେରଣା ପାଲଟିବ, ସେଥିରେ କୌଣସି ସନ୍ଦେହ ନାହିଁ।

Related story