ପ୍ରତୀକ୍ଷାର ଅନ୍ତ: ୨ ବର୍ଷ ପରେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଦୀର୍ଘ ଦୁଇବର୍ଷ ଦୁଇମାସ ପରେ ଆସନ୍ତାକାଲିଠାରୁ ପୁଣି ଖୋଲିବ ଶ୍ରୀମନ୍ଦିର ଜଗମୋହନ। ଅତି ନିକଟରୁ ନହେଲେ ବି ଭିତରକାଠ ପାଖରୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ। ହାଇକୋର୍ଟଙ୍କ କଡ଼ା ତାଗିଦ ପରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳି କରିଛି ଶ୍ରୀମନ୍ଦିର ପ୍ରଶାସନ। ଆଉ କିଛି ଘଣ୍ଟା ପରେ କମିବାକୁ ଯାଉଛି ଭକ୍ତ-ଭଗବାନଙ୍କ ଭିତରେ ଥିବା ଦୂରତା। କାଳିଆର ଆହୁରି ପାଖକୁ ଯାଇ ଆଖି ପୁରେଇ ଦେଖି ପାରିବେ, […]

puri-temple

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 08:54 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଦୀର୍ଘ ଦୁଇବର୍ଷ ଦୁଇମାସ ପରେ ଆସନ୍ତାକାଲିଠାରୁ ପୁଣି ଖୋଲିବ ଶ୍ରୀମନ୍ଦିର ଜଗମୋହନ। ଅତି ନିକଟରୁ ନହେଲେ ବି ଭିତରକାଠ ପାଖରୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ। ହାଇକୋର୍ଟଙ୍କ କଡ଼ା ତାଗିଦ ପରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳି କରିଛି ଶ୍ରୀମନ୍ଦିର ପ୍ରଶାସନ।

ଆଉ କିଛି ଘଣ୍ଟା ପରେ କମିବାକୁ ଯାଉଛି ଭକ୍ତ-ଭଗବାନଙ୍କ ଭିତରେ ଥିବା ଦୂରତା। କାଳିଆର ଆହୁରି ପାଖକୁ ଯାଇ ଆଖି ପୁରେଇ ଦେଖି ପାରିବେ, ଦୁଃଖ ଜଣାଇ ପାରିବେ ଭକ୍ତ। କାରଣ ଆସନ୍ତାକାଲିଠାରୁ ଜଗମୋହନ ଖୋଲୁଛି। ଭିତରକାଠ ପାଖରୁ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ସକାଳଧୂପ ପରେ ଜଗମୋହନକୁ ଭକ୍ତଙ୍କୁ ଛଡାଯିବ। ଫଳରେ ପୂର୍ବଭଳି ଭିତରକାଠ ପାଖରୁ ତିନି ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ।

ତେବେ ନୀତିକାନ୍ତି ସମୟରେ ଜଗମୋହନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଲଭ ନୀତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ଜୟବିଜୟ ଦ୍ୱାର ଦେଇ ଭକ୍ତ ଜଗମୋହନ ପ୍ରବେଶ କରିବା ପରେ ବେହରଣ ଦ୍ୱାର ଦେଇ ଫେରିବାର ବ୍ୟବସ୍ଥା କରାଯାଇଛି। ଦୁଇବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ସୂଚନାଯୋଗ୍ୟ, ୨୦୧୬ ମସିହା ଜାନୁଆରୀ ମାସରୁ ଏଏସ୍ଆଇ ପକ୍ଷରୁ ଜଗମୋହନ ମରାମତି କାମ ଆରମ୍ଭ ହେବା ପରଠାରୁ ବନ୍ଦ ଥିଲା ଜଗମୋହନ ଦର୍ଶନ। ବାହାରକାଠ ପାଖରୁ ହିଁ ଦର୍ଶନ କରୁଥିଲେ ଭକ୍ତ।

ତେବେ ସାହାଣମେଲା ଦର୍ଶନ ଅର୍ଥାତ୍ ଗର୍ଭଗୃହରେ ଦର୍ଶନ ବ୍ୟବସ୍ଥାକୁ ବାରଣ କରାଯାଇଛି। ଏପରିକି କେବଳ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ ସେବାୟତଙ୍କ ଗର୍ଭଗୃହ ପ୍ରବେଶ ଉପରେ କଟକଣା କରାଯାଇଛି। ଯାହାକୁ ନେଇ ଛତିଶା ନିଯୋଗ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହାର ପୁନର୍ବିଚାର ଆବଶ୍ୟକ ବୋଲି ଛତିଶା ନିଯୋଗ ପକ୍ଷରୁ କୁହାଯାଇଛି।

Related story