ଜିଲ୍ଲା ଫଳ, ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର ପାଲଟିଲା ଭୂତକୋଠି

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଫଳ, ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର ପାଲଟିଲା ଭୂତକୋଠି। କୃଷି ଓ କୃଷକଙ୍କ ଦକ୍ଷତା ବିକାଶ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି କୋଠା ନିର୍ମାଣ କରାଯାଇଥିଲା। ହେଲେ ଅସଲ ଉଦ୍ଦେଶ୍ୟ ମୂଲ୍ୟହୀନ ହୋଇଯାଇଛି। ସରକାରୀ ମାଲ୍ ଦରିଆରେ ଡାଲ ନୀତିରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି। ଯାହାକୁ ନେଇ ଭଦ୍ରକ ଜିଲ୍ଲାର ଚାଷୀ ଓ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କେନ୍ଦ୍ର ଚଳାଇବା ନିମନ୍ତେ […]

trannig

  • Published: Monday, 02 January 2023
  • , Updated: 02 January 2023, 07:10 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଫଳ, ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର ପାଲଟିଲା ଭୂତକୋଠି। କୃଷି ଓ କୃଷକଙ୍କ ଦକ୍ଷତା ବିକାଶ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି କୋଠା ନିର୍ମାଣ କରାଯାଇଥିଲା। ହେଲେ ଅସଲ ଉଦ୍ଦେଶ୍ୟ ମୂଲ୍ୟହୀନ ହୋଇଯାଇଛି। ସରକାରୀ ମାଲ୍ ଦରିଆରେ ଡାଲ ନୀତିରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି। ଯାହାକୁ ନେଇ ଭଦ୍ରକ ଜିଲ୍ଲାର ଚାଷୀ ଓ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କେନ୍ଦ୍ର ଚଳାଇବା ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଦୁଇ ମହଲା ବିଶିଷ୍ଟ ଘର କରାଯାଇଛି। ହେଲେ ପ୍ରଯତ୍ନ ଅଭାବରୁ ଏହି ଫଳ ଓ ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର ଘର କାନ୍ଥରେ ଉଇ ହୁଙ୍ଗା ମାଡ଼ିଗଲାଣି। ସେପଟେ ଜିଲ୍ଲାର ଅଧିକାଂଶ ଚାଷୀ ଓ କୃଷିଜାତ ସାମଗ୍ରୀ ବ୍ୟବସାୟୀ ଏହି କେନ୍ଦ୍ର ବିଷୟରେ ଜାଣନ୍ତି ନାହିଁ।

ପନିପରିବା ଚାଷୀ ଓ ଫଳ ଚାଷୀମାନେ ଏଠାରେ ତାଲିମ ନେଇପାରିଲେ ବହୁ ମାତ୍ରରେ ଉପକୃତ ହୋଇପାରନ୍ତେ। ମାତ୍ର ସରକାରଙ୍କ ଅର୍ଦ୍ଧାଧିକ ଯୋଜନା ବେକାର ହୋଇପଡ଼ିଲା ଭଳି ପନିପରିବା ଏହି ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର କରାଯିବା ଯୋଜନା ଏଠାରେ ମୂଲ୍ୟହୀନ ହୋଇଛି। ଅତୀତରେ କିଛି ଚାଷୀଙ୍କୁ ନେଇ ଏଠାରେ ଗୋଟିଏ କିମ୍ବା ଦୁଇଟି ବୈଠକ ଆୟୋଜନ କରିଥିଲା ଉଦ୍ୟାନ ବିଭାଗ।

ପରିବା ବ୍ୟବସାୟୀ ବାବୁ ଦାସ ଓ ଗୋପାଳ ମହାନ୍ତି କହିଛନ୍ତି, ଚାଷର ବିକାଶ ନିମନ୍ତେ ସରକାର ଚାଷ ଉପକରଣରେ ରିହାତି ସହ ବୈଷୟିକ ସହଯୋଗ ଓ ଦକ୍ଷତା ପାଇଁ ତାଲିମର ବ୍ୟବସ୍ଥା କରିଛନ୍ତି। ଅନେକ ଜିଲ୍ଲାରେ କୃଷିଜାତ ସାମଗ୍ରୀର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର କରିଛନ୍ତି। ଫଳ ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର ମଧ୍ୟ ଖୋଲିଛି। କିନ୍ତୁ ଭଦ୍ରକ ଜିଲ୍ଲାର ଅବସ୍ଥା ଏବେ ନକହିବା ଭଲ। ଭଦ୍ରକ ଜିଲ୍ଲାର ଚାଷୀ କିମ୍ବା କୃଷିଜାତ ସାମଗ୍ରୀ ବ୍ୟବସାୟୀଙ୍କ ପାଖରେ କୌଣସି ପ୍ରକାର ତାଲିମ ପହଞ୍ଚି ପାରୁନି। ତେଣୁ ଚାଷୀ ଓ ବ୍ୟବସାୟୀ ଉଭୟ କମ୍‌ ଦରରେ କୃଷିଜାତ ସାମଗ୍ରୀ ବିକ୍ରି କରୁଛନ୍ତି। ବିକ୍ରି ନ ହୋଇ ଅନେକ କୃଷିଜାତ ସାମଗ୍ରୀ ନଷ୍ଟ ହୋଇଯାଉଛି। କୃଷିଜାତ ଦ୍ରବ୍ୟକୁ ଅନ୍ୟ କେଉଁ ଉପାୟରେ ବ୍ୟବହାର ଓ ସଂରକ୍ଷଣ କଲେ ଚାଷୀ ତଥା ବ୍ୟବସାୟୀଙ୍କୁ ଅଧିକ ଆୟ ମିଳିପାରିବ ସେନେଇ ତାଲିମ ମିଳିପାରିଲେ ସମସ୍ତେ ଲାଭବାନ ହୋଇପାରନ୍ତେ।

ଫଳ ବ୍ୟବସାୟୀ ଝାଡେଶ୍ୱର ମଣ୍ଡଳ କହିଛନ୍ତି, ଭଦ୍ରକ ଜିଲ୍ଲା ଫଳ ଏବଂ ପନିପରିବା ପ୍ରକ୍ରିୟାକରଣ ତଥା ସଂରକ୍ଷଣ ତାଲିମ କେନ୍ଦ୍ର ୩ ବର୍ଷ ହେଲାଣି ହୋଇଛି ସତ, କିନ୍ତୁ ଏହାର ଲାଭ କାହାରିକୁ ମିଳୁନି। ଏହି କେନ୍ଦ୍ର ଭୂତକୋଠି ହୋଇପଡ଼ିଛି। ସ୍ଥାନୀୟ ବ୍ୟବସାୟୀ ରାଜ୍ୟ ବାହାରୁ ଫଳ ଅମଦାନି କରୁଛନ୍ତି। ଭଦ୍ରକରେ କୌଣସି ଶୀତଳଭଣ୍ଡାର ନ ଥିବାରୁ ରାଜ୍ୟ ବାହାରୁ ଆସୁଥିବା ଫଳକୁ ଭୁବନେଶ୍ୱର କିମ୍ବା କଟକ ଶୀତଳଭଣ୍ଡାରରେ ରଖିବାକୁ ବ୍ୟବସାୟୀ ବାଧ୍ୟ ହେଉଛନ୍ତି। ଫଳ ଓ ପନିପରିବା ସଂରକ୍ଷଣ ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ତାଲିମ ଦିଆଗଲେ ସମସ୍ତ ଚାଷୀ ତଥା ବ୍ୟବସାୟୀ ଉପକୃତ ହୁଅନ୍ତେ।

ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡକ୍ଟର କନ୍ଦ ଜେନା କହିଛନ୍ତି, ପୂର୍ବରୁ ଏହି ତାଲିମ କେନ୍ଦ୍ର ଚାଲୁଥିଲା। ହେଲେ ଏବେ ତାଲିମ କେନ୍ଦ୍ରର ପରିଚାଳନା ପାଇଁ କର୍ମଚାରୀଙ୍କର ଅଭାବ ରହିଛି। ସେଥିପାଇଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଠାରେ ଏବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ କାର୍ଯ୍ୟାଳୟ ଚାଲିବାକୁ ସରକାରୀ ନିର୍ଦ୍ଦେଶ ଆସିଛି। ତେଣୁ ଏହି ତାଲିକ କେନ୍ଦ୍ରକୁ ହଟାଇ ଦିଆଯିବ।

Related story