ପୁରୀ/ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଦରିଆପାରି ଭକ୍ତଙ୍କୁ ମିଳୁ ଚକାନୟନଙ୍କ ସହ ଆଖି ମିଳାଇବାର ସୁଯୋଗ। କେହିି ବିଦେଶୀ ଯଦି ଶଙ୍କରାଚାର୍ଯ୍ୟ, ସେବାୟତ ଓ ଗଜପତିଙ୍କୁ ଭେଟି ପାରୁଛନ୍ତି, ତେବେ ସେମାନଙ୍କୁ ଚକାନୟନ ସହ ଆଖି ମିଳାଇବାକୁ ଦିଆଯାଉ ଅନୁମତି। ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ପ୍ରସ୍ତାବ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏ ନେଇ ସେ ସେବାୟତ ମଣ୍ଡଳୀ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କୁ ନିବେଦନ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ପଦକ୍ଷେପ ପାଇଁ ପରାମର୍ଶ ବି ଦେଇଛନ୍ତି। ସେପଟେ ରାଜ୍ୟପାଳଙ୍କ ଏ ବ୍ୟକ୍ତିଗତ ମତକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା।
ତେବେ ପ୍ରଶ୍ନ ଉଠିଛି ଶ୍ରୀଜିଉଙ୍କ ଚକାନୟନ ସହ କେମିତି ଆଖି ମିଳାଇ ପାରିବେ ବିଦେଶୀ ଭକ୍ତ? ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଆଦୌ ପ୍ରଚଳିତ ନଥିଲେ ବି ଏଭଳି ଏକ ପ୍ରଥା ସମ୍ପର୍କରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ବିତର୍କ।
ଏପଟେ ରାଜ୍ୟପାଳଙ୍କ ଏ ନିବେଦନକୁ ସମ୍ମାନ ଦେବା ସହ ସକାରତ୍ମକ ଢଙ୍ଗରେ ନେଇଥିଲେ ବି ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ। ସେମାନଙ୍କ ମତରେ ଶ୍ରୀମନ୍ଦିରରେ ପ୍ରଚଳିତ ପ୍ରାଚୀନ ପରମ୍ପରା, ବିଧି ଓ ଅନୁଶାସନକୁ ବାଦ୍ ଦେବା ସମ୍ଭବ ନୁହେଁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ବିଦେଶୀ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଲାଳସା ପୂରଣ ପାଇଁ ନବଦିନାତ୍ମକ ଘୋଷଯାତ୍ରା ରହିଛି। ଶ୍ରୀମନ୍ଦିରରେ ପାଳିତ ପରମ୍ପରାକୁ ସମସ୍ତେ ପାଳିବା ଉଚିତ।
ମୁକ୍ତିମଣ୍ଡପ ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି, ରଥଯାତ୍ରା ସମୟରେ ବିଦେଶୀ ଭକ୍ତଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ଆଉ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରନ୍ତୁ। କିନ୍ତୁ ପ୍ରଚଳିତ ପରମ୍ପରାରେ ପରିବର୍ତ୍ତନ ଆଣିବା ଉଚିତ ନୁହେଁ।
ଏଣେ ରାଜ୍ୟପାଳଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ ନେତା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏକଦା ସମୟ ଥିଲା ଅଣହିନ୍ଦୁ ଓ ମୁସଲମାନେ ଆକ୍ରମଣ କରି ହିନ୍ଦୁ ମନ୍ଦିରଗୁଡ଼ିକୁ ଭାଙ୍ଗି ଦେଉଥିଲେ। ସେଥିପାଇଁ ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଥିଲା। ଏବେ ସମୟ ବଦଳିଛି। ତେଣୁ ମୁକ୍ତିମଣ୍ଡପ ସଦସ୍ୟଙ୍କୁ ଅନୁରୋଧ ଏହା ଉପରେ ଏକ ନୀତିଗତ ନିଷ୍ପତ୍ତି ନେବେ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଜଣେ ଭକ୍ତ ଭାବେ ରାଜ୍ୟପାଳ ତାଙ୍କ କଥା କହିଛନ୍ତି। କିନ୍ତୁ ଶ୍ରୀମନ୍ଦିରରେ ଯାହା ପରମ୍ପରା ରହିଛି, ତାହା ଭାଙ୍ଗିବାକୁ ଦିଆଯିବନି।
ତେବେ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଦେଇଥିବା ପ୍ରସ୍ତାବକୁ ଶ୍ରୀମନ୍ଦିର ସେବାୟତଙ୍କ ସମେତ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ନିଷ୍ପତ୍ତି ଉପରେ ଛାଡ଼ିଥିବା ବେଳେ ଏ ପ୍ରସଙ୍ଗରେ ଉଭୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପ୍ରତିକ୍ରିୟା ମିଳିପାରିନି।