ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ବହୁ କର୍ମଚାରୀ ଅସୁସ୍ଥ ହେବା ପରେ ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ଗୁରୁତର ୧୨ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି।
ଫ୍ୟାକ୍ଟ୍ରିରେ ଚିଙ୍ଗୁଡି ଫ୍ରିଜିଂ ଓ ପ୍ରୋସେସିଂ ନିମନ୍ତେ ବ୍ୟବହାର ହେଉଥିବା ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏହି ଘଟଣା ଘଟିଛି। ଅସୁସ୍ଥମାନଙ୍କୁ ଡାକ୍ତରଖାନା ଅଣାଯିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ଏନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲ ସିଂହ ଜଗଦେବ କହିଛନ୍ତି, ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସେ ସୂଚନା ପାଇଥିଲେ। ପ୍ଲାଣ୍ଟରେ ଥିବା ୨୮ ଜଣ କର୍ମଚାରୀ ଅସୁସ୍ଥ ହୋଇ ଖନ୍ତାପଡ଼ାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରୁ ଗୁରୁତର ଥିବା ୧୨ ଜଣଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଖନ୍ତାପଡ଼ା ଡାକ୍ତରଖାନାରୁ ଘରକୁ ଛାଡ଼ି ଦିଆଯାଇଛି। ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ମଧ୍ୟ ପହଞ୍ଚିଥିବା ଅସୁସ୍ଥମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି। ଚିକିତ୍ସାଧୀନ ସମସ୍ତ ବ୍ୟକ୍ତି ସୁସ୍ଥ ଅଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ନାହିଁ। ଯେହେତୁ ଅମୋନିଆ ଗ୍ୟାସ୍ ଲିକ୍ ପରିମାଣ ଖୁବ୍ କମ୍ ଥିଲା, ତେଣୁ ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ବିଶେଷ ପଡ଼ିନି। ଯେଉଁମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା କରାଯାଇଛି। ଆଇସିୟୁ ମଧ୍ୟ ପ୍ରସ୍ତୁତ ରହିଛି। ଆସନ୍ତାକାଲି ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରିବା ପରେ ସୁସ୍ଥ ଥିଲେ ଘରକୁ ଛାଡ଼ି ଦିଆଯିବ।
ଅନ୍ୟପକ୍ଷରେ ଏହି ଘଟଣା ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳିପାରିନି। ତେବେ ପ୍ଲାଣ୍ଟର ମେଣ୍ଟେନାନ୍ସ କାମ ଚାଲିଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି।
ସୂଚନା ଥାଉକି, ୨୦୧୯ ନଭେମ୍ବର ୧୩ ତାରିଖରେ ଖନ୍ତାପଡ଼ାର ପଣପଣା ପାଖରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ମଧ୍ୟ ଏଭଳି ଏକ ଅଘଟଣ ଘଟି ପ୍ରାୟ ଶହେ ଜଣ ଅସୁସ୍ଥ ହୋଇଥିଲେ।