ଖୋଲିନି ଶ୍ରୀମନ୍ଦିର; ଭକ୍ତ ନିରାଶ, ହାତ ଟେକିଦେଲା ପ୍ରଶାସନ

ପୁରୀ(ଓଡ଼ିଶା ରିପୋର୍ଟର):  ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର ଖୋଲିନାହିଁ। ତେଣୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ମଧ୍ୟ ଆରମ୍ଭ ହୋଇନାହିଁ। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। କାଲି ପୁଲିସ୍-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ମାଡ଼ରେ ସେବାୟତ ଆହତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି। ସମସ୍ୟାର ସମାଧାନ ପାଇଁ ସେବାୟତ ଓ  ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ବି ବିଫଳ […]

jagannathtemple

Tapaswini Nayak
  • Published: Friday, 28 December 2018
  • , Updated: 28 December 2018, 11:24 AM IST

ପୁରୀ(ଓଡ଼ିଶା ରିପୋର୍ଟର):  ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର ଖୋଲିନାହିଁ। ତେଣୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ମଧ୍ୟ ଆରମ୍ଭ ହୋଇନାହିଁ। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।

କାଲି ପୁଲିସ୍-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ମାଡ଼ରେ ସେବାୟତ ଆହତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।

ସମସ୍ୟାର ସମାଧାନ ପାଇଁ ସେବାୟତ ଓ  ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ବି ବିଫଳ ହୋଇଛି। ସେବାୟତ ସେମାନଙ୍କ ଜିଦ୍‌ରେ ଅଟଳ ଅଛନ୍ତି।

ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି, ଏ ଯାଏ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଜଗନ୍ନାଥ ଓପାସ ରହିବା ଓ ଭକ୍ତ ଫେରିଯିବା ଦ୍ୱାରା ବିଶ୍ୱକୁ ଭଲ ବାର୍ତ୍ତା ଯାଉନି। ଅତୀତରେ ଏଭଳି ସମସ୍ୟା ଉପୁଜିଛି। ଜଗନ୍ନାଥ ଏହାର ସମାଧାନ କରିବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ନୀତିକାନ୍ତି ସେବକଙ୍କ ବିବେକ ଉପରେ ଛଡ଼ାଗଲା। ବିବେକ ଅନୁସାରେ ସେବାୟତ ଯାହା ନିଷ୍ପତ୍ତି ନେବେ। ନୀତି  ସ୍ୱାଭାବିକ କରିବା ପାଇଁ ସେବାୟତଙ୍କ ସହ ତିନି ଥର କଥା ହୋଇଛି। ସେବାୟତଙ୍କ ମେଳି ଯୋଗୁ ନୀତିକାନ୍ତି ଆଗେଇ ପାରୁନି।
ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ସେବୟତ ମାନୁ ନାହାନ୍ତି। 

ଶ୍ରୀମନ୍ଦିରର ଭିତରକୁ ପ୍ରବେଶ ନେଇ ଗତକାଲି ପୁଲିସ୍‌ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଜଣେ ସେବାୟତ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନାଁ ଭବାନୀ ଶଙ୍କର ମହାପାତ୍ର।

ଏନେଇ ଭବାନୀ ନେଇ ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ପୁରୀ ସିଂହଦ୍ୱାର ନିକଟରେ ଭବାନୀଙ୍କୁ ଜଣେ ପୁଲିସ୍ କର୍ମଚାରୀ ଦୁର୍ବ୍ୟହାର କରିଥିଲେ। ଦୁଇ ଜଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବାକୁ ନେଇ ଭବାନୀ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା।  ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।  ଏହା ସହ କିଛି ପୁଲିସ୍ କର୍ମଚାରୀ ମିଶି ତାଙ୍କୁ ଆକ୍ରମଣ କରିଥିବା ଭାବନୀ କହିଛନ୍ତି।

ତେବେ ସେବାୟତ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ପୁଲିସ କର୍ମଚାରୀ ଅସ୍ୱୀକାର କରିଛନ୍ତି। ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ କରାଯିବ ବୋଲି ସିଂହଦ୍ୱାର ଥାନା ଆଇଆଇସି କହିଥିଲେ।

Related story