ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୩ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ। ଆଇଏଏସ୍ ଅନୀଲ କୁମାର ସାମଲ ଗତକାଲି ସରକାରୀ ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା। ଅବସର ପରେ ଶ୍ରୀ ସାମଲଙ୍କୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ଅଧ୍ୟକ୍ଷ ଓ କଟକ ମହାନଗର ନିଗମ ପ୍ରଶାସକ ଭାବେ ଥଇଥାନ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୋପବନ୍ଧୁ ଶତପଥୀ ନିଜର ଦାୟିତ୍ୱ ସହ କଟକ କେନ୍ଦ୍ରାଂଚଳ ରାଜସ୍ୱ କମିଶନର(ଆରଡିସି) ଦାୟିତ୍ୱ ତୁଲାଇବେ। ସେହିପରି ସମ୍ବଲପୁର ଉତ୍ତରାଂଚଳ ଆରଡିସିଙ୍କ ସଚିବ ଭିନସେଣ୍ଟ ପୁନମ ଏକ୍କାଙ୍କୁ ସମ୍ବଲପୁର ଆରଡିସି ଭାବେ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୀଲ ସାମଲଙ୍କ ଅବସର ଯୋଗୁ ଉତ୍ତରାଂଚଳ ଆରଡିସି ପଦବୀ ମଧ୍ୟ ଖାଲି ପଡ଼ିଛି । ଶ୍ରୀ ସାମଲ ଉଭୟ କେନ୍ଦ୍ରାଂଚଳ ଓ ଉତ୍ତରାଂଚଳ ଆରଡିସି ଭାବେ କାର୍ଯ୍ୟ କରୁଥିଲେ ।
ଏହା ବ୍ୟତୀତ ୧୯୯୯ ବ୍ୟାଚ୍ ଭାରତୀୟ ରେଳବାଇ ପର୍ସେନାଲ ସର୍ଭିସ(ଆଇଆରପିଏସ) ସାଗରିକା ପଟ୍ଟନାୟକଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସେ ୨୦୨୫ ଏପ୍ରିଲ ୨୨ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରରୁ ଡେପୁଟେସନରେ ଆସିଛନ୍ତି । ସେ କେନ୍ଦ୍ର ସରକାରଙ୍କ ପର୍ସେନାଲ ଆଣ୍ଡ ଟ୍ରେନିଂ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।