ଶିଶୁ ନିଖୋଜ ଘଟଣାର ଶ୍ୱେତପତ୍ର ଜାରି କରନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ତୁରନ୍ତ ଏ ନେଇ ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଦୁଇବର୍ଷର ଶିଶୁ ପିହୁ ୪ମାସ ତଳେ ନିଖୋଜ ହେବା ଘଟଣାରେ ପୁଲିସର ମନ୍ଥର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଚାଲିଯିବା ଉଚିତ୍ ବୋଲି କଂଗ୍ରେସ କହିଛି। ରାଜ୍ୟ କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ […]

congress

Manoranjan Sial
  • Published: Saturday, 12 December 2020
  • , Updated: 12 December 2020, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ତୁରନ୍ତ ଏ ନେଇ ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଦୁଇବର୍ଷର ଶିଶୁ ପିହୁ ୪ମାସ ତଳେ ନିଖୋଜ ହେବା ଘଟଣାରେ ପୁଲିସର ମନ୍ଥର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଚାଲିଯିବା ଉଚିତ୍ ବୋଲି କଂଗ୍ରେସ କହିଛି।

ରାଜ୍ୟ କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ ମହାପାତ୍ର ଓ ପଦ୍ମାକର ଗୁରୁ କହିଛନ୍ତି ଯେ, ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାସହ ଶିଶୁ ନିଖୋଜ ଘଟଣା ଉଗ୍ରରୂପ ଧାରଣ କରିଛି। ନୟାଗଡ଼ ପରୀ ହତ୍ୟା ମାମଲା ରାଜ୍ୟରେ ଝଡ଼ ସୃଷ୍ଟି କରିଥିବା ବେଳେ ପିହୁ ଘଟଣାରେ ବିଂଝାରପୁର ଥାନାଧିକାରୀ ଓ ଯାଜପୁର ଜିଲ୍ଲା ପୁଲିସ ଏସପିଙ୍କ ଶିଥିଳତା ଓ ମନ୍ଥର ତଦନ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ପ୍ରତିକ୍ରିୟା ଦେଖାଦେଇଛି। ତେଣୁ ପିହୁ ନିଖୋଜ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମାଧ୍ୟମରେ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଉଛି। ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଧିପାଟଣା ଗ୍ରାମର ସଂଜୟ ସାହୁଙ୍କର ଝିଅ ସ୍ୱାତୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଛି। ଶିଶୁ ନିଖୋଜ ଘଟଣା ବୃଦ୍ଧି ପରୋକ୍ଷରେ ରାଜ୍ୟର ଶିଶୁମାନଙ୍କ ପ୍ରତି ଚରମ ଆକ୍ରମଣ ବୋଲି କଂଗ୍ରେସ କହିଛି। ରାଜ୍ୟ କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ମନୋଜ ମହାପାତ୍ର ବର୍ଣ୍ଣନା କରିଛନ୍ତି।

୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ଶିଶୁ ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା। ରାଜ୍ୟରେ ଶିଶୁମାନଙ୍କର ଏପରି ଅବସ୍ଥାପାଇଁ ଦାୟୀ କିଏ? ଏହା ପ୍ରମାଣ କରୁଛି ଯେ, ରାଜ୍ୟରେ ଅନାଥ ଓ ବିପନ୍ନ ଶିଶୁମାନଙ୍କର ଏକାଧିକ ଚାଲାଣ ର‌୍ୟାକେଟ୍ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଥିବାବେଳେ ପିସିସି ପ୍ରତିନିଧି ଦଳ ଆସନ୍ତା ୧୪ତାରିଖରେ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ, ରାଜ୍ୟ ଶିଶୁ ସୁରକ୍ଷାର ଅଧ୍ୟକ୍ଷା ଓ ଡିଜି ପୁଲିସଙ୍କୁ ସାକ୍ଷାତ କରି ଉଭୟ ଘଟଣାର ତ୍ୱରିତ ତଦନ୍ତ ଦାବି କରିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ଅମୀୟ ପାଣ୍ଡବ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଯାଜପୁରର ୨ବର୍ଷର ଝିଅ ନିଖୋଜ ଘଟଣାର ସରଜମିନ୍ ଯାଂଚ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରି ବ୍ଲକର ମଧୁସୂଦନପୁର ଗାଁକୁ ଯାଇ ପିହୁର ପରିବାରବର୍ଗଙ୍କୁ ଭେଟି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି।

Related story