କରୋନା ଟିକା ନେବା ପରେ ମଧ୍ୟ ସୃଷ୍ଟି ହେଉନି ଆଣ୍ଟିବଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର ଥିଲା ଟିକା। ହେଲେ ଏହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଲାଣି। କାରଣ କରୋନା ଟିକା ନେବା ପରେ ମଧ୍ୟ ସମସ୍ତଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି। ଯଦିଓ ରାଜ୍ୟରେ ଟିକାକରଣ ଭଲ ଭାବେ ଚାଲିଛି, ଟିକାର କାର୍ଯ୍ୟଦକ୍ଷତା ମାତ୍ର ୭୦ରୁ ୮୦% ରହୁଛି। କରୋନେ ଟିକା ନେଇଥିବା ୨୦ରୁ ୨୫% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି। ଏଭଳି ସ୍ଥିତିରେ ବୁଷ୍ଟର କିମ୍ବା ତୃତୀୟ […]

corona

Manoranjan Sial
  • Published: Saturday, 11 September 2021
  • , Updated: 11 September 2021, 08:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର ଥିଲା ଟିକା। ହେଲେ ଏହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଲାଣି। କାରଣ କରୋନା ଟିକା ନେବା ପରେ ମଧ୍ୟ ସମସ୍ତଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି। ଯଦିଓ ରାଜ୍ୟରେ ଟିକାକରଣ ଭଲ ଭାବେ ଚାଲିଛି, ଟିକାର କାର୍ଯ୍ୟଦକ୍ଷତା ମାତ୍ର ୭୦ରୁ ୮୦% ରହୁଛି। କରୋନେ ଟିକା ନେଇଥିବା ୨୦ରୁ ୨୫% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି। ଏଭଳି ସ୍ଥିତିରେ ବୁଷ୍ଟର କିମ୍ବା ତୃତୀୟ ଡୋଜ ଦିଆଯିବ କି ନାହିଁ, ସେ ସମ୍ପର୍କରେ ବିଚାର ବିମର୍ଶ କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଟ୍ରାଏଲ ମଧ୍ୟ ଚାଲିଛି।

ସେପଟେ ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା। ସେ କହିଛନ୍ତି,  ଅଗଷ୍ଟରୁ ସେପ୍ଟେମ୍ୱର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍‌ ସିକ୍ୱେନ୍ସିଂ ହୋଇଥିଲା। ସେଥିରୁ ୮୦ ପ୍ରତିଶତ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ତେବେ ଆଶ୍ୱସ୍ତିର ବିଷୟ, କୌଣସି ନୂଆ ମ୍ୟୁଟେସନ୍‌ ହୋଇଥିବା ଦେଖିବାକୁ ମିଳିନଥିବା ସେ କହିଛନ୍ତି।

ଏପଟେ ରାଜ୍ୟରେ କରୋନା ରୋଗୀଙ୍କୁ ଆଗୁଆ ଚିହ୍ନଟ ଲାଗି ସରକାର କରିଥିବା ୩ ମାସିଆ ଡୋର୍‌-ଟୁ-ଡୋର୍‌ ସର୍ଭେ ବେଳେ ବହୁ ଯକ୍ଷ୍ମା, ମଧୁମେହ, କୁଷ୍ଠ ଓ ଉଚ୍ଚ ରକ୍ତଚାପ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ମେ ୨୪ରୁ ଅଗଷ୍ଟ ୨୩ ତାରିଖ ଯାଏଁ ୯୫ ଲକ୍ଷ ୧୮ ହଜାର ଘରକୁ ଘର ବୁଲି ସର୍ଭେ କରାଯାଇଛି। ସର୍ଭେ ସମୟରେ ୧୬ ଲକ୍ଷ ୪୯ ହଜାର ଲକ୍ଷଣଯୁକ୍ତ ଲୋକଙ୍କ ଆଣ୍ଟିଜେନ ଓ ଆର୍‌ଟିପିସିଆର ପରୀକ୍ଷା କରାଯାଇଛି। ସେଥିରୁ ୨ ଲକ୍ଷ ୪ ହଜାର ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାସହ ୫୬ ହଜାର ୫୫୨ ଜଣଙ୍କଠାରେ ମଧୁମେହ, ୭ ହଜାର ୩୯୯ ଯକ୍ଷ୍ମା ରୋଗୀ ଓ ୧ ହଜାର ୬୨୫ କୁଷ୍ଠ ରୋଗ ଥିବା ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୧୦ ପ୍ରତିଶତ ଲୋକଙ୍କ ନିକଟରେ ମଧୁମେହ ରହୁଛି। କିନ୍ତୁ ସେଥିରୁ ମାତ୍ର ୫୦ ପ୍ରତିଶତଙ୍କଠାରେ ତାହା ଚିହ୍ନଟ ହୋଇଥିବା ବିଶେଷଜ୍ଞ କହିଛନ୍ତି।

Related story