ସରକାରଙ୍କ ଶତପ୍ରତିଶତ ବିଜୁଳି ଯୋଗାଣ ଘୋଷଣା ଧୂଆଁବାଣ

ଭୁବନେଶ୍ୱର: ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ସବୁ ଅଞ୍ଚଳରୁ ଅନ୍ଧକାର ହଟିବ ଏବଂ ଶତପ୍ରତିଶତ ଅଞ୍ଚଳକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ସରକାର ଦମ୍ଭୋକ୍ତି କରିଥିଲେ। ହେଲେ ସରକାରଙ୍କ ଏହି ଘୋଷଣା ଧୂଆଁବାଣ ସାବ୍ୟସ୍ତ ହୋଇଛି। ଏହି ମିଆଦ ଶେଷ ହୋଇଥିଲେ ହେଁ ଭୁବନେଶ୍ୱରର ଏକାଧିକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ସେହିପରି ବିଦ୍ୟୁତ୍‌ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଦ୍ ବିଭାଗୀୟ କର୍ମଚାରୀ ଖୋଲିଛନ୍ତି। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି […]

sadx

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 09:42 PM IST

ଭୁବନେଶ୍ୱର: ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ସବୁ ଅଞ୍ଚଳରୁ ଅନ୍ଧକାର ହଟିବ ଏବଂ ଶତପ୍ରତିଶତ ଅଞ୍ଚଳକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ସରକାର ଦମ୍ଭୋକ୍ତି କରିଥିଲେ। ହେଲେ ସରକାରଙ୍କ ଏହି ଘୋଷଣା ଧୂଆଁବାଣ ସାବ୍ୟସ୍ତ ହୋଇଛି। ଏହି ମିଆଦ ଶେଷ ହୋଇଥିଲେ ହେଁ ଭୁବନେଶ୍ୱରର ଏକାଧିକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ସେହିପରି ବିଦ୍ୟୁତ୍‌ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଦ୍ ବିଭାଗୀୟ କର୍ମଚାରୀ ଖୋଲିଛନ୍ତି। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଯୋଗାଣ କରି ସାରିଥିବା ସରକାର ଦାବି କରୁଥିଲେ, ସେଇ ସ୍ଥାନରେ ଏଯାଏ କାମ ସରି ନ ଥିବା କଥା ସାମନାକୁ ଆସିଛି।

ସରକାର ବିଜୁଳି ଦେବାର ପ୍ରତଶ୍ରୁତି ପାଳନରେ ଖିଲାପ କରିଥିବାରୁ ଗତକାଲି ପରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ବିଦ୍ୟୁତ କର୍ମଚାରୀ ବି ଲୋକଙ୍କ ରୋଷର ଶିକାର ହୋଇଛନ୍ତି। ଏସବୁ ସତ୍ତ୍ୱେ ସରକାର ଆଜି ପୁଣି ଦମ୍ଭୋକ୍ତି କରିଛନ୍ତି ଯେ ରାଜଧାନୀର ଶତ ପ୍ରତିଶତ ଉପଭୋକ୍ତାଙ୍କୁ ଆଜି ସୁଦ୍ଧା ବିଜୁଳି ମିଳିଯିବ।

ଭୁବନେଶ୍ୱର ନୁଆଗାଁ ଅଞ୍ଚଳରେ ବିଜୁଳି ନ ଆସିବାରୁ ଲୋକମାନେ ସିଧା ବିଦ୍ୟୁତ କମ୍ପାନୀର ସ୍ଥାନୀୟ ଜେଇଙ୍କୁ ଧରି ଆଣି ଟ୍ରାନ୍ସଫର୍ମର ପାଖରେ ଅଟକ ରଖିଥିଲେ। ବାରମ୍ବାର କହିବା ପରେ ବିଭାଗୀୟ ଅଧିକାରୀ କଥା ନ ଶୁଣିବାରୁ ବାଧ୍ୟ ହୋଇ ଆଜି ସ୍ଥାନୀୟ ଲୋକ ପୁରୀ ଭୁବନେଶ୍ୱର ରାସ୍ତାକୁ ନୂଆଗାଁ ନିକଟରେ ଅବରୋଧ କରିଥିଲେ। ଟ୍ରାନସଫର୍ମର ମରାମତି ନ ହେବା ଯାଏ ବିଜୁଳି ବିଭାଗର ଜେଇଙ୍କୁ ଛଡ଼ା ଯିବନାହିଁ ବୋଲି ଲୋକମାନେ ଜିଦ୍‌ ଧରି ବସିଥିଲେ। ଫୋନି ବାତ୍ୟାର ୧୦ ଦିନ ପରେ ବି ନୂଆଗାଁ, ଇନ୍ଦିରା ହାଉସିଂ କଲୋନୀ, ବଳରାମ ବିହାର, ବିଜୟ ବିହାର ପରି ୫ଟି କଲୋନୀକୁ ଏ ପର୍ଯ୍ୟନ୍ତ ବିଜୁଳି ଆସିନି। ସେହିପରି କିଟ୍‌ ନିକଟରେ ଥିବା ବସ୍ତିକୁ ବିଜୁଳି ସଂଯୋଗ ହୋଇପାରି ନାହିଁ।

ଭୁବନେଶ୍ୱରରେ ଆଜି ସୁଦ୍ଧା ଶତ ପ୍ରତିଶତ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚିବ ବୋଲି ଘୋଷଣା କରିଥିଲେ ସରକାର। ଅନେକ ସ୍ଥାନରେ ବିଜୁଳି ପହଞ୍ଚିଥିବା ଦାବି କରାଯାଉଥିଲେ ବି କିଛି ସ୍ଥାନରେ ସରକାରଙ୍କ ପୋଲ୍ ଖୋଲିଛନ୍ତି ଖୋଦ୍ ବିଜୁଳି ବିଭାଗର କର୍ମଚାରୀ। ବିଜେବି ନଗର ଅଞ୍ଚଳରେ ୮ ତାରିଖରୁ ବିଜୁଳି ଆସିଲାଣି ବୋଲି ସରକାର କହୁଛନ୍ତି। କିନ୍ତୁ ମ୍ୟୁଜିୟମ ପଛପଟେ ଥିବା ସରକାରୀ କ୍ୱାର୍ଟର୍ସଗୁଡ଼ିକରେ ବିଜୁଳି ସଂଯୋଗ ପାଇଁ ଏବେ ବି କାମ ଚାଲିଛି। ଭୀମଟାଙ୍ଗୀ ଅଞ୍ଚଳରେ ବି ଏପର୍ଯ୍ୟନ୍ତ ବିଜୁଳି ଆସିନି। ସରକାରଙ୍କ ନଥିରେ କିନ୍ତୁ ଏ ସ୍ଥାନର ଉପଭୋକ୍ତା ବିଜୁଳି ପାଇସାରିଲେଣି ବୋଲି ଉଲ୍ଲେଖ ରହିଛି।

ଏଲଟି ଲାଇନ ମରାମତି ପରେ ଲୋକଙ୍କ ସର୍ଭିସ ତାର ଯୋଡ଼ିବା ପାଇଁ ସରକାର ପ୍ରାୟ ୩୦୦ ଆଇଟିଆଇ ପିଲାଙ୍କୁ କାମରେ ଲଗାଇଛନ୍ତି। ହେଲେ ବିଡ଼ମ୍ବନା ହେଉଛି ଏମାନଙ୍କ ସହ ସମନ୍ୱୟ ରଖି କାମ କରିବାକୁ ବିଜୁଳି ବିଭାଗ ପାଖରେ ସମୟ କି କର୍ମଚାରୀ ନାହାନ୍ତି। କେଉଁ ଅଞ୍ଚଳରେ ବିଜୁଳି ଅଛି ସେ ସୂଚନା ମଧ୍ୟ ଏମାନଙ୍କୁ ଦିଆଯାଉନାହିଁ। ଏପଟେ ସରକାରଙ୍କ ପୁଣି ସେଇ ପୁରୁଣା ଦମ୍ଭୋକ୍ତି ଆଜି ରାତି ସୁଦ୍ଧା ସହର ସବୁ ଉପଭୋକ୍ତାଙ୍କୁ ବିଜୁଳି ମିଳିଯିବ।

Related story