କଳା ଶାର୍ଟ ଖୋଲି ଧଳା ଶାର୍ଟ ପିନ୍ଧିବା ପରେ ମିଳିଲା ସ୍ମାର୍ଟ ହେଲ୍‌ଥ କାର୍ଡ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବା ତାଲିକାରେ ଥିଲା ନାଁ। ହେଲେ କଳା ରଙ୍ଗର ଶାର୍ଟ ପିନ୍ଧିଥିବାରୁ ଛାଡ଼ିଲାନି ପୁଲିସ୍‌। ନିରାଶ ହୋଇ ତାଙ୍କୁ ଫେରିବାକୁ ପଡ଼ିଥିଲା। ପରେ ଧଳା ରଙ୍ଗର ଶାର୍ଟ କିଣି ପିନ୍ଧି ଯିବାରୁ ପୁଲିସ୍‌ ଛାଡ଼ିଥିଲା। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱରରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଗ୍ରହଣ କରିବାକୁ ଯାଇ ଏପରି ହଟହଟା ହୋଇଛନ୍ତି ସନ୍ତୋଷ […]

Balasore

Manoranjan Sial
  • Published: Friday, 26 November 2021
  • , Updated: 26 November 2021, 09:14 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବା ତାଲିକାରେ ଥିଲା ନାଁ। ହେଲେ କଳା ରଙ୍ଗର ଶାର୍ଟ ପିନ୍ଧିଥିବାରୁ ଛାଡ଼ିଲାନି ପୁଲିସ୍‌। ନିରାଶ ହୋଇ ତାଙ୍କୁ ଫେରିବାକୁ ପଡ଼ିଥିଲା। ପରେ ଧଳା ରଙ୍ଗର ଶାର୍ଟ କିଣି ପିନ୍ଧି ଯିବାରୁ ପୁଲିସ୍‌ ଛାଡ଼ିଥିଲା। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱରରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଗ୍ରହଣ କରିବାକୁ ଯାଇ ଏପରି ହଟହଟା ହୋଇଛନ୍ତି ସନ୍ତୋଷ କୁମାର ଦାସ। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, କଳା ରଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଏତେ ଭୟ କାହିଁକି? ନା କଳା ପତାକା ଦେଖାଇବା ଭୟରେ ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବା ତାଲିକାରେ ବାଲେଶ୍ୱର ସଦର ବ୍ଲକ ଅଞ୍ଚଳର ସନ୍ତୋଷ କୁମାର ଦାସ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସ୍ମାର୍ଟ କାର୍ଡ ଗ୍ରହଣ କରିବା ପାଇଁ ସ୍ୱାମୀ-ସ୍ତ୍ରୀ ସଭାକୁ ଯାଉଥିଲେ। ହେଲେ ଅଧା ବାଟରେ ସେମାନଙ୍କୁ ପୁଲିସ୍‌ ଅଟକାଇଥିଲା। କାରଣ ସନ୍ତୋଷ ପିନ୍ଧିଥିଲେ କଳା ଶାର୍ଟ। ସେ କଳା ଶାର୍ଟ ପିନ୍ଧିଥିବାରୁ ଆଗକୁ ଯିବାକୁ ଅନୁମତି ଦେଇନଥିଲା ପୁଲିସ୍‌। ଫଳରେ ନିରାଶ ହୋଇ ଫେରିଥିଲେ ସନ୍ତୋଷ। ପରେ ଏକ ଧଳା ଶାର୍ଟ କିଣି ପିନ୍ଧି ସଭା ମଞ୍ଚ ପାଖକୁ ଯାଇଥିଲା।

ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବା ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଦିନ ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବାଲେଶ୍ୱର ପୁଲିସ୍‌ ଲାଇନ୍‌ ପଡ଼ିଆରେ ଅବତରଣ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସଭାସ୍ଥଳକୁ ନିଆଯାଇଥିଲା। ତା’ପରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ ୯ ଲକ୍ଷ ୩୧ ହଜାର ୯୭୭ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିରୋଧ ଭୟରେ ବାଲେଶ୍ୱର ଷ୍ଟେସନ ଛକଠାରୁ କୁରୁଡ଼ା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ନାକାବନ୍ଦୀ କରାଯାଇଥିଲା। ଏପରିକି ଏହି ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଜାରି ହୋଇଥିଲା। ଏହାସତ୍ତ୍ୱେ ବିଜେପିର ଯୁବ ମୋର୍ଚ୍ଚାର କର୍ମୀମାନେ ଷ୍ଟେସନ୍‌ ଛକରେ ସୁରକ୍ଷା ବଳୟ ଭେଦ କରି କଳା ପତାକା ଦେଖାଇଥିଲେ। ସେହିପରି ଏଡିଏମ୍ ଛକରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଏହି ମାମଲାରେ ପୁଲିସ୍‌ ୪୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସହରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

Related story