ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୨ ଏସ୍ଓଜି କମାଣ୍ଡୋଙ୍କୁ ମିଳିବ ମରଣତ୍ତୋର ଶୌର୍ଯ୍ୟ ଚକ୍ର ସମ୍ମାନ। ସାହସିକତା ଓ ବୀରତ୍ୱ ପାଇଁ ଏସ୍ଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ଏହି ସମ୍ମାନ। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାଁ ଘୋଷଣା କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୦ ସେପ୍ଟେମ୍ୱର ୯ ତାରିଖରେ କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ନକ୍ସଲଙ୍କ ସହ ସଂଘର୍ଷ ବେଳେ ଦୁଇ ଯବାନ ଅନନ୍ୟ ସାହସିକତାର ପରିଚୟ ଦେଇଥିଲେ। ଘଞ୍ଚ ଜଙ୍ଗଲରେ ନକ୍ସଲ ବିରୋଧୀ ଲଢେଇ ବେଳେ ଉଭୟ ଦେଶପାଇଁ ପ୍ରାଣବଳି ଦେଇଥିଲେ। ଏହି ଅବସରରେ ଉଭୟ ସୁଧୀର ଓ ଦେବାଶିଷ ସେମାନଙ୍କ ବୀରତ୍ୱ ପାଇଁ ଓଡ଼ିଶା ପୁଲିସର ଗର୍ବ ଓ ଗୌରବ ହୋଇ ରହିବେ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି। ସେପଟେ ଓଡ଼ିଶା ପୁଲିସକୁ ଏଥର ପ୍ରଥମ ଥର ପାଇଁ ଶୌର୍ଯ୍ୟଚକ୍ର ସମ୍ମାନ କରାଯାଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି।
https://twitter.com/DGPOdisha/status/1426523348553457664?s=20
ସେପଟେ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୬୭ ଜଣଙ୍କ ନାଁ ସାହସିକତା ପୁଲିସ ମେଡାଲ ଲାଗି ଘୋଷଣା କରାଯାଇଛି। ସାରା ଦେଶରେ ମୋଟ ୧୩୮୦ ପୁଲିସ କର୍ମଚାରୀ ସାହସିକତା ପୁଲିସ ମେଡାଲରେ ସମ୍ମାନିତ ହେବେ। ତେବେ ଓଡ଼ିଶାରୁ ଏଥର ସର୍ବାଧିକ ଅର୍ଥାତ ୬୭ ଜଣଙ୍କୁ ପୁଲିସ ମେଡାଲ ଦିଆଯାଉଥିବାରୁ ଏହା ଓଡ଼ିଶା ପୁଲିସ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ପୁଲିସ ଡିଜି। ଓଡ଼ିଶା ପୁଲିସ ସାହସିକତାକୁ ମାନ୍ୟତା ଦେଇଥିବାରୁ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
ଏପଟେ ଉଲ୍ଲେଖନୀୟ ସେବା ପାଇଁ ମଧ୍ୟ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ମିଳିବ। ଏସଆଇଡବ୍ଲୁର DSP ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଳ ଭାବଗ୍ରାହୀ ତ୍ରିପାଠୀଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ପ୍ରଦାନ କରାଯିବ। ସେହିଭଳି ଓଡ଼ିଶାର ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଲିସ ମେଡାଲ ଘୋଷଣା କାରଯାଇଛି।