ଡିଜି ଓ ମୁଖ୍ୟ ସଚିବ ପାହ୍ୟା ଦେଇ ତୁଷ୍ଟୀକରଣ, ମନମୁଖୀ ଆବଣ୍ଟନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇଏଏସ୍ ଓ ଆଇପିଏସ୍ କ୍ୟାଡ଼ର ପରିଚାଳନାଗତ ତ୍ରୁଟି ଦୀର୍ଘ କିଛିବର୍ଷ ଧରି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଜଣେ ଲେଖାଏଁ ଅଫିସରଙ୍କ ଉପରେ ୪ରୁ ୫ ଦାୟିତ୍ୱ, ଗୋଟିଏ ଲେଖାଏଁ ପଦବୀରେ ୧୦ବର୍ଷ ଧରି ରହିବା, କିଛି ହାତଗଣତି ଅଫିସରଙ୍କୁ ମାତ୍ରାଧିକ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ଅଣଦେଖା କରିବା ଭଳି ନୀତି ଯୋଗୁ ରାଜ୍ୟରେ ସର୍ବଭାରତୀୟ ସେବା ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଏବେ ଅନୁମୋଦିତ ସଂଖ୍ୟାଠୁ ଅଧିକ ପରିମାଣର […]

secretariat

Ordigital Desk
  • Published: Friday, 02 September 2022
  • , Updated: 02 September 2022, 09:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇଏଏସ୍ ଓ ଆଇପିଏସ୍ କ୍ୟାଡ଼ର ପରିଚାଳନାଗତ ତ୍ରୁଟି ଦୀର୍ଘ କିଛିବର୍ଷ ଧରି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଜଣେ ଲେଖାଏଁ ଅଫିସରଙ୍କ ଉପରେ ୪ରୁ ୫ ଦାୟିତ୍ୱ, ଗୋଟିଏ ଲେଖାଏଁ ପଦବୀରେ ୧୦ବର୍ଷ ଧରି ରହିବା, କିଛି ହାତଗଣତି ଅଫିସରଙ୍କୁ ମାତ୍ରାଧିକ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ଅଣଦେଖା କରିବା ଭଳି ନୀତି ଯୋଗୁ ରାଜ୍ୟରେ ସର୍ବଭାରତୀୟ ସେବା ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଏବେ ଅନୁମୋଦିତ ସଂଖ୍ୟାଠୁ ଅଧିକ ପରିମାଣର ପୁଲିସ ଡିଜି ଓ ମୁଖ୍ୟ ସଚିବ ପାହ୍ୟାରେ ଅଫିସରମାନଙ୍କୁ ଅବସ୍ଥାପିତ କରାଯାଇ ତୁଷ୍ଟୀକରଣ ନିମନ୍ତେ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଅନୁମୋଦିତ ପୁଲିସ ଡିଜି ପାହ୍ୟାର ପଦବୀ ସଂଖ୍ୟା ୩ ଥିବାବେଳେ ମୁଖ୍ୟ ସଚିବ ପାହ୍ୟାର ପଦବୀ ସଂଖ୍ୟା ୬ । ମାତ୍ର ରାଜ୍ୟ ସରକାର ଏହି ନିର୍ଦ୍ଧାରିତ ଅନୁମୋଦିତ ପଦବୀ ସଂଖ୍ୟାକୁ ବୃଦ୍ଧି ନକରି ୩୦ବର୍ଷର ଚାକିରି କାଳ ପୂରଣ ହୋଇଥିବା ଦର୍ଶାଇ ଅଫିସରମାନଙ୍କୁ ଡିଜି ଓ ମୁଖ୍ୟ ସଚିବ ପାହ୍ୟାରେ ଅବସ୍ଥାପିତ କରିବାରେ ଲାଗିଛନ୍ତି । ତା’ପୁଣି ସରକାରଙ୍କୁ ସୁହାଇଲା ଭଳି । ୧୯୮୯ ବ୍ୟାଚର ୪ଜଣ ଆଇପିଏସ୍ ଅଫିସରଙ୍କୁ ଆଜି ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ୧୯୮୯ ବ୍ୟାଚର ଆଇପିଏସ୍ ପ୍ରଣବିନ୍ଦୁ ଆଚାର୍ଯ୍ୟ ଓ ସିଦ୍ଧାର୍ଥ ମହାଡୁ ନରୱଣେଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର କେନ୍ଦ୍ରୀୟ ଡେପୁଟେସନରେ ଥିବା ଅମ୍ରିତ ମୋହନ ପ୍ରସାଦ ଓ ବି.ରାଧିକାଙ୍କୁ ଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଯଦିଓ ଏହି ୪ଜଣ ଆଇପିଏସ୍ ଅଫିସର ୨୦୧୯ ମସିହାରେ ନିଜର ଚାକିରିର ୩୦ବର୍ଷ ପୂରଣ କରିସାରି ଡିଜି ଗ୍ରେଡକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହେଲେଣି । ତଥାପି ସେମାନଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇନଥିଲେ ।

ରାଜ୍ୟ ସରକାରରେ ମାତ୍ର ୩ଟି ଅନୁମୋଦିତ ଡିଜି ପାହ୍ୟା (ଗୋଟିଏ କ୍ୟାଡ଼ର ଓ ୨ଟି ଏକ୍ସକ୍ୟାଡ଼ର) ପଦବୀ ରହିଥିବାବେଳେ ଏବେ ଡିଜି ପାହ୍ୟାରେ ବି.କେ. ଶର୍ମା, ପୁଲିସ ଡିଜି ସୁନୀଲ କୁମାର ବଂଶଲ, ମନୋଜ କୁମାର ଛାବ୍ରା, ସନ୍ତୋଷ ଉପାଧ୍ୟାୟ, ଅରୁଣ କୁମାର ରାୟ କାର୍ଯ୍ୟ କରୁଛନ୍ତି । ୧୯୮୯ ବ୍ୟାଚର ଶ୍ରୀ ଆଚାର୍ଯ୍ୟ ଓ ନରୱଣେଙ୍କୁ ମିଶାଇଲେ ରାଜ୍ୟରେ ଡିଜି ପାହ୍ୟାର ଅଫିସରଙ୍କ ସଂଖ୍ୟା ୭ରେ ପହଂଚିବ । ଏହି ପାହ୍ୟାକୁ ଅଫିସରମାନଙ୍କୁ ପଦୋନ୍ନତି ଦେଇ ‘ଗ୍ରେଡ୍ ପେ ଲେଭଲ-୧୬’ର ଦରମା ସହ ଆନୁସଙ୍ଗିକ ସୁବିଧା ରାଜ୍ୟ ରାଜକୋଷରୁ ସରକାର ଯୋଗାଇ ଦେଉଛନ୍ତି । କିନ୍ତୁ ଏହି ବର୍ଦ୍ଧିତ ପଦବୀଗୁଡ଼ିକୁ କେନ୍ଦ୍ର ସରକାରରେ ଅନୁମୋଦନ କରାଇବାକୁ ରାଜ୍ୟ ସରକାର ପ୍ରୟାସ କରୁନାହାନ୍ତି । ଓଲଟା ନିଜର ମନମୁଖୀ କ୍ୟାଡ଼ର ପରିଚାଳନା ମାଧ୍ୟମରେ ଅଫିସର ତୁଷ୍ଟୀକରଣ କରାଉଛନ୍ତି ।

ସେହିପରି ରାଜ୍ୟରେ ମୁଖ୍ୟ ସଚିବ ପାହ୍ୟାରେ ମୋଟ ୬ଟି ଅନୁମୋଦିତ ପଦବୀ( ୩ଟି କ୍ୟାଡ଼ର ଓ ୩ଟି ଏକ୍ସକ୍ୟାଡ଼ର) ରହିଥିବାବେଳେ ମୁଖ୍ୟ ସଚିବ ପାହ୍ୟାରେ ଏବେ ମୋଟ ୧୨ଜଣ ଆଇଏଏସ୍ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ୧୯୯୧ ବ୍ୟାଚ ଆଇଏଏସଙ୍କୁ ମୁଖ୍ୟ ସଚିବ ପାହ୍ୟାକୁ ସରକାର ପଦୋନ୍ନତି ଦେଇସାରିଛନ୍ତି । ରାଜ୍ୟରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର, ଜିଭିଭି ଶର୍ମା, ନିକୁଞ୍ଜ କିଶୋର ସୁନ୍ଦରାୟ, ଆର କେ ଶର୍ମା, ସିଜେ ବେଣୁଗୋପାଳ, ପ୍ରଦୀପ୍ତ କୁମାର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା,ଡଃ ମୋନା ଶର୍ମା, ସଞ୍ଜିବ ଚୋପ୍ରାଙ୍କ ସମେତ ୧୯୯୧ ବ୍ୟାଚର ଅନୁ ଗର୍ଗ, ମଧୁସୂଦନ ପାଢ଼ୀ ଓ ସତ୍ୟବ୍ରତ ସାହୁଙ୍କୁ ମୁଖ୍ୟ ସଚିବ ପାହ୍ୟା ମିଳିଛି । ଏହି ଅଫିସରମାନେ ମୁଖ୍ୟ ସଚିବ ପାହ୍ୟାର ଦରମା ଓ ଆନୁସଙ୍ଗିକ ସୁବିଧା ହାସଲ କରୁଛନ୍ତି । ରାଜ୍ୟ ରାଜକୋଷ ଉପରେ ଏଥିଯୋଗୁ ବୋଝ ପଡ଼ୁଥିଲେ ମଧ୍ୟ ରାଜ୍ୟ ସରକାର ଏହି ପଦବୀଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପାଖରେ ଅନୁମୋଦନ ନକରାଇ ମନମୁଖୀ ଆବଂଟନ କରିବାରେ ଲାଗିଛନ୍ତି ।

ରାଜ୍ୟ ସରକାରଙ୍କ ଏଭଳି ମନମୁଖୀ କ୍ୟାଡ଼ର ପରିଚାଳନା ଯୋଗୁ ଅନେକ ଅଫିସର ନିଜର ହକରୁ ବଂଚିତ ହେବା ସହ ରାଜ୍ୟକୁ ସେବା ଯୋଗାଇବାରେ ବଂଚିତ ହେଉଛନ୍ତି ।

Related story