ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ଥିକ ସଙ୍କଟରେ ଥିବା ଗ୍ରୀଡକୋର ବାକି ପଡିଛି ୭, ୭୮୮ କୋଟି ଟଙ୍କା। ଏହି ଅର୍ଥ ବିଦ୍ୟୁତ ବିତରଣ କମ୍ପାନୀ ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍-କୋ ବାକି ରଖିଛନ୍ତି। ଦୀର୍ଘ ଦିନ ଧରି ଏହି ଟଙ୍କା ବାକି ପଡିବା ପରେ ଏବେ ଉପଭୋକ୍ତାଙ୍କ ଉପରେ ବୋଝ ଲଦିବାକ ଯାଉଛି ଗ୍ରୀଡ୍କୋ। କାରଣ ଗ୍ରୀଡ୍କୋ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଦର ୟୁନିଟ ପିଛା ପ୍ରାୟ ୯୦ ପଇସା ବୃଦ୍ଧି କରିବାକୁ OERCଙ୍କ ନିକଟରେ ଦାବି କରିଛି।
ଗ୍ରୀଡ୍କୋଠାରୁ ବିତରଣ କମ୍ପାନୀମାନେ ଏବେ ୟୁନିଟ୍ ପିଛା ୨ ଟଙ୍କା ୯୬ ପଇସାରେ ବିଜୁଳି କିଣୁଥିବା ବେଳେ ଏହାକୁ ୩ ଟଙ୍କା ୮୫ ପଇସା କରିବାକୁ ପ୍ରସ୍ତାବ ଆସିଛି। ଏଠି ପ୍ରଶ୍ନ ଉଠୁଛି ଗ୍ରୀଡ୍କୋର ଏହି ବକେୟା ଟଙ୍କା ଉପଭୋକ୍ତାଙ୍କ ଉପରେ ବାକି ଅଛି ନା ଉପଭୋକ୍ତାଙ୍କଠାରୁ ଆଦାୟ ହୋଇଥିଲେ ମଧ୍ୟ ବିଦ୍ୟୁତ ବିତରଣ କଂପାନୀମାନେ ଗ୍ରୀଡ୍କୋକୁ ଦେଇ ନାହାନ୍ତି? କାହିଁକି ନା କୌଣସି ବକେୟା କିମ୍ବା ଋଣ ନଥିବା ଦର୍ଶାଇ ସମସ୍ତ ବିତରଣ କମ୍ପାନୀଙ୍କୁ ଟାଟା ପାୱାର ହାତରେ ଟେକି ଦେଇଛନ୍ତି ସରକାର। ତେବେ ଗ୍ରୀଡ୍କୋର ଆବେଦନକୁ ତୀବ୍ର ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ।
ଖାଲି ବକେୟା ବାବଦ ଟଙ୍କା ନୁହେଁ, ଋଣ ଓ ସୁଧ ବୋଝ ମଧ୍ୟ ଉପଭୋକ୍ତାଙ୍କ ମୁଣ୍ଡରେ ଲଦିବାକୁ ମସୁଧା ହୋଇଥିବା ଅଭିଯୋଗ ହୋଇଛି। ଆର୍ଥିକ ସଙ୍କଟ ଭିତରେ ପରିଚାଳନା ପାଇଁ ଗ୍ରୀଡ୍କୋ ବିଭିନ୍ନ ସୂତ୍ରରୁ ପ୍ରାୟ ୨୦୦୦ କୋଟି ଟଙ୍କା ଋଣ କରିଛି। ଆଉ ତା’ ସୁଧ ବାବଦକୁ ମଧ୍ୟ ୬୨୩ କୋଟି ଟଙ୍କା ଉପଭୋକ୍ତାଙ୍କଠାରୁ ଆଦାୟ କରିବାକୁ ଆବେଦନ ପିଟିସନରେ ଗ୍ରୀଡ୍କୋ ଲେଖିଛି। ଏସବୁ ବାବଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୧୦ ହଜାର ୯୪୫ କୋଟି ଟଙ୍କାର ରାଜସ୍ୱ ଆବଶ୍ୟକତା ଉପରେ ଅନୁମତି ପାଇଁ ଓଇଆରସି ନିକଟରେ ଗ୍ରୀଡ୍କୋ ଆବେଦନ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏତେ ଟଙ୍କା ବାକି ରହିଲା କାହିଁକି? ଏଥିପାଇଁଦାୟୀ କିଏ? କାହିଁକି ନା ୨୦ ବର୍ଷ ହେବ ସେସୁ ଦାୟିତ୍ୱରେ ଖୋଦ ଓଇଆରସି ଆଉ ୫ ବର୍ଷ ହେଲା ୱେସ୍କୋ, ନେସ୍କୋ ଓ ସାଉଥ୍-କୋ ଦାୟିତ୍ୱରେ ଥିଲେ ଗ୍ରୀଡ୍କୋର ସିଏମ୍ଡି।
ପିଟିସନର ଅଶୋକ ନନ୍ଦ କହିଛନ୍ତି-“ଇଏ ହେଉଛି ପୁରୁଣା ଋଣ। ଏଥିରେ ସରକାର ବହୁ ବଦମାସି କରିଛନ୍ତି। ଅଫିସରମାନେ ସବୁ ଖୋଳ କରିଛନ୍ତି। ସେହି ବକେୟା ଟଙ୍କା ଆମେ କାହିଁକି ଦେବୁ? ଲୋକମାନେ କାହିଁକି ସେହି ଅର୍ଥ ଦେବେ? ଆଉ ଗୋଟିଏ କଥା ହେଲା, ବର୍ତ୍ତମାନ ସରକାର ସେସ୍ ବାବଦକୁ ବର୍ଷକୁ ୩୦୦୦ କୋଟି ଟଙ୍କା ପାଉଛନ୍ତି। କିଛି ଖର୍ଚ୍ଚ କରୁନାହାନ୍ତି ଓଡ଼ିଶା ସରକାର। ସେହି ଟଙ୍କାରେ କାହିଁକି ବକେୟା ଭରଣ କରାଯାଉନାହିଁ?”