ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରୀବଠୁ ଧନୀ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ ଏବେ ହୋଇଗଲା ମହଙ୍ଗା। ଆଜିଠୁ ଏହି ସବୁ ଖାଦ୍ୟ ଦ୍ରବ୍ୟକୁ GST ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବିଧାନସଭାରେ ସୃଷ୍ଟି ହୋଇଛି ଝଡ଼। ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚୁଡ଼ାମୁଢ଼ି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।
ଯଦି କେନ୍ଦ୍ର ସରକାର ଏହା ଉପରେ GST ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ସେ ଦାବି କରିଛନ୍ତି। ଯଦି ଲାଗୁ କରିବେ ତେବେ ନିଜେ ରାଜ୍ୟ ସରକାର ଏହି କର ଭାର ବହନ କରନ୍ତୁ ବୋଲି ଦାବି କରିଛନ୍ତି ସୁର।
ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ।ଏହି GST କେବଳ ପ୍ୟାକେଟ୍ରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଆଦି ଉପରେ ଲାଗୁହେବ। ଯେଉଁ ଚୁଡ଼ା, ମୁଢ଼ି ବିନା ପ୍ୟାକେଟ୍ରେ ଖୋଲାରେ ବିକ୍ରି ହେଉଛି ତାହା ଜିଏସ୍ଟି ଅନ୍ତର୍ଭୁକ୍ତ ନୁହେଁ।
ଆଜିଠୁ କିଛି ନୂଆ ସାମଗ୍ରୀକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରାଯାଇଛି। ପ୍ୟାକେଟ୍ ଓ ଲେବଲ ଲାଗି ବିକ୍ରି ହେଉଥିବା ଏଭଳି ଅଣ ବ୍ରାଣ୍ଡେଡ୍ ସାମଗ୍ରୀକୁ ଜିଏସ୍ଟି ପରିସରଭୁକ୍ତ କରାଯାଇଛି। ଏଥିରେ ଲାଗିବ ୫ ପ୍ରତିଶତ ଜିଏସ୍ଟି। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି, ଖଇ ଉପରେ ଆଜିଠୁ ଗଣିବାକୁ ପଡ଼ିବ ଜିଏସ୍ଟି। କେବଳ ଏହି ୩ଟି ଖାଦ୍ୟ ସାମଗ୍ରୀ ନୁହେଁ ପ୍ୟାକେଟ୍ ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି, ଓଟ୍ସ ଉପରେ ବି ଲାଗିବ ୫ ପ୍ରତିଶତ ଜିଏସଟି। ଫଳରେ ଖାଉଟିଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଟିକସ।
ସେହିପରି ପ୍ରିଣ୍ଟିଂ କାଳି, ଏଲ୍ଇଡି ଲ୍ୟାମ୍ପ, ଲାଇଟ୍, ସାଇକେଲ ପମ୍ପ, ବିଦ୍ୟୁତ୍ ଚାଳିତ ପମ୍ପ, ଛୁରୀ, ବ୍ଲେଡ, ପେନସିଲ କଟର, ଚାମଚ, ଫର୍କ ଉପରେ ସଂଶୋଧିତ ଜିଏସ୍ଟି ଲାଗୁ ହେବ। ବିହନ ସହ କୃଷି ଯନ୍ତ୍ରାଂଶ, ପବନ ଚାଳିତ ଅଟା ଚକି, ଗ୍ରାଇଣ୍ଡରରେ ଜିଏସ୍ଟିକୁ ୧୮ %କୁ ବୃଦ୍ଧି କରାଯାଇଛି।
ପୂର୍ବରୁ ୫ % ସ୍ଲାବ୍ରେ ଥିବା ସୋଲାର ୱାଟର ହିଟର, ଚମଡ଼ା, ପ୍ରିଣ୍ଟେଡ୍ ମ୍ୟାପ୍ ଓ ଚାର୍ଟ ଉପରେ ଏଣିକି ୧୨ ପ୍ରତିଶତ ଜିଏସ୍ଟି ପଡିବ। ବ୍ୟାଙ୍କ ଚେକ୍ ସେବା ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗିବ। ଶସ୍ତା ହେଟେଲ ରୁମ୍କୁ ଜିଏସ୍ଟିଭୁକ୍ତ କରାଯାଇଥିବାରୁ ସେଗୁଡିକରେ ରହଣୀ ବି ମହଙ୍ଗା ହେବ। ହଜାରେ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମ୍ରେ ଦେବାକୁ ପଡ଼ିବ ୧୨% ଜିଏସ୍ଟି। ଖାଲି ସେତିକି ନୁହେଁ, ହସ୍ପିଟାଲରେ ଚିକିତ୍ସା ଲାଗି ଦାମୀ ରୁମ୍ ଭଡ଼ାରେ ନେଲେ ବି ଟିକସ ଗଣିବାକୁ ପଡ଼ିବ। ଆଇସିୟୁକୁ ଛାଡ଼ିଦେଲେ ୫ ହଜାର ଟଙ୍କାରୁ ଅଧିକ ଭଡ଼ା ଥିବା ହସ୍ପିଟାଲ ରୁମ୍ ଉପରେ ବି ୫% ଜିଏସ୍ଟି ଦେବାକୁ ହେବ।