କାହାପାଇଁ କମିଶନ? ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ଜନତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ ଓ ଭିନ୍ନକ୍ଷମ କମିଶନରେ ରାଜନୈତିକ ନିଯୁକ୍ତି ହେବାର ସମ୍ଭାବନା ଥିବାରୁ ସମୟ ଗଡ଼ାଇ ଚାଲିଛନ୍ତି ସରକାର। ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳର ଅଞ୍ଜଳି କର ଜଣେ ଗରିବ […]

HEADLESS-COMMISSIONS-IN-ODISHA-FAIL-TO-DELIVER-JUSTICE

Manoranjan Sial
  • Published: Tuesday, 06 August 2019
  • , Updated: 06 August 2019, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ ଓ ଭିନ୍ନକ୍ଷମ କମିଶନରେ ରାଜନୈତିକ ନିଯୁକ୍ତି ହେବାର ସମ୍ଭାବନା ଥିବାରୁ ସମୟ ଗଡ଼ାଇ ଚାଲିଛନ୍ତି ସରକାର।

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳର ଅଞ୍ଜଳି କର ଜଣେ ଗରିବ ମହିଳା। ସ୍ୱାମୀଙ୍କ ମୃତ୍ୟୁ ପରେ ଚା’ ଦୋକାନ କରି ପେଟ ପୋଷୁଥିଲେ ଅଞ୍ଜଳି। ହେଲେ ଦୁର୍ବୃତ୍ତମାନେ ତାଙ୍କ ଚା’ ଦୋକାନ ଭାଙ୍ଗି ଦେଇଛନ୍ତି। ଏନେଇ ସେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗ କେହି ଶୁଣିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ଅଞ୍ଜଳି ୬ ବର୍ଷର ଝିଅକୁ ଧରି ଭୁବନେଶ୍ୱର ଆସିଛନ୍ତି। ଭାବିଥିଲେ ନିଜର ଅଭିଯୋଗ ମହିଳା କମିଶନଙ୍କ ପାଖରେ କରିବେ। ମାତ୍ର ଏହାର ଅଧ୍ୟକ୍ଷ ନଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ ନ୍ୟାୟ ପାଇଁ ରାଜଧାନୀର ଏଗଳିରୁ ସେ ଗଳି ବୁଲୁଛନ୍ତି।

ଠିକ୍‌ ସେମିତି ସମସ୍ୟା କୋଣାର୍କ ଶାରଡ଼ା ଗାଁର ବିଷ୍ଣୁପ୍ରିୟା ମହାପାତ୍ରଙ୍କ କ୍ଷେତ୍ରରେ ଘଟିଛି। ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ମହିଳା କମିଶନଙ୍କ ପାଖରେ ମାମଲା ରୁଜୁ କରିଥିଲେ ବିଷ୍ଣୁପ୍ରିୟା। ମାତ୍ର ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ବାରମ୍ବାର ଦୌଡ଼ିବା ପରେ ମଧ୍ୟ କମିଶନର ଅଧ୍ୟକ୍ଷ ନଥିବାରୁ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା କମିଶନ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହି ଦାୟିତ୍ୱ ମହିଳା ଶିଶୁକଲ୍ୟାଣ ବିଭାଗ ସଚିବ ଅନୁ ଗର୍ଗଙ୍କୁ ଦିଆଯାଇଥିଲା। ହେଲେ ତାଙ୍କର ମଧ୍ୟ ଦେଖାନାହିଁ। କମିଶନଙ୍କ ପାଖରେ ପଡ଼ିରହିଛି ୯ ହଜାର ୬ ଶହ ମାମଲା।

ଗତ ଏପ୍ରିଲ ୧୮ରୁ ଖାଦ୍ୟ କମିଶନଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଓ ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ସରିଛି। ହେଲେ କାହାରିକୁ ନୂଆ ନିଯୁକ୍ତି ଦିଆଯାଇନି। ସବୁଠି ତାଲା ଝୁଲୁଛି। ରାସନକାର୍ଡ ପାଇବାରୁ ବଞ୍ଚିତ ହିତାଧିକାରୀଙ୍କ ଅଭିଯୋଗ ନେଇ ଏଠି ପଡ଼ିରହିଛି ୪ ହଜାରରୁ ଅଧିକ ମାମଲା।
ସେହିପରି ମାନବାଧିକାର କମିଶନରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଦାୟିତ୍ୱରେ ଅଛନ୍ତି ଜଷ୍ଟିସ ରଘୁବର ଦାଶ। ଏଠି ୨ ସଦସ୍ୟଙ୍କ ପଦ ଖାଲି ପଡ଼ିଛି। କମିଶନଙ୍କ ପାଖରେ ବିଚାର ପାଇଁ ପଡ଼ିରହିଛି ୧୦ ହଜାର ମାମଲା।

ସୂଚନା କମିଶନରେ ମୁଖ୍ୟ କମିଶନର୍ ଅଛନ୍ତି। ହେଲେ ଅନ୍ୟ ୨ କମିଶନରଙ୍କ ସ୍ଥାନରେ ଜଣେ ଅଛନ୍ତି। ଏଠି ମଧ୍ୟ ବିଚାର ଅପେକ୍ଷାରେ ଅଛି ପ୍ରାୟ ୧୨ ହଜାର ମାମଲା।

ଭିନ୍ନକ୍ଷମ କମିଶନଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ଏହାର ଅଧ୍ୟକ୍ଷ ମିନତୀ ବେହେରାଙ୍କୁ ମହିଳା ବିଜେଡିର ସଭାନେତ୍ରୀ ପଦ ମିଳିବା ପରେ କମିଶନ ଅଧ୍ୟକ୍ଷ ପଦ ଖାଲିପ଼ଡ଼ିଛି। କମିଶନଙ୍କ ପାଖରେ ମାମଲା ଫଇସଲା ହୋଇପାରୁନଥିବା ବେଳେ ଅଧ୍ୟକ୍ଷ ପଦ ପୁରଣ ହେବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି-“ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। ଏହା ଏକ ଥଇଥାନ କେନ୍ଦ୍ର। ଯାହାର କିଛି ଯୋଗ୍ୟତା ନାହିଁ, ସେମାନଙ୍କୁ ସେଠାରେ ଥଇଥାନ କରାଯାଉଛି।” ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,“ସରକାରଙ୍କ ଆନ୍ତରିକତା ଥିଲେ କମିଶନ ଅଧ୍ୟକ୍ଷ ଓ ସଭ୍ୟ ପଦ ପୂରଣ ହୁଅନ୍ତା।”

ମହିଳା କମିଶନ୍ ଅଧ୍ୟକ୍ଷ ଥିବା ଲୋପାମୁଦ୍ରା ବକ୍ସିପାତ୍ର ଏବେ ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ଅଛନ୍ତି। ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷଙ୍କୁ ମିଳିଛି ମହିଳା ବିଜେଡିର ସଭାନେତ୍ରୀ ପଦ। ତେଣୁ ସେମାନଙ୍କ ସ୍ଥାନରେ ପୁଣି ରାଜନୀତିକ ନିଯୁକ୍ତି କରାଯିବାର ଯୋଜନା ଚାଲିଛି। ଖାଦ୍ୟ କମିଶନର ସଦସ୍ୟ ପଦ ଲାଗି ମଧ୍ୟ ରାଜନୀତିକ ନିଯୁକ୍ତି ସମ୍ଭାବନା ଥିବାରୁ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଥିବା କୁହାଯାଉଛି।

Related story