ବାତ୍ୟା ଆଶ୍ରୟସ୍ଥଳୀରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଆଜି ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ୟାସ୍ ବାତ୍ୟା ପାଇଁ ବହୁ ପରିବାର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିଲେ। ଏହାବ୍ୟତୀତ ବହୁ ଲୋକ ମଧ୍ୟ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ […]

Bhadrak

Manoranjan Sial
  • Published: Thursday, 27 May 2021
  • , Updated: 27 May 2021, 06:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଆଜି ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ୟାସ୍ ବାତ୍ୟା ପାଇଁ ବହୁ ପରିବାର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିଲେ। ଏହାବ୍ୟତୀତ ବହୁ ଲୋକ ମଧ୍ୟ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ସମସ୍ତ ଲୋକମାନେ ପରସ୍ପରର ସଂସ୍ପର୍ଶରେ ଆସିଥିବେ। ଏବେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିବା ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବାରୁ, ଆଗାମୀ ସପ୍ତାହଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର କୋଭିଡ୍ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି।

ତେଣୁ ଘରକୁ ଘର ବୁଲି ସର୍ଭେ କରୁଥିବା ଟିମ୍ ବିଶେଷକରି ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଥିବା ଲୋକମାନେ ଓ ପୁନରୁଦ୍ଧାର କାର୍ଯ୍ୟ କରିଥିବା ଲୋକମାନଙ୍କୁ ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସଚେତନତା କରିବେ । ସେଭଳି ଲୋକମାନେ ମଧ୍ୟ ନିଜେ ନିଜର ସ୍ୱାସ୍ଥ୍ୟ ନେଇ ସଚେତନ ରହିବା ଉଚିତ୍ । ଯଦି କୋଭିଡ୍ ସଂକ୍ରମଣ ଲକ୍ଷଣ ଦେଖାଦିଏ ସେମାନେ ତୁରନ୍ତ ନିଜକୁ ସଙ୍ଗରୋଧରେ ରଖି କୋଭିଡ-୧୯ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ୟାସ୍ ପାଇଁ ରାଜ୍ୟ ସରକାର ପ୍ରାୟ ସାଢ଼େ ୬ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ଏହି ଲୋକମାନେ ଆଶ୍ରୟସ୍ଥଳୀରେ ରହିଥିଲେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ହୋଇନଥିବାରୁ କୋଭିଡ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କରୋନା ମାମଲା ହ୍ରାସ ପାଉଥିବାବେଳେ ଓଡ଼ିଶାରେ ଏବେ ଏହା ଅଧିକ ଭାବେ ବଢ଼ିବାରେ ଲାଗିଛି ।

Related story