ଥରାଉଛି ଶୀତ, କାଲିଠୁ ଆଜି ମଧ୍ୟରେ ତାପମାତ୍ରା ୧୦ ଡିଗ୍ରୀ କମିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଗୋଟିଏ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ହ୍ରାସ ପାଇଛି। ବିଶେଷ କରି ଗତକାଲି ଅପେକ୍ଷା ଆଜି ଆଭ୍ୟନ୍ତରୀଣ ଓ ପଶ୍ଚମ ଓଡ଼ିଶାର ଅନେକ ଅଞ୍ଚଳରେ ତାପମାତ୍ରା ପ୍ରାୟ ୧୦ରୁ ୧୧ ଡିଗ୍ରୀ ହ୍ରାସ ପାଇଛି। ସେହିଭଳି ଉପକୂଳ ଓଡ଼ିଶାରେ ୪ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି।” ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ ଏହି ସୂଚନା ଦେଇଛନ୍ତି। ସେ […]

cold-1-1

Niharika Rout
  • Published: Saturday, 28 December 2019
  • , Updated: 28 December 2019, 12:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଗୋଟିଏ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ହ୍ରାସ ପାଇଛି। ବିଶେଷ କରି ଗତକାଲି ଅପେକ୍ଷା ଆଜି ଆଭ୍ୟନ୍ତରୀଣ ଓ ପଶ୍ଚମ ଓଡ଼ିଶାର ଅନେକ ଅଞ୍ଚଳରେ ତାପମାତ୍ରା ପ୍ରାୟ ୧୦ରୁ ୧୧ ଡିଗ୍ରୀ ହ୍ରାସ ପାଇଛି। ସେହିଭଳି ଉପକୂଳ ଓଡ଼ିଶାରେ ୪ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି।” ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଗତକାଲି ସାରା ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିଥିଲା । ଆଜି ଆକାଶ ମେଘମୁକ୍ତ ରହିଛି। ଆଜି ସକାଳେ ଉତ୍ତର-ପୂର୍ବ ଦିଗରୁ ପବନ ଥିବାରୁ ଅଧିକ ଶୀତ ଅନୁଭୂତ ହେଉଥିଲା।”

ସେ ଆହୁରି କହିଛନ୍ତି, “ଆସନ୍ତାକାଲି ତାପମାତ୍ରା ଏତେଟା ହ୍ରାସ ପାଇବ ନାହିଁ। କିନ୍ତୁ ପବନ ବୋହିବ। ଦୁଇରୁ ତିନି ଦିନ ଆକାଶ ମେଘମୁକ୍ତ ରହିବ। ହିମାଳୟ ଅଞ୍ଚଳରେ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ୩୦ ତାରିଖ ଆଡ଼କୁ ଶକ୍ତ ହେବ ବୋଲି ଆକଳନ କରାଯାଉଛି। ଏହାଫଳରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଫଳରେ ତାପମାତ୍ରା ଆହୁରି ହ୍ରାସ ପାଇବ। ଜାନୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ।”

ଶ୍ରୀ ଦାସ କହିଛନ୍ତି ,“ଆଜି ସକାଳେ ଅନୁଗୋଳ,ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ଫୁଲବାଣୀ ଓ ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟମରୁ ଘନ କହୁଡ଼ି ଦେଖାଯାଇଥିଲା। ଏହିସବୁ ଅଞ୍ଚଳରେ ତାପମାତ୍ରା ଏତେ ହ୍ରାସ ପାଇ ନାହିଁ। ଏଥିସହ ଆସନ୍ତାକାଲି କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ କୁହୁଡ଼ି ହେବ ବୋଲି ଆଶା କରାଯାଉଛି।”

ସୂଚନାଯୋଗ୍ୟ, ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ସୋନପୁର ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗତକାଲି ଏଠାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ରହିଥିବା ବେଳେ ଆଜି ୪ ଡିଗ୍ରୀକୁ ଖସିଥିଲା। ସେହିପରି ଝାରସୁଗୁଡ଼ାରେ ଗତକାଲି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ରହିଥିବା ବେଳେ ଆଜି ୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସମ୍ବଲପୁରରେ ଗତକାଲି ସର୍ବନିମ୍ନ ତାପମାତ୍ରା ୧୭.୧ ଡିଗ୍ରୀ ରହିଥିବା ବେଳେ ଆଜି ୭.୪ ଡିଗ୍ରୀକୁ ଖସିଥିଲା। ସେହିପରି କେନ୍ଦୁଝରରେ ଗତକାଲି ସର୍ବନିମ୍ନ ତାପମାତ୍ରର ୧୪ ଡିଗ୍ରୀ ରହିଥିବା ବେଳେ ଆଜି ଏହା ୫.୬ ଡିଗ୍ରୀକୁ ଖସିଥିଲା।

 

 

 

Related story