ଆସୁଛି ବଡ଼ ବର୍ଷା, ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ୟାସ୍‌ ଯାଇଛି। ସେହି କ୍ଷତ ସୁଖିନାହିଁ। ପୁଣି ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦେଖି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା। ସେଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ଚିଠି କରିଛନ୍ତି। ଏସ୍‌ଆର୍‌ସିଙ୍କ କହିବା ଅନୁସାରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ […]

rainoctc

Manoranjan Sial
  • Published: Wednesday, 09 June 2021
  • , Updated: 09 June 2021, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ୟାସ୍‌ ଯାଇଛି। ସେହି କ୍ଷତ ସୁଖିନାହିଁ। ପୁଣି ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦେଖି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା। ସେଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ଚିଠି କରିଛନ୍ତି।

ଏସ୍‌ଆର୍‌ସିଙ୍କ କହିବା ଅନୁସାରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସ୍‌ଆସି ନିର୍ଦ୍ଦେଶ ଦେଇଛନ୍ତି।

ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ସମ୍ଭାବନା ରହିଛି। ତେଣୁ ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସ୍‌ଆର୍‌ସି ତାଗିଦ କରିଛନ୍ତି। ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି। ବନ୍ୟା କଥା ବୁଝୁଥିବା ସବୁ ଅଫିସ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌ କରିବେ। ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି। 

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ଭିତରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ବଜ୍ରପାତ ମଧ୍ୟ ହେବ। ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଏମ୍‌ଡି)।

ସେହିପରି ଗୁରୁବାର ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସାଢ଼େ ୮ଟା ଭିତରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢ଼େଙ୍କାନାଳ ଓ ସମ୍ୱଲପୁର ଜିଲ୍ଲା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବ। ଏହି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାଛଡ଼ା ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ଳ ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକରେ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଏମ୍‌ଡି।

ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଶନିବାର ସକାଳ ସାଢ଼େ ୮ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାଛଡ଼ା ଦେବଗଡ଼, ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟର ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଏମ୍‌ଡି।

ସେହିପରି ଶନିବାର ସକାଳ ସାଢ଼େ ୮ଟାରୁ ରବିବାର ସାଢ଼େ ୮ଟା ଭିତରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ଼, ସମ୍ୱଲପୁର, ଅନୁଗୋଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଏମ୍‌ଡି। ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଓ ରାୟଗଡ଼ା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଏମ୍‌ଡି।

Related story