ବର୍ଷାରେ ବେହାଲ୍‌ ସାରା ରାଜ୍ୟ: ରାଜଧାନୀରେ ଘରେ ପଶିଲା ପାଣି, ଭାସିଲା ଶ୍ରୀକ୍ଷେତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଯାଇଛି। ସବୁଠୁ ବଳି ଯାଇଯାଇଛି କଟକ ଓ ଭୁବନେଶ୍ୱରର ସ୍ଥିତି। ରାଜଧାନୀର ତଳିଆ ଅଞ୍ଚଳର ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ବେହାଲ ହୋଇପଡ଼ିଛି ପର୍ଯ୍ୟଟନ ସହର ପୁରୀ। ଇନ୍ଦ୍ରଦ୍ୟୁମ୍ନ ପୋଖରୀର ଶହେ ଫୁଟ୍ ଲମ୍ୱ ପାଚେରି ଭୁଶୁଡି ଥିବା ବେଳେ ଶ୍ରୀମନ୍ଦିରର ଜଗମୋହନରୁ ପାଣି ଗଳିବା ଅଭିଯୋଗ ହୋଇଛି। ବଡ଼ଦାଣ୍ଡରେ ବନ୍ୟା ସ୍ଥିତି ଗତ ୨୪ ଘଣ୍ଟାରେ […]

Heavy rains throw life out of gear in odisha

Ordigital Desk
  • Published: Tuesday, 07 August 2018
  • , Updated: 07 August 2018, 08:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଯାଇଛି। ସବୁଠୁ ବଳି ଯାଇଯାଇଛି କଟକ ଓ ଭୁବନେଶ୍ୱରର ସ୍ଥିତି। ରାଜଧାନୀର ତଳିଆ ଅଞ୍ଚଳର ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ବେହାଲ ହୋଇପଡ଼ିଛି ପର୍ଯ୍ୟଟନ ସହର ପୁରୀ। ଇନ୍ଦ୍ରଦ୍ୟୁମ୍ନ ପୋଖରୀର ଶହେ ଫୁଟ୍ ଲମ୍ୱ ପାଚେରି ଭୁଶୁଡି ଥିବା ବେଳେ ଶ୍ରୀମନ୍ଦିରର ଜଗମୋହନରୁ ପାଣି ଗଳିବା ଅଭିଯୋଗ ହୋଇଛି।

ବଡ଼ଦାଣ୍ଡରେ ବନ୍ୟା ସ୍ଥିତି

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବଦଳି ଯାଇଛି ପର୍ଯ୍ୟଟନ ସହର ପୁରୀର ଚିତ୍ର। ବଡ଼ଦାଣ୍ଡରେ ଅଣ୍ଟାଏ ଓ ବିଭିନ୍ନ ସାହି ଗଳିରେ ଆଣ୍ଠୁଏ ଉଚ୍ଚାରେ ଛୁଟିଛି ବର୍ଷା ପାଣି। ଏକରକମ ଉବୁଟୁବୁ ହେଉଛି ଶ୍ରୀକ୍ଷେତ୍ର।

ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି ରାସ୍ତା, ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମ୍‌ରେ ବି ପଶିଛି ପାଣି। ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରି। ସେହିପରି ଗୋପୀନାଥ ମନ୍ଦିର ନିକଟରେ ୫୦ ଫୁଟ୍ ଓ ରାଧାକୃଷ୍ଣ ଲେନ୍‌ରେ ୬୦ ଫୁଟ ଲମ୍ୱର ପାଚେରି ଭୁଶୁଡ଼ି ପଡିଛି। ବହୁ ସ୍ଥାନରେ ଦୋକାନ ଓ ଘରେ ବି ଆବର୍ଜନା ମିଶା ବର୍ଷା ପାଣି ପଶି ଲୋକଙ୍କୁ ହୀନସ୍ତା କରିଛି। ସେପଟେ ଶ୍ରୀମନ୍ଦିର ଜଗମୋହନରୁ ମଧ୍ୟ ପାଣି ଗଳୁଥିବା ଅଭିଯୋଗ କରିଛନ୍ତି ସେବାୟତ। ଫଳରେ ASIର ମରାମତି କାମର ମାନକୁ ନେଇ ପ୍ରଶ୍ନ ଉଠିଛି।

ହେଲ୍ପଲାଇନ୍‌ ନମ୍ୱର ଜାରି କଲା ବିଏମ୍‌ସି

ଲଗାଣ ବର୍ଷା ପରେ ରାଜଧାନୀର ବହୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ବାହାରେ ଯେମିତି, ଘର ଭିତରେ ବି ସେମିତି ଅବସ୍ଥା। ଆଚାର୍ଯ୍ୟ ବିହାର ଅଞ୍ଚଳରେ ରୋଷେଇ ଘର ଓ ବେଡ୍ ରୁମ୍‌ରେ ଆଣ୍ଠୁଏ ପାଣି। ଘର ଭିତରେ ପଶିଥିବା ନର୍ଦ୍ଦମା ପାଣିରେ ଭାସୁଛି ଗ୍ୟାସ୍‌ ସିଲିଣ୍ଡର, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର। ସମାନ ଦୁର୍ଦ୍ଦଶା ନୟାପଲ୍ଲୀ ବେହେରା ସାହି, ଜୟଦେବ ବିହାର, ସିଆର୍‌ପି ଛକ ଓ ପାଇକ ନଗରରେ ଦେଖିବାକୁ ମିଳିଛି। ଏହିସବୁ ଅଞ୍ଚଳରେ ଗତକାଲି ରାତିରୁ ଲୋକେ ଅଖିଆ ଓ ଅପିଆ ଅବସ୍ଥାରେ ଖଟ ଉପରେ ରହି ସମୟ କାଟୁଛନ୍ତି। କିଛି ସ୍ଥାନରେ ମୋଟର ଦ୍ୱାରା ଝରକା ବାଟେ ଘରୁ ପାଣି ନିଷ୍କାସନ କରୁଛନ୍ତି। ଲଗାଣ ବର୍ଷାକୁ ଦେଖି BMC ପକ୍ଷରୁ ହେଲ୍‌ପ ଲାଇନ୍ (18003450061) ନମ୍ବର ସହ କଣ୍ଟ୍ରୋଲ ରୁମ୍ ନମ୍ବର (0674-2432281) ମଧ୍ୟ ଜାରି ହୋଇଛି। ତଳିଆ ଅଞ୍ଚଳରେ ପମ୍ପ ଯୋଗେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ତୁହାକୁ ତୁହା ବର୍ଷା ଯୋଗୁ ହଜାର ବର୍ଷର ସହର କଟକର ସବୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରକ୍ସିଲେନ୍‌, ରାଜାବଗିଚା, ବାଦାମବାଡ଼ି ସବୁଠି, ଏକାକାର ହୋଇଛି ଡ୍ରେନ୍  ଓ ବର୍ଷା ପାଣି। ଜଳ ନିଷ୍କାସନ ପାଇଁ ସହରର ବିଭିନ୍ନ ସ୍ଥାନରେ ସିଏମସି ପକ୍ଷରୁ ୧୯୦ରୁ ଅଧିକ ପମ୍ପ ନିୟୋଜିତ ହୋଇଛି।

Related story