ସୋନପୁର (ରବୀନ୍ଦ୍ର ହୋତା): ‘ଗାଈ ମୋ ଜୀବନ। ତା’ ବିନା ମୁଁ ବଞ୍ଚିପାରିବିନି। ମୋ ଗାଈ ମୋତେ ଫେରାଇ ଦିଅ, ନ ହେଲେ ଜୀବନ ହାରି ଦେବି ।’ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ଆର୍ତ୍ତ ଚିତ୍କାର କରି ଏପରି ଭାବେ ନିଜ ଅଭିଯୋଗ ଶୁଣାଉଥିଲେ ଜଣେ ନିରାଶ୍ରୟ ମହିଳା। ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ୍ରେ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ନିରାଶ୍ରୟ ମହିଳାଙ୍କ ନାଁ ତରାସ ବାଘ। ତାଙ୍କର ନିଜର ବୋଲି କେହି ନାହାନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ନାହିଁ। କେତେବେଳେ ବସ୍ଷ୍ଟାଣ୍ଡ ତ କେତେବେଳେ ମେଡିକାଲ୍ ବାରଣ୍ଡା ପାଲଟିଥାଏ ତାଙ୍କ ଠିକଣା। ଦିନ ସାରା ବୁଲି ଯାହା ଖାଦ୍ୟ ସଂଗ୍ରହ କରନ୍ତି, ତାକୁ ନିଜେ ଖାଇ ବାକି ବୁଲା ଗାଈଙ୍କୁ ଦିଅନ୍ତି। ଏଥିଯୋଗୁଁ ୪ଟି ଗାଈ ସହ ତରାସଙ୍କ ନିବିଡ଼ତା ବଢ଼ି ଯାଇଥିଲା। ସେମାନଙ୍କୁ ଦିନେ ନ ଦେଖିଲେ ତାଙ୍କୁ ଭଲ ଲାଗୁ ନ ଥିଲା। ତେଣୁ ପ୍ରଶାସନ ତରଫରୁ ଯେତେବେଳେ ଅନ୍ୟ ବୁଲା ଗାଈଗୋରୁଙ୍କ ସହ ସେହି ୪ଟି ଗାଈଙ୍କୁ କାଞ୍ଜିଆହୁଦା ପଠାଇ ଦିଆଗଲା ତରାସ ଦୁଃଖରେ ଭାଙ୍ଗି ପଡ଼ିଲେ। ଉକ୍ତ ଗାଈଙ୍କ ବିନା ସେ ବଞ୍ଚିପାରିବେନି ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି।
[caption id="attachment_711036" align="aligncenter" width="650"]
ସୁବର୍ଣ୍ଣପୁର ସହରରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କାଞ୍ଜିଆହୁଦାକୁ ନେଇ ଛଡ଼ା ଯାଇଛି। ଦୁଇ ମାସ ତଳେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ତରାସ ତାଙ୍କର ସେହି ୪ ଗାଈଙ୍କୁ ଫେରି ପାଇବା ପାଇଁ ବିଭିନ୍ନ ଅଫିସ୍ ଘୁରି ବୁଲିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା। ତେଣୁ ଶେଷରେ ସେ ଆଜି ଜିଲ୍ଲାପାଳ ଅଫିସ୍ ଆସି ତାଙ୍କ କାର୍ ସମ୍ମୁଖରେ ଶୋଇ ତାଙ୍କ ଗାଈମାନଙ୍କୁ ଛାଡ଼ିଦେବାକୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ବୁଲା ଗାଈଙ୍କ ପ୍ରତି ତରାସଙ୍କ ଏ ପ୍ରକାର ଭଲ ପାଇବା ଦେଖି ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ବି ଶେଷରେ ତରଳି ଯାଇଥିଲେ। ଖୁବ୍ଶୀଘ୍ର ତାଙ୍କୁ ତାଙ୍କର ସମସ୍ତ ଗାଈଙ୍କୁ ଫେରାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।