ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ବଂଶଗତ ସେବା ବଜାୟ ରହୁ। କିନ୍ତୁ ସେବାୟତଙ୍କ ସଂଖ୍ୟା ହ୍ରାସ କରାଯାଉ। ଶ୍ରୀମନ୍ଦିର ସଂସ୍କାର ନେଇ ପରିଚାଳନା କମିଟି ସହିତ ଆଲୋଚନା ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଏହି ମତ ରଖିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଶ୍ରୀମନ୍ଦିରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍କୋର୍ଟଙ୍କ ସଂସ୍କାରମୂଳକ ପ୍ରସ୍ତାବ? ଗଜପତି ମହାରାଜାଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଆଡ୍ଭୋକେଟ୍ ଜେନେରାଲ୍, ଛତିଶା ନିଯୋଗଙ୍କ ସହ ମାରାଥନ୍ ଆଲୋଚନା କରିଛନ୍ତି ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଉତ୍ତମ ଦିଶାରେ ହେବ।
ତେବେ ଯେଉଁ ତିନୋଟି ପ୍ରସ୍ତାବକୁ ନେଇ ଅସହମତି ଥିଲା ତା’ ଉପରେ କ’ଣ ରହିଛି ଆମିକସ୍ କ୍ୟୁରୀଙ୍କ ମତ?
ମନ୍ଦିର ଭିତରେ ଅନ୍ନଦାନ ଆଟିକା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ବାହାର ଓ ଭିତର କାଠରେ ଦର୍ଶନ ବେଳେ ଭକ୍ତଙ୍କୁ ଯେମିତି କେହି ବାଧା ନଦିଅନ୍ତି, ତା’ଉପରେ ଆମିକସ୍ କ୍ୟୁରୀ ଗୁରୁତ୍ୱ ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏଥିସହ ସେବାୟତଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଆଇ-କାର୍ଡ ବା ପରିଚୟ ପତ୍ରର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଏପଟେ ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ବାର୍ ଆସୋସିଏସନ୍ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୃଥକ ପୃଥକ ଭାବେ ଆମିକସ୍ କ୍ୟୁରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ତେବେ ସବୁ ପକ୍ଷଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କୁ ଆମିକସ୍ କ୍ୟୁରୀ କିଭଳି ରିପୋର୍ଟ ଦେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିବ।