ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଟା କମ୍ପାନୀରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ମାସ ୪ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏବେ ଝାରପଡ଼ା ଜେଲ୍ରେ ଥିବା ବିଧାୟକ ପାଣିଗ୍ରାହୀ ଜାମିନ ଆବେଦନ କରିଥିବା ବେଳେ ଆଜି ହାଇକୋର୍ଟରେ ତାଙ୍କ ଅଭିଯୋଗର ଶୁଣାଣି ହୋଇଥିଲା। ଏହି ଘଟଣାରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ନିଲମ୍ବିତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଜାଲିଆତିରେ ସଂପୃକ୍ତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ ତାରିଖରେ ଗିରଫ କରାଯାଇଥିଲା । ଟାଟାରେ ଚାକିରିର ଲୋଭ ଦେଖାଇ ଲୋକଙ୍କଠାରୁ ଆକାଶ ପାଠକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରା ଯାଇଥିଲା । ଗିରଫ ହେବା ପରେ ପ୍ରାୟ ମାସେ ହେଲାଣି ପ୍ରଦୀପ ଜେଲ୍ରେ ଅଛନ୍ତି ।
ତାଙ୍କ ପୂର୍ବରୁ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ଭାବୀ ସମୁଦି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ଭାବି ଜ୍ୱାଇଁ ଆକାଶ ପାଠକ ମଧ୍ୟ ଗିରଫ ହୋଇ ଜେଲ୍ରେ ଅଛନ୍ତି।
ସୂଚନାଯୋଗ୍ୟ, ଟାଟାରେ ଚାକିରି ଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଥିବା ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଜେଲ୍ରେ ଅଛନ୍ତି।