ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃ ତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ତଲବ କଲେ ହାଇକୋର୍ଟ । ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମାସେ ପରେ ମାମଲାର ଶୁଣାଣି କରିବାକୁ କହିଲେ ହାଇକୋର୍ଟ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆବେଦନ ଉପରେ କୋର୍ଟଙ୍କ ଶୁଣାଣି । ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି ବିଦ୍ୟାଶ୍ରୀ ।
ଏହା ପୂର୍ବରୁ ସାଇକୋ ଲେଡି ସମ୍ବୋଧନ ଅଭିଯୋଗରେ ଆଦିତ୍ୟଙ୍କ ପୂର୍ବତନ ବାନ୍ଧବୀ ଚିନ୍ମୟୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଆଖ୍ୟା ଯୋଗୁଁ ତାଙ୍କର ସମ୍ମାନ ହାନୀ ହୋଇଛି ବୋଲି ଅଭିଯୋଗ କରି ଚିନ୍ମୟୀ ଖଇରା ଥାନାରେ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଦାଶ, ବିସ୍ମିତ ଦାସ ଓ କିଛି ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏତଲା ଦାଏର କରିଛନ୍ତି।ଏତଲା ପରେ ବିଦ୍ୟାଶ୍ରୀ ଗଣମାଧ୍ୟମରେ ଚିନ୍ମୟୀଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି।
ସେ କହିଛନ୍ତି, ବାହାଘରର ଗୋଟେ ଦିନ ପୂର୍ବରୁ ଆଦିତ୍ୟଙ୍କୁ ଚିନ୍ମୟୀ ଧମକପୂର୍ଣ୍ଣ ମେସେଜ ଦେଇଥିଲେ। ବାହାଘର ପରେ ମଧ୍ୟ ଧମକ ଦେଉଥିଲେ। ଏହାର ସମସ୍ତ ପ୍ରମାଣ ଆଦିତ୍ୟଙ୍କ ମୋବାଇଲରେ ଅଛି। ଯାହା ଆଦିତ୍ୟଙ୍କ ମୃତ୍ୟୁ ପଛର ଠୋସ୍ ପ୍ରମାଣ ବୋଲି ବିଦ୍ୟାଶ୍ରୀ କହିଛନ୍ତି। ସେ କହିଛନ୍ତି, ଚିନ୍ମୟୀ ଆଦିତ୍ୟଙ୍କ ପଛରେ ପଡ଼ିଥିଲେ। କିନ୍ତୁ ତାଙ୍କୁ ପାଇ ପାରିଲେ ନାହିଁ। ସେଥିପାଇଁ ସେ ପ୍ରତିଶୋଧ ପରାୟଣ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।