ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ୭ନଂ ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।  ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରର ଗୋଟିଏ ପଟେ ୩ଟି ଗେଟ୍ ଓ ଆର ପଟେ ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଉଛି  । ହୀରାକୁଦ ବନ୍ୟାଜଳ […]

hirakud gate

Niharika Rout
  • Published: Monday, 18 July 2022
  • , Updated: 18 July 2022, 12:26 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ୭ନଂ ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।  ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରର ଗୋଟିଏ ପଟେ ୩ଟି ଗେଟ୍ ଓ ଆର ପଟେ ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଉଛି  । ହୀରାକୁଦ ବନ୍ୟାଜଳ ଆସନ୍ତାକାଲି  କଟକର ମୁଣ୍ଡଳିରେ ପହଞ୍ଚିବ ।

ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୂର୍ବାହ୍ନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରେ  ୬୧୩.୧୫ ଫୁଟ ଜଳ ଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ । ଡ୍ୟାମରେ ସେକେଣ୍ଡକୁ ପାଖାପାଖି ୧ ଲକ୍ଷ ୨୦ ହଜାର ୧୫୫ ଘନଫୁଟ ଜଳ ପ୍ରବେଶ କରୁଛି। ୪୫ ହଜାର ୯୦୮ ଘନଫୁଟ ଜଳ ନିଷ୍କାସିତ ହେଉଛି।

ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଡ୍ୟାମରେ ଜଳପତ୍ତନ କ୍ରମାଗତ ବଢ଼ି ଚାଲିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଦେଇ ସେକେଣ୍ଡକୁ ପାଖାପାଖି ୧୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ଜଣାଯାଇଛି। ଗେଟ୍ ଖୋଲାଯିବା ପୂର୍ବରୁ ତଳ ମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି  ।

ଗାଇଡଲାଇନ୍‌ ଅନୁଯାୟୀ, ଡ୍ୟାମ କର୍ତ୍ତୃପକ୍ଷ ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନକୁ ୬୦୫ ଫୁଟରେ ରଖିବେ । ବନ୍ୟା ନିୟନ୍ତ୍ରଣ ପାଇଁ ୨୫ ଫୁଟର ବ୍ୟବଧାନ ରଖାଯିବ । ତେଣୁ ଏବେ ଜଳପତ୍ତନ ୬୧୩ ଫୁଟ ଅତିକ୍ରମ କରି ସାରିଥିବା ବେଳେ ଏହାକୁ ୬୦୫ ଫୁଟ୍‌କୁ ହ୍ରାସ କରିବା ଡ୍ୟାମ କର୍ତ୍ତୃପକ୍ଷଙ୍କ ପ୍ରଥମ ପ୍ରାଥମିକତା ହେବ ବୋଲି ଜଣାଯାଇଛି। ତେବେ ଏବେ ଗେଟ୍‌ ଖୋଲାଯାଇଥିଲେ ମଧ୍ୟ ତଳିଆ ଅଞ୍ଚଳ ଲୋକେ ବିଶେଷ ଭୟଭୀତ ହେବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । କାରଣ ଏବେ ମହାନଦୀର ତଳ ଅଞ୍ଚଳରେ ବିଶେଷ ପାଣି ନ ଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଏବେ ତଳ ଅଞ୍ଚଳ ପ୍ରତି ସେପରି କୌଣସି ବନ୍ୟା ଆଶଙ୍କା ନାହିଁ ।  କେବଳ ହୀରାକୁଦ ପାଖାପାଖି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Related story