ଦେବେନ୍ଦ୍ର ପୃଷ୍ଟି
ଏଇଟା ଓଡ଼ିଶାର କେବଳ ବର୍ଷା ବା ଶୀତ ଦିନିଆ ସମସ୍ୟା ନୁହେଁ। ଖରା, ବର୍ଷା, ଶୀତ, ବସନ୍ତ- ପ୍ରାୟ ପ୍ରତ୍ୟେକ ଋତୁରେ ଏଇ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓଡ଼ିଶାବାସୀ। ଆଳୁ ଦର ବଢ଼ିଲେ ପିଆଜ ଦର ବଢ଼େ, ଆଳୁ ଓ ପିଆଜ ଦର ବଢ଼ିଲେ କଖାରୁ ଓ ଅମୃତଭଣ୍ଡା ଦର ବଢ଼େ। ଦି’ ତିନିଟା ପରିବା ଦର ବଢ଼ିଲେ ବାକି ସବୁ ପରିବା ଦର ମଧ୍ୟ ବଢ଼ିଯାଏ। ବେପାରୀଙ୍କ ସ୍ୱର ସହ ସ୍ୱର ମିଳେଇ ସରକାର କହନ୍ତି, ପଶ୍ଚିମ ବଙ୍ଗରେ ଟ୍ରକ ଧର୍ମଘଟ, ତେଣୁ ଆଳୁ ଆସିପାରିନି, ଦର ବଢ଼ୁଛି। କେତେବେଳେ କହନ୍ତି, ମହାରାଷ୍ଟ୍ରରେ ଅଧିକ ବର୍ଷା ହେଲା, ପିଆଜ ଚାଷ ଉଜୁଡ଼ି ଗଲା, ତେଣୁ ପିଆଜ ଆସୁନି, ଦର ବଢ଼ୁଛି। ଆଳୁ ଓ ପିଆଜ ଉପରେ ଓଡ଼ିଶାବାସୀ ବର୍ଷକ ବାର ମାସ ପଶ୍ଚିମ ବଙ୍ଗ ଓ ମହାରାଷ୍ଟ୍ର ଉପରେ ନିର୍ଭରଶୀଳ। ଏ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଆଳୁ ଓ ପିଆଜ ମିଶନ ଆରମ୍ଭ କଲେ। କେଇ କୋଟି ଟଙ୍କା ଖର୍ଚ୍ଚ ହେଲା। ସମସ୍ୟା ଗଲା ନାହିଁ, ବରଂ ବଢ଼ିଲା। ବଜାରରେ ଏବେ ଆଳୁ ଦର ୨୨ ଟଙ୍କା, ପିଆଜ ଦର ୮୦ ଟଙ୍କା। ମିଶନ କେଉଁ କାମକୁ ଆସିଲା ତାହା ନେତାଙ୍କୁ ଜଣା, ନହେଲେ ବାବୁଙ୍କୁ। ଓଡ଼ିଶା ସରକାର ଏଯାଏଁ ଓଡ଼ିଶାବାସୀଙ୍କ ଆବଶ୍ୟକତା ଅନୁସାରେ ଆଳୁ ଓ ପିଆଜ ଫଳେଇ ପାରିଲେ ନାହିଁ କି ଯେତକ ଫଳୁଛି ତିରୋଟ ସମୟ ପାଇଁ ତାହାର ସଂରକ୍ଷଣ ବ୍ୟବସ୍ଥା କରିପାରିଲେ ନାହିଁ। ଫଳରେ ପ୍ରତି ବର୍ଷ ଓଡ଼ିଶାବାସୀଙ୍କର ହଜାର ହଜାର କୋଟି ଟଙ୍କା ଆଳୁ ଓ ପିଆଜ ବାଟେ ପଶ୍ଚିମ ବଙ୍ଗ ଓ ମହାରାଷ୍ଟ୍ର ବେପାରୀଙ୍କ ପାଖକୁ ପଳାଉଛି। ସେ ଟଙ୍କା ରହିଥିଲେ ଓଡ଼ିଆ ଲୋକ ସେଥିରେ ପିଲାମାନଙ୍କ ପାଠପଢ଼ା ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ସହିତ ଘରର ଅନ୍ୟାନ୍ୟ ଖର୍ଚ୍ଚ ତୁଲେଇ ପାରନ୍ତେ। ଶବ ପୋଡ଼ିବାକୁ ହରିଶ୍ଚନ୍ଦ୍ର ଯୋଜନା ଉପରେ ବି ନିର୍ଭର କରିବାକୁ ପଡ଼ନ୍ତା ନାହିଁ
ଖାଲି ଆଳୁ ଓ ପିଆଜ ନୁହେଁ, କଟକ ଓ ଭୁବନେଶ୍ୱର ପରି ସହରୀ ବଜାର ଭାଉ ତର୍ଜମା କଲେ, ସ୍ପଷ୍ଟ ବୁଝିହୁଏ ଯେ ଓଡ଼ିଶାରେ ବୋଧହୁଏ କୌଣସି ପରିବାର ହେଉନାହିଁ। ସାରୁ କିଲୋ ଏବେ ୬୦ ଟଙ୍କା। ବିନ୍ସ ଓ ଝୁଡ଼ଙ୍ଗ କିଲୋ ୮୦ ଟଙ୍କା, କାକୁଡ଼ି କିଲୋ ବି ୬୦। ମାଟି ଆଳୁ ୧୨୦, ମୂଳା ଗୋଟା ୧୦ ଟଙ୍କା, କୋବି ଗୋଟା ୫୦ ଟଙ୍କା। ବାଇଗଣ ୮୦, ବିଲାତି ବାଇଗଣ ୫୦, ଜହ୍ନି ୭୦କୁ ଭେଣ୍ଡି ୭୦। କୋଶଳା ଶାଗ ବିଡ଼ା ୧୦ରୁ ୧୫ ଟଙ୍କା। କଞ୍ଚା କଦଳୀ ଗୋଟା ୧୦ ଟଙ୍କା, କଞ୍ଚା ଲଙ୍କା ଶହ ୧୦-୧୫ ଟଙ୍କା, ଧଣିଆ ପାଞ୍ଚଟା ଗଛର ବିଡ଼ାକୁ ୧୦ ଟଙ୍କା। ଗାଜର, ବିଟ୍, ସିମଳା ମିର୍ଚ୍ଚା ବା କ୍ୟାପ୍ସିକମ୍, ସଜନା ଛୁଇଁ- ଯେଉଁ ପରିବା କୁହ କାହାରି ଦର ୫୦-୬୦ ଟଙ୍କା ତଳକୁ ନାହିଁ। ଏବେ ପୁଣି ଶୀତ ଆସିଲାଣି, ପରିବା ଦର କମିବା କଥା। ପୁରୁଣା ଦିନେ ବର୍ଷା ପରେ ପରେ ଓଡ଼ିଶା ସାରା ବିଭିନ୍ନ କିସମର ପରିବା ଫଳୁଥିଲା। ଏବେ ସେସବୁ ସ୍ୱପ୍ନ। ରାଜ୍ୟ ସରକାର ଓଡ଼ିଶାକୁ ଯେତେ ଆଗେଇ ନେଇଛନ୍ତି ବୋଲି ଦାବି କଲେ ବି ଏହା ସତ ଯେ ଓଡ଼ିଶା ଏଯାଏଁ ପରିବା କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରି ନାହିଁ। ଆମିଷ ବଜାର ମଧ୍ୟ ସେହିପରି। ଆନ୍ଧ୍ରରୁ ମାଛ, ଲଙ୍କା, ପାଚିଲା କଦଳୀ, ଅଣ୍ଡା ଆଦି ନଆସିଲେ ନଚଳେ। ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରରୁ ପରିବା ଆସୁଛି।
ଓଡ଼ିଶା ସରକାର ରାଜ୍ୟରେ ବାଡ଼ି ବଗୀଚା ପରିବା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତିବର୍ଷ ଶାଗ ଓ ପରିବା ବିହନ ସହିତ ଖତସାର ବି ମାଗଣାରେ ବଣ୍ଟା ଯାଉଛି। ଅନେକ ସମୟରେ ଚାରା ବି ଦିଆଯାଉଛି। ସେସବୁ ହେଉଛି କ’ଣ? କେତେ ଲୋକଙ୍କ ବାଡ଼ିରେ ପର ପାଇଁ ନହେଲେ ବି ଘର ପାଇଁ ପରିବା ଫଳୁଛି? ଗାଁ କଥା ଛାଡ଼ନ୍ତୁ, ସହରର କାହା ଘରକୁ ଲାଗି ବାଡ଼ି ଅଛି ଯେ ପରିବା ବଗୀଚା ହେବ। ସହରରେ ତ ଯେତିକି ଜମିକୁ ସେତିକି ଘର। ଟିକେ ବି ମାଟି ନାହିଁ, ସବୁ କଂକ୍ରିଟ। ଯଦି କାହାର ବଡ଼ ଜାଗାଟିଏ ଅଛି, ତେବେ ସେଠି ବିଦେଶୀ ଘାସର ଲନ୍ ହେବ ବରଂ ଶାଗ ପଟାଳିଟିଏ କରିବେ ନାହିଁ, ବାଇଗଣ କି ଲଙ୍କା ବୁଦାଟିଏ ଲାଗିବ ନାହିଁ। ନେତା ଓ ସରକାରୀ କର୍ମଚାରୀମାନଙ୍କୁ ସରକାରୀ ଖର୍ଚ୍ଚରେ ବଡ଼ବଡ଼ ଜାଗା ଓ ଘର ଦିଆଯାଇଛି। ସେଠି ବି ବଡ଼ ବଡ଼ ଲନ୍, ସୌଖୀନ ଗଛର ସାଜସଜା। ଖୁବ କମ୍ ନେତା ଓ ବାବୁ ଅଛନ୍ତି ଯେଉଁମାନେ ବାଡ଼ି ବଗୀଚା କରିବାକୁ ଭଲ ପାଆନ୍ତି। ତାହା ବି ସରକାରୀ ମାଳି ଓ ପିଅନଙ୍କୁ ଖଟେଇ।
ଓଡ଼ିଶା ଶାସନର ବିଧି ଅନୁସାରେ ଘର ଜମିର କିସମ ହେଲା ଘରବାଡ଼ି। ଆଗରୁ ଘର ସହିତ ବାଡ଼ି ମିଶିକି ଥିଲା। ଘରେ ମଣିଷ ରହିବେ, ବାଡ଼ିରୁ ପନିପରିବା, ଫଳମୂଳ ମିଳିବ। ଓଡ଼ିଆ ଘରେ ନିହାତି ଗୁହାଳଟିଏ ଥାଏ, ଯେଉଁଠି ଗାଈଗୋରୁ ରହନ୍ତି। ଗୁହାଳ ଓ ଘରକୁ ଲାଗି ବାଡ଼ି। ବାଡ଼ିରେ ଆମ୍ବ, ପଣସ, ନଡ଼ିଆ, ଆତ, ପିଜୁଳି, ବରକୋଳି, ବେଲ ଆଦି ଗଛ ସହିତ ନିଶ୍ଚିତ ଭାବେ ସଜନା, ଅମୃତଭଣ୍ଡା, କଦଳୀ ଗଛ ଥାଏ। ଚାଳ ଉପରେ କଖାରୁ, ପାଣି କଖାରୁ ଲାଉ ମାଡ଼ିଥାଏ। କେହି କେହି ଶିମ୍ବ ବି ମଡ଼େଇଥାନ୍ତି। ବାଡ଼ିରେ ଋତୁ ଅନୁଯାୟୀ ଶାଗ ପଟାଳି- କୋଶଳା, ଖଡ଼ା, ପାଳଙ୍ଗ, ମେଥି ସାଙ୍ଗକୁ ସବୁଦିନିଆ ନେଉଟିଆ। ପୋଇ ଲତାଟିଏ ଚିରସ୍ଥାୟୀ। ବାଡ଼ରେ ମାଡ଼ୁଥାଏ ସାବିତ୍ରୀ। ଟୁବି ଗାଡ଼ିରେ କଳମ, ସୁନୁସୁନିଆ, ମଦରଙ୍ଗା, ପିତା ଶାଗ। କା ବାଡ଼ିରେ କଇଥ, କା ବାଡ଼ିରେ ଆମ୍ବଡ଼ା, କା ବାଡ଼ିରେ ଓଉ ତ କା ବାଡ଼ିରେ ତେନ୍ତୁଳି।
ଏବେ କିନ୍ତୁ ସେ ଯୁଗ ଆଉ ନାହିଁ। ସହର ସଂସ୍କୃତିରେ ଏବେ ଖାଲି ଘର। ଘରୁ ପଦାକୁ ବାହାରିଲେ ଦାଣ୍ଡ ବା ସଡ଼କ। ସହରୀ ଘରେ ତୁଳସୀ ଗଛଟିଏ ଲଗେଇବାକୁ ବି ଜାଗା ନାହିଁ। କେହି କେହି ଦୋ ମହଲା କି ତିନି ମହଲା ଛାତ ଉପରେ ବଗୀଚା କରୁଛନ୍ତି, ତାହା ଏକ ଭଲ ଅଭ୍ୟାସ, ତେବେ ସେଥିରୁ କ’ଣ ପରିବାରର ପରିବା ଚାହିଦା ମେଣ୍ଟେ? ଗାଁରେ ଘର ସହିତ ବାଡ଼ି ଅଛି, ପଡ଼ିଆ ପଡ଼ୁଛି। ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାକୁ ଯାଇଁ ସରକାର ଯେଉଁ ଟଙ୍କିକିଆ ଚାଉଳ କାର୍ଯ୍ୟକ୍ରମ ଚଳେଇଛନ୍ତି ତା’ ଫଳରେ ଲୋକେ ଧାନଜମି ବି ପଡ଼ିଆ ପକେଇଲେଣି, କାରଣ ମୂଲିଆ ମିଳୁ ନାହାନ୍ତି। ଯିଏ ଚାଷ କରୁଛି, ସରକାରଙ୍କୁ ବିକିବା ପାଇଁ। ବିଲ୍କୁଲ୍ ନଥିଲାବାଲାମାନେ ଗୁଣ୍ଠେ ଅଧଗୁଣ୍ଠେରେ ଶାଗ, ପରିବା କରୁଛନ୍ତି। ନିଜ ଚାହିଦା ମେଣ୍ଟେଇ ଅନ୍ୟମାନଙ୍କୁ ବିକି ଦି’ ପଇସା ପାଉଛନ୍ତି। କିନ୍ତୁ ଅଧିକାଂଶ ଘରର ବାଡ଼ି ଏବେ ପଡ଼ିଆ। ଘରେ ଘରେ ଟିଭି, ହାତେ ହାତେ ମୋବାଇଲ, କେତେ ସିରିଆଲ୍, ଫେସ୍ବୁକ୍ ସାଙ୍ଗ, ହ୍ୱାଟ୍ସଆପ୍ ଭିଡ଼ିଓ। ମହିଳାମାନେ ରାଜନୀତିକ ଦଳ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବେ ସଶକ୍ତ। ପୁରୁଷମାନେ ଭୋଟର ଓ ହିତାଧିକାରୀ। ଟିକିଏ ଚାଲକ୍ ଚୁତର ହୋଇଥିଲେ ଭୋଟ୍-ସଂଗ୍ରାହକ ବା ଦଳୀୟ କର୍ମୀ, ଦଳୀୟ କର୍ମୀ ଭାବେ ଗାଁ ଠିକାଦାର, ଅନେକ ଗାଁ କାମରେ ସରକାରୀ ଭାବେ ଠିକା ବ୍ୟବସ୍ଥା ନିଷିଦ୍ଧ ହୋଇଥିଲେ ବି ଠିକାଦାରଙ୍କ ସଂଖ୍ୟା ହାଉଯାଉ।
ରାଲିରେ ଗଲେ ପାଁ ଶହ, ସ୍ଲୋଗାନ ଦେଲେ ହଜାରେ, ଭୋଟ୍ ଦେଲେ ଦି’ ହଜାରେ, ପୋଷ୍ଟର ବ୍ୟାନର ପତାକା ମାରିଲେ ଚଢ଼ା ମଜୁରୀ। ବର୍ଷ ସାରା ଦଳୀୟ କାମ। ଆଜି ପଂଚାୟତ ନିର୍ବାଚନ, କାଲି ପୌର ନିର୍ବାଚନ, ପଅରିଦିନ ବିଧାନସଭା ଓ ଲୋକସଭା ନିର୍ବାଚନ। ପ୍ରତିବର୍ଷ କଲେଜ ନିର୍ବାଚନ, ସମବାୟ ନିର୍ବାଚନ। ନେତାଙ୍କ ଗସ୍ତ, କର୍ମୀ ସଭା, ପଂଚାୟତ ବୈଠକ, ପଲ୍ଲିସଭା। କାହାକୁ ଫୁରୁସତ ଅଛି ବାଡ଼ିବଗୀଚାରେ ପରିବା ଚାଷ କରିବ! ତା’ଛଡ଼ା ସେଥିରେ କ’ଣ ଷ୍ଟାଟସ୍ ଅଛି? ଟଙ୍କା ଅଛି? ବେପାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଚାକିରି ଓ ଠିକାଦାରିକୁ ଆଉଜି ଅଳସ ଭାଙ୍ଗୁଛନ୍ତି। ବାକି ସମସ୍ତେ ବେକାର। ଘରେ ଜମିବାଡ଼ି ଥିଲେ କରିବାକୁ ଆଗ୍ରହ ନାହିଁ। ଆଗ୍ରହୀ ଯୁବକଙ୍କ ପାଇଁ ଜଳସେଚନ ସୁବିଧା ନାହିଁ। କୃଷି ଶ୍ରମିକ ମିଳୁ ନାହାନ୍ତି। ମାଙ୍କଡ଼ ସମସ୍ୟା। ହଜାରେ ବାହାନା, ଦି’ ହଜାର ବାଧକ।
ଓଡ଼ିଶା ସରକାର ହିସବା କରନ୍ତେନି ରାଜ୍ୟର କେତେ ଟଙ୍କା ଖାଦ୍ୟ ଓ ପନିପରିବା ଆମଦାନୀରେ ବାହାର ରାଜ୍ୟକୁ ଚାଲିଯାଉଛି? ହିସାବ କରନ୍ତେନି ସେ ଟଙ୍କା ରହିଲେ ଲୋକମାନେ ସେ ଟଙ୍କାରେ କ’ଣ କରନ୍ତେ? ଲୋକେ ନିଜ ଖର୍ଚ୍ଚ ଉଠେଇଲେ ରାଜ୍ୟ ସରକାରଙ୍କର କେତେ ଟଙ୍କା ବଂଚନ୍ତା? ସେ ଟଙ୍କାରେ ସରକାର କି କି ବିକାଶମୂଳକ କାର୍ଯ୍ୟ ହାତକୁ ନେଇପାରନ୍ତେ? ବର୍ତ୍ତମାନର ଓଡ଼ିଶା ସରକାର ବିଜୁବାବୁଙ୍କ ନାଁରେ ଏତେ ଯୋଜନା କରୁଛନ୍ତି, ବିଜୁ ପରିବାବାଡ଼ି ଯୋଜନାଟିଏ କରନ୍ତେ ନାହିଁ? ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ବିଜୁ ଯୁବ ବାହିନୀକୁ ସେ ଦାୟିତ୍ୱ ଦିଅନ୍ତେ ନାହିଁ?