ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟ ପରେ ବିଦାୟ ନେବ ବର୍ଷ-୨୦୨୨। ପ୍ରବେଶ କରିବ ନୂଆବର୍ଷ-୨୦୨୩। ତେବେ ଆଗାମୀ ବର୍ଷ ଦେଶ ଓ ରାଜ୍ୟବାସୀଙ୍କ ପାଇଁ କିଭଳି ଫଳାଫଳ ଆଣିବ? ରାଜନୈତିକ ଦୃଶ୍ୟପଟ୍ଟରେ କିଛି ବଡ଼ ପରିବର୍ତ୍ତନ ଆଣିବ କି ନୂଆବର୍ଷ? କଣ କହୁଛି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିରୋଧୀ ନେତାଙ୍କ ଭାଗ୍ୟଫଳ? ଏସବୁକୁ ନେଇ ମତ ଓ ମନ୍ତବ୍ୟ ବାଢ଼ିଛନ୍ତି ଜ୍ୟୋତିଷ ବିଶାରଦ।
ଜ୍ୟୋତିଷ ଓ ଜ୍ୟୋତିର୍ବିଦ ଜ୍ୟୋତିଷ ବିଷାରଦଙ୍କ ମତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଶି ନକ୍ଷତ୍ର ହିସାବରେ ତାଙ୍କୁ ନୂଆବର୍ଷ ବେଶ ଭଲ ଫଳ ପ୍ରଦାନ କରିବ। ଆସନ୍ତା ବର୍ଷ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ। ଶାସକ ଦଳକୁ ବିରୋଧୀଙ୍କ ସହଯୋଗ ମିଳିବ। ସାଧାରଣ ନିର୍ବାଚନ ୨୦୨୪ ମେ’ ପରେ ହେଲେ ଏନ୍ଡିଏର ଆସନ ସଂଖ୍ୟା ବଢ଼ିବ।
ସେହିଭଳି ରାହୁଲ ଗାନ୍ଧିଙ୍କ ରାଶି ଓ ଗ୍ରହ ନକ୍ଷତ୍ର ଅବଲୋକନ କଲେ, ତାଙ୍କ ପାଇଁ ବି ୨୦୨୩ ଭଲ ଫଳ ଆଣିବା ସମ୍ଭାବନା ରହିଛି। ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି।
ଏପଟେ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ପାଇଁ ମଧ୍ୟ ୨୦୨୩ ଅନେକ ଭଲ ଖବର ଆଣିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ତେବେ ନବୀନଙ୍କ ରାଶି ନକ୍ଷତ୍ରକୁ କେତୁ ମହାଦଶା ଥିବାରୁ ଶନିଙ୍କ କୋପ ରହିପାରେ। ଏହା ବିରୋଧୀ ଦଳଙ୍କ ପାଇଁ ସୁଯୋଗ ଆଣିପାରେ। ଆସନ୍ତାବର୍ଷ ରାଜ୍ୟରେ ସରକାର ପରିବର୍ତ୍ତନର ଆଶଙ୍କା ନଥିଲେ ବି ବିଭିନ୍ନ ସମସ୍ୟା ନେଇ ବିରୋଧୀ ଏବଂ ପ୍ରଜା ଆନ୍ଦୋଳନ ବଢିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍। ରାଜ୍ୟରେ ଆଗୁଆ ନିର୍ବାଚନ ହେଲେ ଶାସକ ଦଳ ସିଟ୍ ସଂଖ୍ୟା ଅପେକ୍ଷାକୃତ କମିବ ବୋଲି ଜ୍ୟୋତିର୍ବିଦମାନେ ପୂର୍ବାନୁମାନ ଲଗାଇଛନ୍ତି।
ଏପଟେ ବର୍ଷ ୨୦୨୩ ଦେଶ ପାଇଁ ଭଲ ଫଳ ଆଣିପାରେ। ପ୍ରଗତି କ୍ଷେତ୍ରରେ ଦେଶ ଆଗକୁ ଯିିବ। ବିଜ୍ଞାନ ଓ କଳା କୌଶଳ କ୍ଷେତ୍ରରେ ମଧ୍ୟ ଦେଶ ଆଗକୁ ବଢିବ। ଉଭୟ ଦେଶ ଓ ରାଜ୍ୟ ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରନ୍ତି। ବିପର୍ଯ୍ୟୟରେ ବହୁ ଲୋକଙ୍କ ଧନଜୀବନ ଯାଇପାରେ। ସେପଟେ ରାଜ୍ୟରେ ଅନେକ ଯୋଜନା କେବଳ ଧୂଆଁବାଣ ହେବା ସହ ନିଅଣ୍ଟିଆ ବଜେଟ୍, ଆର୍ଥିକ ସମସ୍ୟା ଭିତରେ ରାଜ୍ୟାବାସୀ ଗତି କରିବେ। ତେବେ ଚାଷରେ ଅମଳ ଭଲ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଜ୍ୟୋତିର୍ବିଦ୍।
ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ, ଜ୍ୟୋତିର୍ବିଦ୍ ଡ. ନିରଞ୍ଜନ ମହାପାତ୍ର ଏନେଇ ମତ ପ୍ରକାଶ କରିଛନ୍ତି।