କେତେ ସୁରକ୍ଷିତ ଆଇଟିଆର୍‌ ଓ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର?

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ହନିଟ୍ରାପ୍‌ରେ ପଡ଼ି ଗିରଫ ହୋଇଛନ୍ତି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)ର ୪ ଠିକା ଓ ଜଣେ ସ୍ଥାୟୀ କର୍ମଚାରୀ। ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ୫ ଜଣ ଗିରଫ ହେବା ପରେ ଚାନ୍ଦିପୁର ଆଇଟିଆର୍‌ ଓ ଭଦ୍ରକ ଜିଲ୍ଲାରେ ଥିବା ଅବଦୁଲ୍‌ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର କେତେ ସୁରକ୍ଷିତ? ଓଡ଼ିଶାରେ ରହିଛି ବିସ୍ତିର୍ଣ୍ଣ ବେଳାଭୂମୀ। ବାଲେଶ୍ୱରରୁ […]

dhamara-abdul-kalam-missile-testing-centre

Manoranjan Sial
  • Published: Friday, 17 September 2021
  • , Updated: 17 September 2021, 08:20 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ହନିଟ୍ରାପ୍‌ରେ ପଡ଼ି ଗିରଫ ହୋଇଛନ୍ତି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)ର ୪ ଠିକା ଓ ଜଣେ ସ୍ଥାୟୀ କର୍ମଚାରୀ। ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ୫ ଜଣ ଗିରଫ ହେବା ପରେ ଚାନ୍ଦିପୁର ଆଇଟିଆର୍‌ ଓ ଭଦ୍ରକ ଜିଲ୍ଲାରେ ଥିବା ଅବଦୁଲ୍‌ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର କେତେ ସୁରକ୍ଷିତ?

ଓଡ଼ିଶାରେ ରହିଛି ବିସ୍ତିର୍ଣ୍ଣ ବେଳାଭୂମୀ। ବାଲେଶ୍ୱରରୁ ପୁରୀ। ପୁରୀରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଲମ୍ୱିଛି ସମୁଦ୍ରର ନୀଳ ଜଳରାଶି। ଏହି ବିସ୍ତିର୍ଣ୍ଣ ବେଳାଭୂମିରେ ଗଢ଼ି ଉଠିଛି ଅନେକ ଛୋଟ ବଡ଼ ଗାଁ। ଯେଉଁଠି ରହୁଛନ୍ତି ଶହଶହ ବାଂଲାଦେଶୀ। ଏମାନେ ଛଦ୍ମବେଶରେ ଅନାୟସରେ ସବୁ ଅଞ୍ଚଳ ଘୂରି ବୁଲୁଛନ୍ତି। ତେବେ ଏଠି ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ତଥ୍ୟ ଲିକ୍‌ ମାମଲାରେ  ୫ ଜଣ ଗିରଫ କରେ ପରେ କେତେ ସୁରକ୍ଷିତ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ? ତା’ସହ ଶତ୍ରୁଙ୍କ ପାଇଁ କେତେ ଅଭେଦ୍ୟ ପଡ଼ୋଶୀ ଭଦ୍ରକ ଧାମରାରେ ଥିବା ଅବଦୁଲ୍‌ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର? ଧାମରା ମଧ୍ୟ କେତେ ବିପଦମୁକ୍ତ? କାରଣ ଏସବୁର ଚାରି ପାଖରେ ଅହରହ ବୁଲୁଛନ୍ତି ମାଳ ମାଳ ବାଂଲାଦେଶୀ ଅନୁପ୍ରବେଶକାରୀ।

ସ୍ଥାନୀୟ ଶରଣାର୍ଥୀଙ୍କ ସହଯୋଗରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ନିୟମିତ ଯିବାଆସିବା କରୁଛନ୍ତି। ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଓ ପୁରୀ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମୀକୁ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଏକ ପ୍ରକାର ସ୍ଥାୟୀ ଠିକଣା କରି ସାରିଲେଣି। ଯେହେତୁ ଚାନ୍ଦିପୁର ଓ ହ୍ୱିଲ୍‌ର ଦ୍ୱୀପଠାରୁ ବାଂଲାଦେଶର ଦୂରତ୍ୱ ଜଳପଥରେ ବହୁତ କମ୍‌ ଏବଂ ସମୁଦ୍ରରେ ଏମାନଙ୍କ ଅବାଧ ଚଳପ୍ରଚଳ ରହିଛି, ତେଣୁ ଅନୁପ୍ରବେଶକାରୀଙ୍କ ମାଧ୍ୟମରେ ଅନାୟସରେ ଗୁପ୍ତ ତଥ୍ୟ ଶତ୍ରୁ ପକ୍ଷର ହାତକୁ ଚାଲିଯିବାରେ କିଛି ବି ଅସୁବିଧା ନାହିଁ ବୋଲି ପୂର୍ବତନ ପୁଲିସ ଅଧିକାରୀ ଓ ବୁଦ୍ଧିଜୀବୀ କହିଛନ୍ତି।

ସେପଟେ ଏନଆଇଏ ଅଧିକାରୀ ଆଜି ଆଇଟିଆରର କିଛି ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତେଣେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଭାର ହାତକୁ ନେଉ ନେଉ ପ୍ରଥମେ ଉଭୟ ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ବିଦେଶୀ ଲିଙ୍କ ଖୋଜିବା ଆରମ୍ଭ କରିଦେଇଛି। ତା’ସହ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ଲିକ୍‌ର ମୂଳ ଯାଏଁ ଯିବାକୁ ଚେଷ୍ଟା ଚଳାଇଛି। ସେପଟେ ଏଭଳି ଦେଶଦ୍ରୋହୀ କାର୍ଯ୍ୟରେ କେବଳ ଏଇ ୫ ତଳିଆ କର୍ମଚାରୀ ଅଛନ୍ତି ନା ବଡ଼ ମାଛ ବି ସାମିଲ ଅଛନ୍ତି? ଯେହେତୁ ଗୁରୁବାର ଗିରଫ ହୋଇଥିବା ସଚିନ କୁମାର ନାମକ ଡ୍ରାଇଭର କିଛି ବର୍ଷ ତଳେ ଆଟିଆରର ବରିଷ୍ଠ ଅଧିକାରୀଙ୍କ ଗାଡ଼ି ଚଳାଉଥିଲେ, ତେଣୁ ଅଫିସର ଓ ବୈଜ୍ଞାନିକଙ୍କ ଆତଯାତ ସମ୍ପର୍କରେ ତାଙ୍କ ପାଖରେ ବିସ୍ତୃତ ତଥ୍ୟ ଥିବ ନିଶ୍ଚୟ। ତେଣୁ ସେ ଏବେ ସବୁଠାରୁ ଅଧିକ ସ୍କାନରରରେ। ତେବେ ତଦନ୍ତ ଚାଲିଥିଲେ ମଧ୍ୟ ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ, ସେ ନେଇ ଏବେ ଅଧିକ କିଛି ତଥ୍ୟ ଦେଇ ହେବନି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଆଡିସନାଲ ଏସ୍‌ପି ପ୍ରଶାନ୍ତ ବିଶୋଇ।

Related story