ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜିଟାଲ୍ ଭାରତରେ ମହାକାରୀ କୋଭିଡ୍ କାଳରେ କେତେ ପିଲା ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି? ଆଉ କେତେ ପିଲା ପାଠ ପଢ଼ା ଛାଡ଼ିଦେଲେଣି? ଆଜିକାଲି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ “ଲକ୍ଡ ଆଉଟ୍: ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍” ସର୍ଭେ ରିପୋର୍ଟ ଦେଇଛି ଉଦ୍ବେଗଜନକ ତଥ୍ୟ।
ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି। ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ଏଣେ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ତୁରନ୍ତ ସ୍କୁଲ ଖୋଲିବା ସପକ୍ଷରେ ମତ ରଖିଛନ୍ତି ଗ୍ରାମାଞ୍ଚଳର ୯୭ ପ୍ରତିଶତ ଓ ସହରାଞ୍ଚଳର ୯୦ ପ୍ରତିଶତ ଅଭିଭାବକ। ଓଡ଼ିଶାରେ ମଧ୍ୟ ଅନ୍ଲାଇନରେ ସବୁ ପିଲାଙ୍କୁ ଶିକ୍ଷାଦାନ କରିବା ସମ୍ଭବ ହେଉନଥିବା ସ୍ୱୀକାର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି, ରାଜ୍ୟର ପାଖାପାଖି ୨୨ ପ୍ରତିଶତ ପିଲା ଅନ୍ଲାଇନ୍ରେ ପଢ଼ୁଛନ୍ତି। କିନ୍ତୁ ଅଫ୍ଲାଇନ ପାଠପଢ଼ା ଆରମ୍ଭ ହେବା ପରେ ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ୭୦% ପିଲା ସ୍କୁଲ ଆସିଲେଣି ବୋଲି ଶ୍ରୀ ଦାଶ କହିଛନ୍ତି।
ଡିଜିଟାଲ୍ ଭାରତରେ ଗ୍ରାମାଞ୍ଚଳରେ ଅପହଞ୍ଚ ଅନଲାଇନ ଶିକ୍ଷା। ବାଧକ ସାଜିଛି ସ୍ମାର୍ଟଫୋନ। ସେପଟେ ନେଟ୍ୱାର୍କ ନ ଥିବାରୁ ଅନେକ ଛାତ୍ରଛାତ୍ରୀ ପଢ଼ାରେ ବନ୍ଧା ହେଲାଣି ଡୋରୀ। ଏମିତି ଚିତ୍ର ଆସିଛି ଉପାନ୍ତ ରାୟଗଡ଼ା ଜିଲ୍ଲାରୁ। ଦୀର୍ଘ ଦେଢ଼ ବର୍ଷ ଧରି ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନ ପାଠ ପଢ଼ିପାରୁ ନାହାନ୍ତି। ଏପରିକି ସ୍ମାର୍ଟଫୋନ୍ର ବ୍ୟବସ୍ଥା ନଥିବାରୁ ପିଲାମାନେ ଗୋରୁ ଚରାଉଛନ୍ତି। ଆଉ ଗାଁ ଦାଣ୍ଡରେ ଖେଳୁଥିବା ଦେଖିବାକୁ ମିଳିଛି। ଏଭଳି ଚିତ୍ର କେବଳ ରାୟଗଡ଼ା ଜିଲ୍ଲାରେ ନୁହେଁ, ରାଜ୍ୟର ପ୍ରାୟ ସବୁ ପଛୁଆ ଅଞ୍ଚଳରେ ଦେଖିବାକୁ ମିଳୁଛି।
ସମାନ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ। ମୋବାଇଲ୍ ନେଟ୍ୱାର୍କ ନଥିବାରୁ ପିଲାମାନେ ମଞ୍ଚାରେ ବସି ପାଠ ପଢ଼ୁଛନ୍ତି। ଆଉ କେଉଁଠି ପିଲାମାନେ ପାହାଡ଼ରେ ବସି ଅନ୍ଲାଇନ୍ କ୍ଲାସ କରୁଛନ୍ତି। ଏମାନଙ୍କ ଲାଗି ପଢ଼ିବା କାଠିକର ପାଠ ହୋଇପଡ଼ୁଛି।