ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ପ୍ରତିଦିନ ରାଜ୍ୟରେ କେତେକ ଲୋକଙ୍କ ମୃତ୍ୟୁ ହେଉଛି? ଏହାର ଉତ୍ତର କାହା ପାଖରେ ନାହିଁ। ତେବେ ପ୍ରତିଦିନ ଦେଖାଯାଉଥିବା କରୋନା ମୃତ୍ୟୁ ସଂଖ୍ୟା ପିଛିଲା କହି ଚୁପ୍ ବସିଛନ୍ତି ସରକାର। ଇତି ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ୬୫୦୦ ଅତିକ୍ରମ କରିସାରିଲାଣି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ବେଳେ କରୋନା ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଆଜି ଦିଆଯାଇଥିବା ହିସାବରେ ଆଉ ୬୬ ମୃତ୍ୟୁ ହୋଇଛି।
ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ମଧ୍ୟ କାହିଁକି କମିବାର ନା ଧରୁନି ମୃତ୍ୟୁ ସଂଖ୍ୟା? ଏନେଇ ସ୍ୱାସ୍ଥ୍ୟ ବିଭାଗ ନିଜ ସଫେଇରେ କହୁଛି, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଦର୍ଶାଯାଉଛି, ତାହା ଏବେର ନୁହେଁ। ସେସବୁ ଅଡିଟେଡ୍ ଡେଥ୍ ରିପୋର୍ଟ। ଅର୍ଥାତ୍ ପୂର୍ବରୁ କରୋନାରେ ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା, ସେମାନଙ୍କ ରିପୋର୍ଟରେ ଦେଖାଯାଇ ନଥିଲା। ଏହା ହେଉଛି ତାହାରି ସଂଖ୍ୟା।
କରୋନା ମୃତ୍ୟୁକୁ ନେଇ କିଛିଦିନ ତଳେ ସ୍ୱାସ୍ଥ୍ୟ ବିଭାଗ କହିଥିଲା, ୧୫ ଦିନ ଭିତରେ ସବୁ ଅଡିଟ୍ ସରିଯିବ। ଏହା ପରଠାରୁ କେବଳ ସାନି କରୋନା ମୃତ୍ୟୁ ସଂଖ୍ୟା ଦିଆଯିବ। ଏବେ ପ୍ରଶ୍ନ ଉଠୁଛି, କରୋନା ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର?
କରୋନା ମୃତ୍ୟୁକୁ ନେଇ ନିକଟରେ ରାଜ୍ୟ ସରକାର ଏକ ସତ୍ୟପାଠ ଦାଖଲ କରିଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ତୁରନ୍ତ କରୋନା ମୃତ୍ୟୁ ନେଇ ବିସ୍ତୃତ ତଥ୍ୟ ଥିବା ଏକ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ରାଜ୍ୟ ସରକାରଙ୍କ କରୋନା ମୃତ୍ୟୁ ଅଙ୍କକୁ ନେଇ ଆଜି ବିରୋଧୀ ବିଜେପି ସରକାରଙ୍କୁ କାଠଗଡ଼ାକୁ ଟାଣିଛି।
ଦଳ ଅଭିଯୋଗ କରିଛି, ରାଜ୍ୟ ସରକାର ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି। ପୂର୍ବରୁ ଯେଉଁଠି ଦିନକୁ ୫୦-୬୦ ଶବ ଦାହ ହେଉଥିଲା, ସେଠି ୪-୫ କୋଭିଡ୍ ମୃତ୍ୟୁ ଦେଖାଉଥିଲେ। ଅନେକ ମୃତ୍ୟୁକୁ ହୃଦ୍ଘାତ ଜନିତ ଦର୍ଶାଇଥିଲେ। ଏବେ ସେ ଗୁଡ଼ିକୁ ପୁଣି ଥରେ ବଦଳାଉଛନ୍ତି। ତେଣୁ ଅଡିଟ୍ ବାହାନାରେ ସମୟ ନେଉଛନ୍ତି।
ବିଜେଡି ଏହି ପ୍ରଶ୍ନର ଉତ୍ତର ସିଧାସଳଖ ନଦେଇ ବାଆଁରେଇ ଯାଇଥିଲା।