ଭୁବନେଶ୍ୱର (ପ୍ରକାଶ ସେଠୀ): ମହାନଦୀର ସୁରକ୍ଷା ପାଇଁ ‘ସବୁଜ ମହାନଦୀ ମିଶନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବୁଢ଼ାରଜାଠାରେ ମହାନଦୀ ବ୍ରିଜ୍ ନିକଟରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଏହି ‘ସବୁଜ ମହାନଦୀ ମିଶନ’ ନିମନ୍ତେ ଧାର୍ଯ୍ୟ ପାଣ୍ଠିକୁ ନେଇ ବିବାଦ ସୃଷ୍ଟି ହୋଇଛନ୍ତି।
ଆଜି ରାଜ୍ୟର ପ୍ରମୁଖ ସମ୍ୱାଦପତ୍ରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ଅନୁସାରେ, ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଓ ଉପନଦୀ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ‘ସବୁଜ ମହାନଦୀ ମିଶନ’ ଆରମ୍ଭ କରାଯାଉଛି। ୫ବର୍ଷରେ ରାଜ୍ୟର ସବୁ ପ୍ରମୁଖ ନଦୀର ଉଭୟ ପାର୍ଶ୍ୱରେ ଥିବା ୪୧ ହଜାର ହେକ୍ଟର ଜମିରେ ବନୀ କରଣ ଓ ୫ ହଜାର କିମି ପଥପାର୍ଶ୍ୱରେ ୫ କୋଟିରୁ ଊର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କା ବ୍ୟୟ କରାଯିବ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ପ୍ରମୁଖ ନଦୀଗୁଡ଼ିକ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯିବ। ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମରେ ମହାନଦୀ, ତେଲ୍ ଓ ଇବ୍ ନଦୀର ଉଭୟ ପାର୍ଶ୍ୱରେ ୨କୋଟି ଗଛ ଲଗାଯାଉଛି। ଏଥିରେ ୧୬,୫୦୦ ହେକ୍ଟର ଜମିରେ ବନୀକରଣ ଓ ୫୦୦ କିମି ଅଞ୍ଚଳରେ ପଥପ୍ରାନ୍ତ ବୃକ୍ଷ ରୋପଣ ହେବ। କେବଳ ୨୦୧୮-୧୯ ମସିହାରେ ୬୩ ଲକ୍ଷ ବୃକ୍ଷ ରୋପଣ ହେବ। ତେବେ କାର୍ଯ୍ୟକ୍ରମକୁ ଆଜି ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନଦୀ କୂଳରେ ଥିବା ୧୫ଟି ଜିଲ୍ଲାର ୧୩୦୩ଟି ଗାଁରେ ଚଳିତବର୍ଷ ୨କୋଟି ଟଛ ଲଗାଯିବ।
ତେବେ, ମହାନଦୀର ସୁରକ୍ଷା ପାଇଁ ବାସ୍ତବରେ ବିଜେଡି ସରକାର ଏହି ୫ ହଜାର କୋଟି ଟଙ୍କାର ବନୀକରଣ ଯୋଜନା କରିଛନ୍ତି ନା ଦଳୀୟକର୍ମୀ ଓ ନେତାଙ୍କୁ ଗଛ ଲଗାଇବା ନାଁରେ ରାଜକୋଷ ପାଣ୍ଠିକୁ ଟେକି ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।