ଭଦ୍ରକ (ପାର୍ଥ ସାରଥୀ ନାୟକ): ଯୌତୁକ ଲୋଭି ମଦ୍ୟପ ସ୍ୱାମୀ ଘଟାଇଲା ଉନ୍ମକ୍ତକାଣ୍ଡ । ୫୦ ହଜାର ଟଙ୍କା ପାଇଁ ସ୍ତ୍ରୀର ବେକ କାଟି ଦେଲା । ରକ୍ତାକ୍ତ ଅବସ୍ଥାରେ ସ୍ତ୍ରୀ ଛଟପଟ ହେଉଥିବା ବେଳେ ଫେରାର ହୋଇଗଲା ସ୍ୱାମୀ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ନିକଟ ବଣିଆ କାଞ୍ଚପଡ଼ା ଗାଁରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି।
ବଣିଆ କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଗାୟତ୍ରୀ ଜେନାଙ୍କୁ ବିବାହ କରିଥିବା ବେଳେ ଉଭଙ୍କର ଏକ ୪ ବର୍ଷର ପୁଅ ଅଛି। ଜଗବନ୍ଧୁ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ବେଳେ ଅଧିକ ଯୌତୁକ ଆଣିବାକୁ ଗାୟତ୍ରୀଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା । ଏଥିରେ ଅତିଷ୍ଠ ହୋଇ ଗାୟତ୍ରୀ ଅଧିକାଂଶ ସମୟ ବାପ ଘରେ ରହୁଥିଲେ।
ଭବିଷ୍ୟତରେ ଏପରି ଭୁଲ୍ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ପ୍ରାୟ ୨ ମାସ ପୂର୍ବେ ଜଗବନ୍ଧୁ ପତ୍ନୀ ଓ ପୁଅଙ୍କୁ ନିଜ ଘରକୁ ଆଣିଥିଲେ। ହେଲେ ଏହା ପରେ ଗାୟତ୍ରୀଙ୍କ ଉପରେ ନିର୍ଯାତନାର ମାତ୍ର ବଢ଼ି ଚାଲିଥିଲା।
ଗତ ରାତିରେ ଜଗବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିବା ବେଳେ ବାପଘରୁ ୫୦ ହଜାର ଆଣିବାକୁ ଗାୟତ୍ରୀଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପତ୍ନୀ ଶୋଇଥିବା ବେଳେ ଆଜି ଭୋରରେ ଜଗବନ୍ଧୁ ତାଙ୍କ ବେକକୁ ଏକ ଧାରୁଆ ଛୁରୀରେ କାଟି ଦେଇଥିଲେ।
ଗାୟତ୍ରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସାବରଙ୍ଗ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଜଗବନ୍ଧୁଙ୍କୁ କାବୁ କରି ଅଟକ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।