ତାରରେ ସ୍ତ୍ରୀର ବେକ ଚାପିଦେଲା ସ୍ୱାମୀ, ମେଡିକାଲ୍‌ ନେବା ଥିଲା ମିଛ ବାହାନା

ନୂଆପଡା (ମାୟାଧର ସରାଫ): ମାଆ ହେବେ ନୀଲେଦ୍ରୀ। ସେଥିପାଇଁ ବେଶ୍‌ ଖୁସି ଥିଲେ। କାଳ ବିଳମ୍ୱ ନକରି ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ସ୍ୱାମୀଙ୍କ ସହିତ ବାହାରି ପଡ଼ିଥିଲେ। କିନ୍ତୁ ପରଖି ପାରିନଥିଲେ ସ୍ୱାମୀଙ୍କ କପଟ ବୁଦ୍ଧି। ଯେଉଁଥିପାଇଁ ସ୍ୱାମୀଙ୍କ ମୃତ୍ୟୁ ଫାଶରେ ପଡ଼ି ଯାଇଥିଲେ ନୀଲେଦ୍ରୀ। ଅତି ନିର୍ଦ୍ଦୟ ଭାବେ ନୀଲେଦ୍ରୀଙ୍କୁ ତାଙ୍କ ସ୍ୱାମୀ ଓ ଦୁଇ ସାଙ୍ଗ ବାଇକ୍‌ ଏକ୍ସିଲେଟର ତାରରେ ଚାପି ଦେଇଥିଲେ। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ସିନାପାଲି ଥାନା ଘୁଚାଗୁଡା […]

nuapada

nuapada

Manoranjan Sial
  • Published: Monday, 27 July 2020
  • Updated: 27 July 2020, 10:10 PM IST

Sports

Latest News

ନୂଆପଡା (ମାୟାଧର ସରାଫ): ମାଆ ହେବେ ନୀଲେଦ୍ରୀ। ସେଥିପାଇଁ ବେଶ୍‌ ଖୁସି ଥିଲେ। କାଳ ବିଳମ୍ୱ ନକରି ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ସ୍ୱାମୀଙ୍କ ସହିତ ବାହାରି ପଡ଼ିଥିଲେ। କିନ୍ତୁ ପରଖି ପାରିନଥିଲେ ସ୍ୱାମୀଙ୍କ କପଟ ବୁଦ୍ଧି। ଯେଉଁଥିପାଇଁ ସ୍ୱାମୀଙ୍କ ମୃତ୍ୟୁ ଫାଶରେ ପଡ଼ି ଯାଇଥିଲେ ନୀଲେଦ୍ରୀ। ଅତି ନିର୍ଦ୍ଦୟ ଭାବେ ନୀଲେଦ୍ରୀଙ୍କୁ ତାଙ୍କ ସ୍ୱାମୀ ଓ ଦୁଇ ସାଙ୍ଗ ବାଇକ୍‌ ଏକ୍ସିଲେଟର ତାରରେ ଚାପି ଦେଇଥିଲେ। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି।

ସିନାପାଲି ଥାନା ଘୁଚାଗୁଡା ଗାଁର ଭୋଗେଶ୍ୱର ନାଏକ। ତାଙ୍କର ପରିବାର କହିଲେ ପତ୍ନୀ, ୩ ଝିଅ ଓ ଏକମାତ୍ର ପୁଅ। ଏହା ସତ୍ତ୍ୱେ ଭୋଗେଶ୍ୱର ୨୦୦୭ ମସିହାରେ ଘୁଚାଗୁଡା ଗାଁର ନୀଲେନ୍ଦ୍ରୀ ଜଗତଙ୍କୁ ପ୍ରେମ ବିବାହ କରି ଥିଲେ। ଦ୍ୱିତୀୟ ସ୍ତ୍ରୀଙ୍କ ଗର୍ଭରୁ ୨ ଝିଅ ଜନ୍ମ ହୋଇଥିଲେ। ଏବେ ନୀଲେନ୍ଦ୍ରୀ ୬ ମାସର ଗର୍ଭବତୀ ଥିଲେ। ପୂରା ପରିବାର ଏକାଠି ରହୁଥିଲେ। ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ କିଛି ମାସ ତଳେ କୌଣସି କଥାକୁ ନେଇ ଭୋଗେଶ୍ୱର ଓ ଦ୍ୱିତୀୟ ପତ୍ନୀ ନିଲେନ୍ଦ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ଭୋଗେଶ୍ୱର ବିବ୍ରତ ହୋଇ ପଡ଼ିଥିଲେ। ନିଜ ରାସ୍ତାରୁ ନିଲେନ୍ଦ୍ରୀଙ୍କୁ ହଟାଇବା ପାଇଁ ଯୋଜନା କରିଥିଲା।

ଗତ ୧୭ ତାରିଖରେ ସ୍ୱାସ୍ଥ୍ୟ ପରୀକ୍ଷା ବାହାନାରେ ନିଲେନ୍ଦ୍ରୀଙ୍କୁ ଭୋଗେଶ୍ୱର ଡାକି ନେଇଯାଇଥିଲା। ମେଡିକାଲ୍‌ ବୁଲାଇବା ପରିବର୍ତ୍ତେ ନୀଲେଦ୍ରୀଙ୍କୁ କାର୍‌ରେ ସାଇପଲା ଡ୍ୟାମ ଅଭିମୁଖେ ନେଇ ଯାଇଥିଲା। ପୂର୍ବ ଯୋଜନା ଅନୁସାରେ ଭୋଗେଶ୍ୱରଙ୍କ ଦୁଇ ସାଙ୍ଗ ବଲାଙ୍ଗିର ଜିଲ୍ଲା ମାଲପଡା ଗାଁର କବିରାଜ ଖର୍ସେଲ ଓ ତୋଫାନ୍‌ ଓରଫ ଘନଶ୍ୟାମ ସୁନା ଡ୍ୟାମ ପାଖରେ ଉପସ୍ଥିତ ଥିଲେ। ନୀଲେଦ୍ରୀ ପହଞ୍ଚିବା ପରେ ତାଙ୍କ ବେକକୁ ବାଇକ୍‌ ଏକ୍ସିଲେଟର ତାରରେ ଚାପି ଧରି ମାରି ଦେଇଥିଲେ। ପରେ ମୃତଦେହକୁ ଡ୍ୟାମ ଭିତରକୁ ଫିଙ୍ଗି ଦେଇଥିଲେ।

୧୮ ତାରିଖରେ ସାଇପଲା ଡ୍ୟାମ୍‌ ୨ ନମ୍ବର କେନାଲରେ ଜଣେ ଅଜଣା ମହିଲଙ୍କ ଅର୍ଦ୍ଧ ଉଲ୍ଲଗ୍ନ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏପରିକି ମହିଳାଙ୍କ ଫଟୋ ଆଖପାଖ ଅଞ୍ଚଳର ଥାନାକୁ ପଠାଇ ଥିଲା ପୁଲିସ। ଏହାପରେ ସେ ନିଲେନ୍ଦ୍ରୀଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା। ତା’ ପରେ ପୁଲିସ ସନ୍ଦେହରେ ସ୍ୱାମୀ ଭୋଗେଶ୍ୱର ନାଏକଙ୍କୁ ଆଣି ପଚରାଉଚରା କରିଥିଲା। ଏହି ସମୟରେ ସେ ସାଙ୍ଗମାନଙ୍କ ସହ ମିଶି ପତ୍ନୀକୁ ହତ୍ୟା କରିଥିବା ପୁଲିସ ପାଖରେ ସ୍ୱୀକାର କରିଥିଲା। ଭୋଗେଶ୍ୱରଙ୍କ ସହ ସାଙ୍ଗ କବିରାଜ ଖର୍ସେଲ ଓ ଘନଶ୍ୟାମ ସୁନାଙ୍କୁ ଗିରଫ କରି କୋର୍ଟ ଚଲାଣ କରାଯାଇଛି ବୋଲି ନୂଆପଡା ଏସ୍‌ପି ରାହୁଲ ଜୈନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos