ବିଶ୍ୱାସରେ ବିଷ; ମହିଳାଙ୍କ ଅଗୋଚରରେ କିଡନୀ ଚୋରି କରିନେଲେ ସ୍ୱାମୀ, ନଣନ୍ଦ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ । ଟଙ୍କା ଲୋଭ ଆଗରେ ପର ହୋଇଗଲା ପତ୍ନୀ ।  ସାମାନ୍ୟ ଟଙ୍କା ପାଇଁ ପତ୍ନୀର ଅଗୋଚରରେ ତା’ କିଡନୀ ବିକ୍ରି କରିଦେଲା ସ୍ୱାମୀ। ଏପରି ଅଭାବନୀୟ ଘଟଣା ମାଲକାନଗିରି ଟାଉନ ଥାନା କୋତାମେଟା ଗାଁରେ […]

lady

  • Published: Thursday, 25 August 2022
  • , Updated: 25 August 2022, 12:34 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ । ଟଙ୍କା ଲୋଭ ଆଗରେ ପର ହୋଇଗଲା ପତ୍ନୀ ।  ସାମାନ୍ୟ ଟଙ୍କା ପାଇଁ ପତ୍ନୀର ଅଗୋଚରରେ ତା’ କିଡନୀ ବିକ୍ରି କରିଦେଲା ସ୍ୱାମୀ। ଏପରି ଅଭାବନୀୟ ଘଟଣା ମାଲକାନଗିରି ଟାଉନ ଥାନା କୋତାମେଟା ଗାଁରେ ଘଟିଥିବା ବେଳେ ନ୍ୟାୟ ପାଇଁ ଥାନା ଦ୍ୱାରସ୍ଥ ହୋଇଛନ୍ତି ଅସହାୟ ମହିଳାଜଣକ ।

କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ଓ ରଞ୍ଜିତା କୁଣ୍ଡୁ ୧୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ୨ ପୁଅଝିଅଙ୍କୁ ନେଇ ଉଭୟଙ୍କ ସଂସାର ସୁରୁଖୁରରେ ଚାଲିଥିବା ବେଳେ ଧୀରେ ଧୀରେ ଆରମ୍ଭ ହେଲା ପାରିବାରିକ କଳହ । ଉଭୟ ପ୍ରଶାନ୍ତ ଓ ତାଙ୍କ ଭଉଣୀ ଟଙ୍କା ପାଇଁ ରଞ୍ଜିତାଙ୍କୁ ଅସହ୍ୟ ନିର୍ଯାତନା ଦେବା ଆରମ୍ଭ କଲେ।

ଗତ ୨୦୧୮ ମସିହାରେ ରଞ୍ଜିତାଙ୍କର କିଡନୀ ଷ୍ଟୋନ ହୋଇଥିଲା। ଚିକିତ୍ସା ନିମନ୍ତେ ନଣନ୍ଦ ଓ ସ୍ୱାମୀ ରଞ୍ଜିତାଙ୍କୁ ଭୁବନେଶ୍ୱର ଆଣିଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରକ୍ତ ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷା ହେବ କହି ଆଡମିଟ କରିଥିଲେ। ମାତ୍ର ସେଠାରେ ବିଭିନ୍ନ ପରୀକ୍ଷା ବାହାନାରେ ତାଙ୍କ କିଡନୀ ବାହାର କରାଯାଇଥିବା ରଞ୍ଜିତା ଜାଣିପାରିଥିଲେ। ତାଙ୍କ ଅଗୋଚରରେ ତଥା ବିନା ଅନୁମତିରେ ତାଙ୍କ କିଡନୀକୁ ପ୍ରଶାନ୍ତ MV38 ଗାଁର ଜଣେ ଶିକ୍ଷକଙ୍କୁ  ବିକ୍ରୀ କରିଦେଇଥିବା ଅଭିଯୋଗ କରିଛନ୍ତି ରଞ୍ଜିତା। ସେ ବାବଦରେ ମିଳିଥିବା ଟଙ୍କାକୁ ଉଭୟ ସ୍ୱାମୀ, ନଣନ୍ଦ ଖର୍ଚ୍ଚ କରିଦେଇଥିବା ସେ ଅଭିଯୋଗ କରିଛନ୍ତି।  ଏବେ ଗୋଟିଏ କିଡନୀ ଯୋଗୁ ସବୁବେଳେ ଅସୁସ୍ଥ ରହୁଛନ୍ତି ରଞ୍ଜିତା । ତେଣୁ ୨ ଛୁଆଙ୍କ ମୁହଁରେ  କିପରି ଆହାର ଦେବେ ସେହି ଚିନ୍ତା ତାଙ୍କୁ ଘାରିଛି ।

କିଡ଼ନୀ ବାହାର କରିଦେବା ପରେ ରଞ୍ଜିତାଙ୍କୁ ନେଇ ନିଜ ଘରକୁ ଫେରି ଯାଇଥିଲେ ପ୍ରଶାନ୍ତ । ରଞ୍ଜିତା ସବୁ ଜାଣି ବି ପିଲାଙ୍କ ମୁହଁକୁ ଅନାଇ ଚୁପ୍‌ ରହୁଥିଲେ । ଗୋଟିଏ କିଡନୀ ନ ଥିବାରୁ ସେ ସବୁବେଳେ ଅସୁସ୍ଥତାଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପ୍ରାୟ ବର୍ଷେ ତଳେ ପ୍ରଶାନ୍ତ  ଅନ୍ୟତ୍ର ବିବାହ କରିଥିବା ବେଳେ ରଞ୍ଜିତା ଓ ତାଙ୍କ ୨ ପିଲାଙ୍କୁ ବାପ ଘରେ ଛାଡ଼ି ଦେଇଛନ୍ତି।

ଏବେ ରଞ୍ଜିତା ବାପଘରେ ରହୁଥିବା ବେଳେ ସବୁବେଳେ ଅସୁସ୍ଥତା ହେତୁ କିଛି କାମ କରିପାରୁନାହାନ୍ତି। ତାଙ୍କର ଏପରି ଅବସ୍ଥା କରିଥିବା ସ୍ୱାମୀ ଓ ନଣନ୍ଦଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ନିମନ୍ତେ ରଞ୍ଜିତା ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏନେଇ ରଞ୍ଜିତା କହିଛନ୍ତି, ରକ୍ତ ପରୀକ୍ଷା କରିବାକୁ କହି ସ୍ୱାମୀ, ନଣନ୍ଦ ମୋର କିଡନୀ ଚୋରି କରିନେଲେ। ମୋ ପିଲାଛୁଆ ଛୋଟ ଛୋଟ । ମୁଁ କାମ କରିପାରୁନି। ପିଲାଛୁଆଙ୍କୁ ନେଇ କିପରି ବଞ୍ଚିବି । ମୋତେ ନ୍ୟାୟ ଦରକାର ଓ ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବା ଦରକାର।

ଏନେଇ ସାମାଜିକ କର୍ମୀ  ଶରତ ବୁରୁଦା କହିଛନ୍ତି, ରଞ୍ଜିତାଙ୍କୁ ଡରାଇ ଧମକାଇ ତାଙ୍କ ସ୍ୱାମୀ ତାଙ୍କ ଅଗୋଚରରେ ତାଙ୍କ କିଡନୀ ବିକ୍ରି କରିଦେଇଛନ୍ତି। ଜଣେ ଶିକ୍ଷକଙ୍କ ଶରୀରରେ ଏହାକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି। ମିଛ ସାର୍ଟିଫିକେଟ କରି ଚଞ୍ଚକତା କରି ଏପରି କରାଯାଇଛି। ଏହି ରାକେଟରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ଡରାଇ ଧମକାଇ ଚୋରି କରିଛନ୍ତି ସେମାନଙ୍କୁ ଧରିବାକୁ କେସ୍‌ ହୋଇଛି ।

ସୂଚନାଯୋଗ୍ୟ,  ରଞ୍ଜିତା ପ୍ରଥମେ ଜୁଲାଇରେ ଥାନାରେ ଏକ ଏତଲା ଦେଇଥିବା ବେଳେ ପୁଲିସ୍‌ ସେପରି ଠୋସ୍‌ ପଦକ୍ଷେପ ନେଇନଥିଲା। ଏହାପରେ ବୁଧବାର ପୁଣି ଥରେ ଥାନାକୁ ଆସି ନ୍ୟାୟ ଦାବି କରିଛନ୍ତି। ଏନେଇ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍‌ କିଣ୍ଡା।

https://youtu.be/9ka_xX9aoag

 

Related story