ରୁମ୍‌ର ଗୋଟାଏ ପଟେ ପଡ଼ିଥିଲା ବୋହୂର ଶବ, ଘର କୋଣରେ କାନ୍ଦୁଥିଲେ ଦୁଇ ନାତି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୁମ୍ ଭିତରୁ ବନ୍ଦ ଥିଲା। ପୁଅ-ବୋହୂଙ୍କ ପାଟିତୁଣ୍ଡର ଶବ୍ଦ କିନ୍ତୁ ରୁମ୍‌ ଭିତରୁ ବାହାରି ଦାଣ୍ଡ ପର୍ଯ୍ୟନ୍ତ ଶୁଣା ଯାଉଥିଲା। ଜିନିଷ ପତ୍ର ବାହାରେ ଫିଙ୍ଗାଫୋପଡ଼ା ହୋଇଥିଲା। କିଛି ଅଘଟଣ ଘଟିଯିବା ଆଶଙ୍କା କରି ଶ୍ୱଶୁର ଦୁଆର ଖୋଲିବାକୁ ବାରମ୍ଭାର କହିଥିଲେ। ହେଲେ ପୁଅ-ବୋହୂ ଦୁଆର ଖୋଲି ନ ଥିଲେ। ଶ୍ୱଶୁର ବାଧ୍ୟ ହୋଇ କବାଟ ଲକ୍‌ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ହେଲେ ପରିସ୍ଥିତି ଦେଖି ପୂରା କାଠ ହୋଇଯାଇଥିଲେ। ଗୋଟାଏ ପଟେ […]

kausalya

  • Published: Saturday, 17 December 2022
  • , Updated: 17 December 2022, 04:13 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୁମ୍ ଭିତରୁ ବନ୍ଦ ଥିଲା। ପୁଅ-ବୋହୂଙ୍କ ପାଟିତୁଣ୍ଡର ଶବ୍ଦ କିନ୍ତୁ ରୁମ୍‌ ଭିତରୁ ବାହାରି ଦାଣ୍ଡ ପର୍ଯ୍ୟନ୍ତ ଶୁଣା ଯାଉଥିଲା। ଜିନିଷ ପତ୍ର ବାହାରେ ଫିଙ୍ଗାଫୋପଡ଼ା ହୋଇଥିଲା। କିଛି ଅଘଟଣ ଘଟିଯିବା ଆଶଙ୍କା କରି ଶ୍ୱଶୁର ଦୁଆର ଖୋଲିବାକୁ ବାରମ୍ଭାର କହିଥିଲେ। ହେଲେ ପୁଅ-ବୋହୂ ଦୁଆର ଖୋଲି ନ ଥିଲେ। ଶ୍ୱଶୁର ବାଧ୍ୟ ହୋଇ କବାଟ ଲକ୍‌ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ହେଲେ ପରିସ୍ଥିତି ଦେଖି ପୂରା କାଠ ହୋଇଯାଇଥିଲେ। ଗୋଟାଏ ପଟେ ବୋହୂ ମରି ପଡ଼ିଥିବା ବେଳେ ଅନ୍ୟପଟେ ପୁଅ ନିଶାରେ ମାତାଲ ହୋଇ ପଡ଼ିଥାଏ। ରୁମ୍‌ର ଗୋଟିଏ କୋଣରେ ଦୁଇ ନାତି କାକୁସ୍ଥ ହୋଇ କାନ୍ଦି ଚାଲିଥିଲେ। ଗତକାଲି ବିଲମ୍ୱିତ ରାତିରେ ମାଲପଡ଼ାରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ବଲାଙ୍ଗିର ଟାଉନଥାନା ଅର୍ନ୍ତଗତ ମାଳପଡାର ଜଗମୋହନ ଦର୍ଜିଙ୍କ ସ୍ତ୍ରୀ କୌଶଲ୍ୟା ଦର୍ଜି। ଶ୍ୱଶୁର ସହଦେବ ଦର୍ଜିଙ୍କ ଠାରୁ ଖବର ପାଇବା ପରେ ଟାଉନ୍ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ସୂଚନା ମୁତାବକ, ମାଳପଡାର ଜଗମୋହନ ଦର୍ଜି ୯ ବର୍ଷ ତଲେ ଝାରସୁଗୁଡାର କୌଶଲ୍ୟାଙ୍କୁ ବିବାହ କରିଥିଲେ। ସେମାନଙ୍କ ଔରସରୁ ଦୁଇଟି ପୁଅ ମଧ୍ୟ ହୋଇଛନ୍ତି। ଗତ କିଛି ବର୍ଷ ହେବ ଜଗମୋହନ ନିଶା କବଳରେ ପଡ଼ିଯାଇଥିଲେ। ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ପାରିବାରିକ ଝଗଡ଼ା ଦେଖାଦେଇଥିଲା।

ଶ୍ୱଶୁର ସହଦେବ ଦର୍ଜି କହିଛନ୍ତି, ଗତକାଲି ବିଲମ୍ୱିତ ରାତିରେ ମଧ୍ୟ ନିଶାଖାଇ ଜଗମୋହନ ଘରକୁ ଆସିବା ପରେ ବୋହୂ ସହିତ ଝଗଡା କରିଥିଲା। ବନ୍ଦ ଘର ଭିତରେ ପାଟିତୁଣ୍ଡ ହେଉଥିବା ଶୁଣିବା ପରେ ସେ କବାଟ ବାଡେଇଥିଲେ। କିନ୍ତୁ କେହି ବି କବାଟ ଖୋଲିନଥିଲେ। ତେଣୁ ସେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ହେଲେ ଘର ଭିତରର ଦୃଶ୍ୟ ଦେଖି ଆବାକ ହୋଇଯାଇଥିଲେ। ଗୋଟିଏ ପଟରେ ବୋହୂର ମୃତଦେହ ପଡିଥିବା ବେଲେ, ଅନ୍ୟପଟେ ନିଶାସକ୍ତ ଅବସ୍ଥାରେ ପଡିଥିଲା ପୁଅ। ଆଉ ଘରର ଏକ କୋଣରେ କାନ୍ଦୁଥିଲେ ଦୁଇ ନାତି। ସଂଗେ ସଂଗେ ସେ ଏନେଇ ଟାଉନ ଥାନାକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି କୌଶଲ୍ୟାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ କୌଶଲ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବା ନେଇ ମାମଲା ଥାନାକୁ ଯାଇଛି। ଜବନମୋହନଙ୍କୁ ପୁଲିସ ବାନ୍ଧି ଜେଲ୍‌ ପଠାଇଥିଲା। ହେଲେ ଜାମିରେ ଆସିବା ପରେ ସେ ଘରେ ଉତ୍ପାତ ଜାରି ରଖିଥିଲେ।

Related story