ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଇଡ୍କଲ୍ର କୋଟିପତି ଜଏଣ୍ଟ ମ୍ୟାନେଜର ଗୟା ସାଁତରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।
ଗୟା ସାଁତରା ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ୪୪ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିପରି ତାଙ୍କ ଘରୁ ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଏତେ ପରିମାଣରେ ନଗଦ ଟଙ୍କା ଜବତ କରିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ଚତୁର୍ଥ ଘଟଣା।
ଶ୍ରୀ ସାଁତରାଙ୍କର ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ତିନି ମହଲା କୋଠା ରହିଛି। ଜୟଦେବ ବିହାରରେ ତାଙ୍କର ଏକ ଚାରି ମହଲା ଘର ନିର୍ମାଣାଧୀନ ରହିଛି। ସେହିପରି ତାଙ୍କର ୧୩ଟି ପ୍ଳଟ୍ ଠାବ କରିଛି ଭିଜିଲାନ୍ସ। ଏଥିରୁ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ୭ଟି ଥିବା ବେଳେ ଯାଜପୁରରେ ୫ଟି ଓ ନୟାଗଡ଼ରେ ଗୋଟିଏ ଅଛି।
ଗୟା ସାଁତରାଙ୍କ ଘରୁ ବୁଧବାର ୧ କେଜି ୯୬ ଗ୍ରାମର ସୁନା ଗହଣା ଓ ୭ କେଜି ୫୦୦ ଗ୍ରାମର ରୁପା ଜିନିଷ ଜବତ କରାଯାଇଛି। ତାଙ୍କର ୨ଟି ଚାରି ଚକିଆ ଓ ୪ଟି ୨ ଚକିଆ ଯାନ ରହିଛି। ଭିଜିଲାନ୍ସ ପକ୍ଷରୁ ଗୟା ସାଁତରାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି ଯେ ୨୦୨୨ରେ ଭିଜିଲାନ୍ସ ୨୭୦ଟି ମାମଲା ରୁଜୁ କରିଥିବା ବେଳେ ସେଥିରୁ ୭୫ଟି ହେଉଛି ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲା। ସେହିଭଳି ଲାଞ୍ଚ ନେବା ବେଳେ ୧୧୪ ଜଣ ଧରାପଡ଼ିଛନ୍ତି। ବାକି ଗୁଡ଼ିକ ଦୁର୍ନୀତି ସହିତ ଜଡ଼ିତ ଅନ୍ୟାନ୍ୟ ମାମଲା।
ଯେଉଁ ୨୭୦ଟି ମାମଲା ରୁଜୁ ହୋଇଛି ସେଥିରୁ ୬୦ଟି କ୍ଲାସ୍ ୱାନ୍ ଅଫିସରଙ୍କ ନାଁରେ ରହିଛି। ଏହା ଗତ ୫ ବର୍ଷରେ ସବୁଠୁ ଅଧିକ। ଚଳିତ ବର୍ଷ ଭିଜିଲାନ୍ସ ପକ୍ଷରୁ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଜବତ କରାଯାଇଛି।