ବୋହୂର ମୃତ୍ୟୁ ପରେ ଲୁଚିଲେ ଶ୍ୱଶୁର ଘର ଲୋକେ, ସତ୍କାର କଲେ ମା’, ଭଉଣୀ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବଞ୍ଚିଥିବା ବେଳେ ଶାନ୍ତିରେ ରହିବାକୁ ଦେଲେନି ଶ୍ୱଶୁର ଘର ଲୋକେ । ବିଷ ପିଇ ଜୀବନ ହାରିବା ପରେ ବି ବୋହୂର ଶବ ସତ୍କାର କରିବାକୁ ଦହଗଞ୍ଜ କଲେ। ଏପରିକି ଶ୍ୱଶୁର ଘର ଆଗରେ ବୋହୂ ମୃତଦେହ ଘଣ୍ଟା ଘଣ୍ଟା ପଡ଼ିବା ପରେ ବି କେହି କାନ୍ଧ ଦେବାକୁ ଆଗେଇ ଆସିଲେନି। ଶେଷରେ ମୃତ ମହିଳାଙ୍କ ମା’ ଭଉଣୀ ରାତିର ଅନ୍ଧକାରରେ କାନ୍ଧ ଦେଇ ଶ୍ମଶାନ ନେଇ ସତ୍କାର କଲେ ମୃତଦେହ। ଏପରି ଅମାନବୀୟ […]

deadbody

  • Published: Saturday, 24 September 2022
  • , Updated: 24 September 2022, 09:49 AM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବଞ୍ଚିଥିବା ବେଳେ ଶାନ୍ତିରେ ରହିବାକୁ ଦେଲେନି ଶ୍ୱଶୁର ଘର ଲୋକେ । ବିଷ ପିଇ ଜୀବନ ହାରିବା ପରେ ବି ବୋହୂର ଶବ ସତ୍କାର କରିବାକୁ ଦହଗଞ୍ଜ କଲେ। ଏପରିକି ଶ୍ୱଶୁର ଘର ଆଗରେ ବୋହୂ ମୃତଦେହ ଘଣ୍ଟା ଘଣ୍ଟା ପଡ଼ିବା ପରେ ବି କେହି କାନ୍ଧ ଦେବାକୁ ଆଗେଇ ଆସିଲେନି। ଶେଷରେ ମୃତ ମହିଳାଙ୍କ ମା’ ଭଉଣୀ ରାତିର ଅନ୍ଧକାରରେ କାନ୍ଧ ଦେଇ ଶ୍ମଶାନ ନେଇ ସତ୍କାର କଲେ ମୃତଦେହ।

ଏପରି ଅମାନବୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଓଡିଆ ଆଲପୁର ଗ୍ରାମରେ ଘଟିଛି। ଏପରି କ୍ରୂର ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଗୁହାରୀ କରିଛନ୍ତି ମୃତା ମହିଳାଙ୍କ ମା’

ସୂଚନା ଅନୁଯାୟୀ,  ଖଲ୍ଲିକୋଟ ଥାନା ପାରିନୂଆ ଗାଁର ଝିଅ ନୀଳାସାହୁ  ଆଲପୁର ଗ୍ରାମର ହରଷ ସାହୁଙ୍କୁ ବିବାହ କରିଥିଲେ  । ହରଷ ଜଣେ ଦାଦନ ଶ୍ରମିକ ହୋଇଥିବା ବେଳେ ସେ ଚେନ୍ନାଇରେ ରୁହନ୍ତି । ଏହାର ସୁଯୋଗ ନେଇ ହରଷଙ୍କ ପରିବାର ଲୋକେ ବିଭିନ୍ନ ଆଳ ଦେଖାଇ ବୋହୂ ନିଳାଙ୍କୁ ନିର୍ଯାତନା ଦିଅନ୍ତି ।ଏପରିକି ନୀଳାଙ୍କ ପାଖକୁ ଟଙ୍କା ପଠାଇବାକୁ ମଧ୍ୟ ପୁଅକୁ ମନା କରିଥିଲେ । ଯାହା ଫଳରେ ଦୁଇ ପୁଅକୁ ନେଇ ସଂସାର ଚଳାଇବା ନୀଳାଙ୍କ ପକ୍ଷେ କଷ୍ଟସାଧ୍ୟ ହେଲା। ଏଥିରେ ଅତିଷ୍ଠ ହୋଇ ଗତ ଗୁରୁବାର ସେ ବିଷ ପିଇ ଦେଇଥିଲେ  । ତେବେ ନୀଳା ବିଷ ପିଇବା ପରେ ଘରେ ପଡି ଛଟପଟ ହେଉଥିଲେ ମଧ୍ୟ ଶ୍ୱଶୁର ଘର ଲୋକ ତାଙ୍କୁ ମେଡିକାଲ ନେଇ ନ ଥିବା ଅଭିଯୋଗ ହୋଇଛି ।

ଖବର ପାଇ ଦୀର୍ଘ ସମୟ ପରେ ବାପ ଘର ଲୋକେ ପହଞ୍ଚି ନୀଳାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିକୁ ନେଇଥିଲେ  । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ହୋଇ ନୀଳାଙ୍କ ମୃତଦେହ ତାଙ୍କ ଶ୍ୱଶୁର ଘର ଗାଁରେ ପହଞ୍ଚିଥିଲା।

ମାତ୍ର ମୃତଦେହ ଦାଣ୍ଡ ଦୁଆରେ ଘଣ୍ଟା ଘଣ୍ଟା ପଡ଼ି ରହିବା ପରେ ବି ବାହାରି ନ ଥିଲେ ନୀଳାଙ୍କ ଶ୍ୱଶୁର ଘର ଲୋକେ। ଗ୍ରାମବାସୀ ମଧ୍ୟ ଏଥିରେ କିଛି ସହଯୋଗ କରି ନ ଥିଲେ। ଗାଁରେ ପ୍ରାୟ ଦୀର୍ଘ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଶବ ପଡି ରହିବା ପରେ ବାଧ୍ୟ ହୋଇ  ନୀଳାଙ୍କ  ମା’ ଓ ଭଉଣୀ  ତାଙ୍କ ଶବକୁ  କାନ୍ଧେଇ କାନ୍ଧେଇ  ଶ୍ମଶାନକୁ ନେଇଥିଲେ  ।

ଏସମ୍ପର୍କରେ ତାଙ୍କ ମା’ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

Related story