ଓଡ଼ିଆ ନୁହଁନ୍ତି, କିନ୍ତୁ କାଳିଆ ଦର୍ଶନ କରି ହ୍ୱିଲ୍ ଚେୟାରରେ ବାହାରିଛନ୍ତି ଭାରତ ବୁଲି; ଉଦ୍ଦେଶ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜୀବନକୁ ଆମେ କେମିତି ଗ୍ରହଣ କରିବା ତାହା ଆମ ଉପରେ ନିର୍ଭର କରେ। କିଏ ଜୀବନ ସାରା ନିଜ କଥା ଚିନ୍ତା କରେ, ତ ଆଉକିଏ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରେ। କିଛି ବ୍ୟକ୍ତି ଅଛନ୍ତି, ନିଜର ସବୁପ୍ରକାର ଅକ୍ଷମତା ଓ ଅସୁବିଧା ସତ୍ୱେ, ସବୁବେଳେ ସମାଜର ଭଲ ଚିନ୍ତାରେ ହିଁ କଟାନ୍ତି। ଏମିତି ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଆମ ସାଲେପୁର ପ୍ରତିନିଧି ମନୋଜ ଆଚାର୍ଯ୍ୟ। ସାଲେପୁର (ମନୋଜ ଆଚାର୍ଯ୍ୟ): ଓଡ଼ିଆ କହିପାରନ୍ତିନି କି ଓଡ଼ିଆ ପଢ଼ି […]

arabinda

Ordigital Desk
  • Published: Wednesday, 23 May 2018
  • , Updated: 23 May 2018, 08:07 PM IST

ଜୀବନକୁ ଆମେ କେମିତି ଗ୍ରହଣ କରିବା ତାହା ଆମ ଉପରେ ନିର୍ଭର କରେ। କିଏ ଜୀବନ ସାରା ନିଜ କଥା ଚିନ୍ତା କରେ, ତ ଆଉକିଏ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରେ। କିଛି ବ୍ୟକ୍ତି ଅଛନ୍ତି, ନିଜର ସବୁପ୍ରକାର ଅକ୍ଷମତା ଓ ଅସୁବିଧା ସତ୍ୱେ, ସବୁବେଳେ ସମାଜର ଭଲ ଚିନ୍ତାରେ ହିଁ କଟାନ୍ତି। ଏମିତି ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଆମ ସାଲେପୁର ପ୍ରତିନିଧି ମନୋଜ ଆଚାର୍ଯ୍ୟ।

ସାଲେପୁର (ମନୋଜ ଆଚାର୍ଯ୍ୟ): ଓଡ଼ିଆ କହିପାରନ୍ତିନି କି ଓଡ଼ିଆ ପଢ଼ି ପାରନ୍ତିନି। ସେ ଓଡ଼ିଆ ନୁହନ୍ତି, ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ବୋଲି ମାନିଛନ୍ତି। କେବକ ସେତିକି, ନୁହେଁ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ, ନିଜ ଟ୍ରାଇ-ସାଇକେଲରେ ସେ ପୁରୀରୁ ବାହାରି ସାରା ଭାରତ ଭ୍ରମଣ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ ବିହାରର ଅରବିନ୍ଦ କୁମାର ମିଶ୍ର।

ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଦିବ୍ୟାଙ୍ଗ ଅରବିନ୍ଦ ଭାରତ ଜୟ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ଘର ହେଲା ବିହାର ରାଜ୍ୟ ପଟନାସ୍ଥିତ ଏକତା ନଗରରେ। ନିଜ ଟ୍ରାଇସାଇକେଲରେ ହିଁ ଓଡ଼ିଆରେ ଲେଖାଥିବା ଏକ ବ୍ୟାନର ଲଗାଇ ସେ ଯାତ୍ରାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ଏଥିରେ ଲେଖିଛନ୍ତି-'ଝିଅ ବଞ୍ଚାନ୍ତୁ, ଭାରତ ବଞ୍ଚାନ୍ତୁ। ରକ୍ତଦାନ କରନ୍ତୁ। ମୋବାଇଲ ବ୍ୟବହାର କରି ଗାଡ଼ି ଚଳାନ୍ତୁ ନାହିଁ।' ଏଭଳି କିଛି ବାର୍ତ୍ତା ଦେଇ ଅରିବନ୍ଦ ସଚେତନତା ସୃଷ୍ଟି କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି।

ଅରବିନ୍ଦଙ୍କ ସାହସକୁ ସମସ୍ତେ ସାବାସୀ ଦେଇଛନ୍ତି। କାରଣ ସୁସ୍ଥ ସବଳ ଲୋକମାନେ ଯେତେବେଳେ କୁଆଡ଼େ ବାହାରକୁ ଯିବାକୁ ଡରୁଛନ୍ତି, ସେତେବେଳେ ନିଜ ହାତରେ କିଛି ନଥାଇ ମଧ୍ୟ ସେ ବାହାରିଛନ୍ତି ଦେଶ ସାରା ଯାତ୍ରା ପାଇଁ। ତାହା ପୁଣି ନିଜର କୌଣସି ଲାଭ ପାଇଁ ନୁହେଁ, ବରଂ ଏ ସମାଜର ଭଲ ପାଇଁ। ମନରେ ପ୍ରଶ୍ନ ଉଠେ, ଅରବିନ୍ଦ କେମିତି କରିବେ ଏହି ଯାତ୍ରା। କେଉଁଠି ରହିବେ, କଣ ଖାଇବେ, କେମିତି ଏତେ ବାଟ ବୁଲିବେ? ପଢ଼ନ୍ତୁ ତାଙ୍କ ପୂରା ଅଭିଯାନର ରୂପରେଖ ବାବଦରେ।

ଦେଶ ଭ୍ରମଣ ବେଳେ ଅରବିନ୍ଦଙ୍କର ନିୟମ ହେଲା, ଯେଉଁଠି ରାତି ହେବ ସେ ସେଇଠି ହିଁ ରହିଯିବେ। ସେଥିପାଇଁ ତାଙ୍କୁ ସେମିତି କିଛି ବଡ଼ ହୋଟେଲ୍ ଖୋଜିବାକୁ ପଡ଼େନି। ବାସ୍ କେଉଁଠି ଗୋଟେ ମୁଣ୍ଡ ଗୁଞ୍ଜିବା କଥା। ସେହିପରି ଯାହା ଯେତେବେଳେ ଖାଇବାକୁ ମିଳେ ଖାଆନ୍ତି। ବାଟରେ ସ୍କୁଲ କଲେଜରେ ପିଲାମାନଙ୍କୁ ଏ ସବୁ ବିଷୟରେ ବୁଝାନ୍ତି। ସେ ଜାଣନ୍ତିନି ସାରା ଭାରତ ବର୍ଷର ଏହି ଯାତ୍ରା କେବେ ସରିବ ତାଙ୍କର। ହେଲେ ଦିନେନା ଦିନେ ସେ ଏହି ଯାତ୍ରା ଶେଷ କରିବେ ବୋଲି କହିଛନ୍ତି। ଜଣେ ଓଡ଼ିଆ ନହୋଇ ମଧ୍ୟ ବିହାରରୁ ଆସିଥିବା ଜଣେ ଅଣଓଡ଼ିଆଙ୍କ ଓଡ଼ିଆ ଭାଷା ଆଉ ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ନିଶ୍ଚିତ ଭାବେ ପ୍ରତିଟି ଓଡ଼ିଆଙ୍କ ପାଇଁ ଉତ୍ସାହପ୍ରଦ।

Related story