ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ପୁରସ୍କାର ବିଜେତା ତଥା ଦିବ୍ୟାଙ୍ଗଙ୍କ ଅଧିକାର ପାଇର୍ ଲଢ଼େଇ କରୁଥିବା ଓଡ଼ିଆ ଝିଅ ଡଃ ଶ୍ରୁତି ମହାପାତ୍ର ଆଜି ହାଇଦ୍ରାବାଦ ବିମାନ ବନ୍ଦରରେ ଇଣ୍ଡିଗୋ ଓ ସିଆଇଏସଏଫଙ୍କ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବିମାନରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସିଟକୁ ନେଇ ସେ ଆପତ୍ତି ଉଠାଇବାରୁ ତାଙ୍କ କଥା ନଶୁଣି ଓଲଟା ତାଙ୍କୁ ଅପମାନିତ କରାଯାଇଛି । ଏପରିକି ତାଙ୍କୁ ମାନସିକସ୍ତରରେ ନିର୍ଯାତନା ଦିଆଯାଇଥିବା ଶ୍ରୁତି ତାଙ୍କ ଟ୍ୱିଟ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି ।
ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ଦ୍ୱାରା ‘ନାରୀ ଶକ୍ତି ପୁରସ୍କାର’ ପାଇଥିବା ଶ୍ରୁତି ତାଙ୍କ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ତାଙ୍କୁ ଆଜି ଇଣ୍ଡିଗୋ ବିମାନରେ ଯେଉଁ ସିଟ୍ ଦିଆଯାଇଥିଲା ତାକୁ ନେଇ ସେ ଆପତ୍ତି ଉଠାଇଥିଲେ । ବିମାନ ବା ଟ୍ରେନରେ ଯାତାୟତ ପାଇଁ ଉଦ୍ଦିଷ୍ଟ ମାର୍ଗ ପାଖର ସିଟ୍ (ଆଇସ୍ଲେ ସିଟ) ତାଙ୍କୁ ଦିଆଯାଇଥିଲା । ସେ ଜଣେ ଦିବ୍ୟାଙ୍ଗ ମହିଳା ହୋଇଥିବାରୁ ଏହି ସିଟକୁ ନେଇ ଆପତ୍ତି ଉଠାଇ ତାକୁ ବଦଳାଇ ଅନ୍ୟ ସିଟ୍ ଦେବାକୁ ବିମାନ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ବିମାନ ବନ୍ଦର ଓ ସିଆଇଏସଏଫ କର୍ମଚାରୀମାନେ ତାଙ୍କୁ ଅପମାନିତ କରିଥିଲେ । ହାଇଦ୍ରାବାଦ ବିମାନ ବନ୍ଦରରେ ତାଙ୍କ ସହ ଏହା ହୋଇଥିବା ସେ ଟ୍ୱିଟ୍ କରି ଜଣାଇବା ସହ ଦିବ୍ୟାଙ୍ଗ ଯାତ୍ରୀଙ୍କ ନିରାପତ୍ତା ଓ ସମ୍ମାନ ରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସିଆଇଏସଏଫରେ ସଂସ୍କାର ଆବଶ୍ୟକ ବୋଲି କହିଛନ୍ତି ।
ଶ୍ରୁତିଙ୍କ ଏହି ଟ୍ୱିଟ୍ ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ତାଙ୍କୁ ଟ୍ୱିଟ୍ କରାଯାଇ ତାଙ୍କର ଫୋନ୍ ନମ୍ବର ଓ ପିଏନଆର ନମ୍ବର ମାଗିଛି । ଏପରିକି ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ମଧ୍ୟ ଏୟାରଲାଇନ୍ସ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ।
ସୂଚନାଯୋଗ୍ୟ, ଚଳିତମାସ ୭ ତାରିଖରେ ରାଂଚ ବିମାନ ବନ୍ଦରରେ ଜଣେ ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ସୁଯୋଗ ନଦେଇ ଇଣ୍ଡିଗୋ ବିମାନ ବିବାଦକୁ ଆସିଥିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଇଥିବାବେଳେ ଆଜି ଦେଶର ଜଣେ ପ୍ରମୁଖ ନାରୀ ଶକ୍ତି ଭାବେ ପରିଚିତ ଶ୍ରୁତିଙ୍କୁ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଶିକାର ହେବାକୁ ପଡ଼ିଛି ।
With reference to my earlier harassment tweet, it was Hyderabad airport and not Nagpur. @RGIAHyd @CISFHQrs @MoCA_India
— Dr Sruti Mohapatra (@sruti_mohapatra) May 11, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।